ଆନ୍ଧ୍ରରେ ବନ୍ଧା ପଡ଼ିଛନ୍ତି ଶତାଧିକ ଶିକ୍ଷକ

ବଡ଼ବିଲ: ଆନ୍ଧ୍ରରୁ ବିଇଡି ପ୍ରମାଣପତ୍ର ହାସଲ ପାଇଁ ଦଲାଲଙ୍କୁ ଟଙ୍କା ଦେଇ ଫସିଛନ୍ତି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ। ଏହି ଦଲାଲ ଜଣକ ପିଛା ୨୦ରୁ ୩୦ ହଜାର ଆଦାୟ କରି ପାଖାପାଖି ୪୦ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏଣେ ଧାର୍ଯ୍ୟ ଦିବସରେ ପରୀକ୍ଷା ଦେବାପାଇଁ ଆନ୍ଧ୍ରରେ ପହଞ୍ଚଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କୁ ହଟହଟା ହେବାକୁ ପଡ଼ିଛି। ଶିକ୍ଷାଗତ ଯୋଗ୍ୟତାର ମୂଳ ପ୍ରମାଣପତ୍ର ପାଇବା ପାଇଁ ସେମାନେ ଅଟକି ରହିଥିବା ଜଣାପଡ଼ିଛି। ରାଜ୍ୟର ବିଭିନ୍ନ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ସରକାର ବିଇଡି ପ୍ରମାଣପତ୍ର ବାଧ୍ୟତାମୂଳକ କରିଛନ୍ତି। ୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବିଇଡି ପ୍ରମାଣପତ୍ର ଦାଖଲ କରିବାକୁ ରାଜ୍ୟ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶିକ୍ଷକ ଶିକ୍ଷୟିତ୍ରୀ କିପରି ବିନା ପାଠପଢ଼ାରେ ପ୍ରମାଣପତ୍ର ହାସଲ କରିବେ ସେ ଉଦ୍ୟମ ଆରମ୍ଭ କରିଦେଇଥିଲେ। ଆନ୍ଧ୍ରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପରୀକ୍ଷା ଦେଇ ପ୍ରମାଣପତ୍ର ପାଇବା ପାଇଁ ଭୁବନେଶ୍ୱରର ଦେବାଶିଷ ମହାରଥ ନାମକ ଜଣେ ଦଲାଲଙ୍କୁ ଏଥିପାଇଁ ଅଗ୍ରୀମ ୨୫ ରୁ ୩୦ ହଜାର ଟଙ୍କା ସହ ନିଜର ଅସଲି ଶିକ୍ଷାଗତ ପ୍ରମାଣପତ୍ର ଦେଇଥିଲେ। ବିଇଡି ପ୍ରମାଣପତ୍ର ନେବା ବେଳେ ବାକି ୩୦ ରୁ ୪୦ ହଜାର ଟଙ୍କା ପଇଠ କରିବେ ବୋଲି ଚୁକ୍ତି କରିଥିଲେ। ଦେବାଶିଷ ଟଙ୍କା ଆଦାୟ କରି ଆନ୍ଧ୍ରପ୍ରଦେଶର ୩ଟି ଶିକ୍ଷାନୁଷ୍ଠାନରେ ପଇଠ କରିବାକୁ ଜଣେ ଏଜେଣ୍ଟକୁ ଦେଇଥିଲେ। ତେବେ ଉକ୍ତ ଏଜେଣ୍ଟ ଟଙ୍କା ନେଇ ଚମ୍ପଟ ମାରଥିଲା।

ବିଇଡି ପରୀକ୍ଷା ଦେଇ ପାରିଲେନି
ନିଜ ମୂଳ ସାର୍ଟିଫିକେଟ୍‌ ବି ମିଳୁନି
୪୦ ଲକ୍ଷ ଟଙ୍କା ନେଇ ଦଲାଲ ଛୁ’

ଏ ପଟେ ପରୀକ୍ଷା ଦେବା ପାଇଁ ଗତ ୪ ତାରିଖରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୧୮୧ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଭୁବନେଶ୍ୱର ରେଳ ଷ୍ଟେସନ୍‌ରୁ ଆନ୍ଧ୍ର ଅଭିମୁଖେ ବାହାରିିଥିଲେ। ୬ ତାରିଖରେ ପରୀକ୍ଷା ଥିଲା। ଧାର୍ଯ୍ୟ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପରେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ମାତ୍ର ୩୦ଜଣଙ୍କ ପରୀକ୍ଷା ଫି ଏବଂ ପ୍ରମାଣ ପତ୍ର ପଇଠ ହୋଇଥିବା ବେଳେ ୧୫୧ଜଣଙ୍କ ପରୀକ୍ଷା ଫି ଦାଖଲ ହୋଇ ନଥିବା ଜଣାପଡିଥିଲା। ଆବଶ୍ୟକ ଟଙ୍କା ଜମା ହୋଇନଥିବାରୁ ପରୀକ୍ଷା ଦେଇପାରିବେନି ବୋଲି ପରୀକ୍ଷା କେନ୍ଦ୍ରର କର୍ତ୍ତୃପକ୍ଷ କହିଥିଲେ। ଏଭଳି ସୂଚନା ପାଇବା ପରେ ସେମାନଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ପରୀକ୍ଷା ନଦେଲେ ନାହିଁ ଅସଲି ଶିକ୍ଷାଗତ ପ୍ରମାଣପତ୍ର କିପରି ପାଇବେ ସେ ଚିନ୍ତା ଘାରିଥିଲା। ପ୍ରମାଣପତ୍ର ଦେବା ପାଇଁ ଦେବାଶିଷ ସେମାନଙ୍କୁ ପୁଣି ୫ ହଜାର ଟଙ୍କା ଲେଖାଏଁ ମାଗିଥିଲା। ପ୍ରମାଣପତ୍ର ପାଇବା ଆଶାରେ ପୁଣି ସମସ୍ତେ ୫ ହଜାର ଟଙ୍କା ଲେଖାଏଁ ଦେଇଥିଲେ। ହେଲେ କୌଣସି ସୁଫଳ ନମିଳିବାରୁ ଏହି ଶିକ୍ଷକ ଶିକ୍ଷୟିତ୍ରୀମାନେ ସ୍ଥାନୀୟ ପୁଲିସର ସହାୟତା ନେଇଥିଲେ। ପୁଲିସ ହସ୍ତକ୍ଷେପ ପରେ ସେମାନେ ୫ ହଜାର ଟଙ୍କା ଫେରି ପାଇଛନ୍ତି।

ସମ୍ବନ୍ଧିତ ଖବର