୯ ଜିଲ୍ଲାରେ ୧୦୦ ପ୍ରତିଶତ ପାଇଖାନା ନିର୍ମାଣ ସରିଲା, ଅଗଷ୍ଟ ଶେଷ ସୁଦ୍ଧା ସବୁ ଜିଲ୍ଲାରେ ନିର୍ମାଣ ସରିବ!

ଭୁବନେଶ୍ବର: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ‘ସ୍ୱଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା ମିସନ’ ଆଗେଇଛି। ବର୍ତମାନ ସୁଦ୍ଧା ୯ଟି ଜିଲ୍ଲାରେ ୧୦୦ ପ୍ରତିଶତ ପାଇଖାନା ନିର୍ମାଣ ସରିଥିବା ବେଳେ ଆଉ ୪ଟି ଜିଲ୍ଲାରେ ହାରାହାରି ୯୦ରୁ ୯୬ ପ୍ରତିଶତ ପର୍ଯ୍ୟନ୍ତ ଲକ୍ଷ୍ୟ ହାସଲ ହୋଇଛି। ସେହିପରି ଆଉ ୧୦ଟି ଜିଲ୍ଲାରେ ହାରାହାରି ୮୪ ପ୍ରତିଶତରୁ ଅଧିକ ପାଇଖାନା ନିର୍ମାଣ ସରିଛି। ଜୁଲାଇ ୩୧ରୁ ଅଗଷ୍ଟ ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ୧୦୦ ପ୍ରତିଶତ ପାଇଖାନା ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହି ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ଜିଲ୍ଲାମାନଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।

ଆଜି ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ଓ କେନ୍ଦ୍ରୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ସଚିବ ପରମେଶ୍ୱରନ ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରୁ ମିଳିଛି ଏହି ସୂଚନା। ଜିଲ୍ଲାୱାରୀ ସମୀକ୍ଷା କରି ମୁଖ୍ୟ ସଚିବ କାର୍ଯ୍ୟ ସାରିବା ନିମନ୍ତେ ପ୍ରତି ଜିଲ୍ଲା ପାଇଁ ସମୟସୀମା ନିର୍ଧାରଣ କରିଥିଲେ। ଜୁଲାଇ ୩୧ରୁ ଅଗଷ୍ଟ ମାସ ଶେଷସୁଦ୍ଧା ୧୦୦ ପ୍ରତିଶତ ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ଜିଲ୍ଲାଙ୍କୁ ସେ ନିର୍ଦେଶ ଦେଇଥିଲେ। ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ଏହି ଭିଡ଼ିଓ ଯୋଗାଯୋଗ ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପ୍ରମୁଖ ସଚିବ ଦେଓ ରଂଜନ କୁମାର ସିଂ ତାଲିକା ଅନ୍ତର୍ଭୁକ୍ତ ଉଭୟ ପୁରୁଣା ଏବଂ ନୂଆ ପରିବାର ମାନଙ୍କୁ ଏହି ଅଭିଯାନରେ ସାମିଲ କରିବା ସମ୍ବନ୍ଧୀୟ ଆର୍ଥିକ ଓ ପ୍ରାଶାସନିକ ବିଷୟବସ୍ତୁ ଉପସ୍ଥାପନ କରିଥିଲେ। ମିସନ ନିର୍ଦେଶିକା ରୁପା ମିଶ୍ର ଉପସ୍ଥାପନ କରିଥିଲେ ବିଭିନ୍ନ ଜିଲ୍ଲାର ସଦ୍ୟତନ ତଥ୍ୟ।

ବର୍ତମାନ ସୁଦ୍ଧା ବାଲେଶ୍ୱର, ଦେବଗଡ଼, ଝାରସୁୁଗୁଡ଼ା, କନ୍ଧମାଳ, ସମ୍ବଲପୁର, ଢେଙ୍କାନାଳ, ସୋନପୁର, ଗଞ୍ଜାମ ଏବଂ ଗଜପତି ଆଦି ୯ଟି ଜିଲ୍ଲାରେ ୧୦୦ ପ୍ରତିଶତ ପରିବାରରେ ପାଇଖାନା ନିର୍ମାଣ ସରିଛି। ସୁନ୍ଦରଗଡ଼, ରାୟଗଡ଼ା, ବଲାଙ୍ଗୀର ଓ ଜଗତ୍‌ସିଂହପୁର ଆଦି ୪ଟି ଜିଲ୍ଲାରେ ପ୍ରାୟ ୯୩ ପ୍ରତିଶତ ପାଇଖାନା ନିର୍ମାଣ ସରିଛି। ସୂଚନାଯୋଗ୍ୟ, ୨୦୧୨-୧୩ ଆର୍ଥିକ ବର୍ଷର ମୂଳ ସର୍ଭେ ଅନୁସାରେ ଓଡ଼ିଶାରେ ସମୁଦାୟ ୧୨ ପ୍ରତିଶତ ପରିବାରଙ୍କର ପାଇଖାନା ଥିଲା। ଇତି ମଧ୍ୟରେ ପ୍ରାୟ ୬୮ ଲକ୍ଷ ପାଇଖାନା ନିର୍ମାଣ କରାଯାଇଛି। ଏହି ଅଭିଯାନରେ ସମୁଦାୟ ପ୍ରାୟ ୭୯ ଲକ୍ଷ ପରିବାରଙ୍କ ଘରେ ପାଇଖାନା ନିର୍ମାଣ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି କରାଯାଇଛି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଆର୍ଥିକ ଅନୁଦାନ ପ୍ରଦାନ କରୁଛନ୍ତି। ପ୍ରତି ହିତାଧିକାରୀଙ୍କୁ ପାଇଖାନା ନିର୍ମାଣ ପାଇଁ ୧୨,୦୦୦ ଟଙ୍କାର ପ୍ରୋସିାହନ ରାଶି ଯୋଗାଇ ଦିଆଯାଉଛି।

ସମ୍ବନ୍ଧିତ ଖବର