୨୩ରେ ଏନ୍‌ଡିଏ ସରକାର ବିରୋଧୀ ଧାରଣା

ଭୁବନେଶ୍ୱର : ଧର୍ମନିରପେକ୍ଷ, ବାମପନ୍ଥୀ, ଗଣତାନ୍ତ୍ରିକ ଚିନ୍ତାଧାରା ସଂପନ୍ନ ୧୦୬ଟି ସଂଗଠନ ‘ଜନ ଏକତା-ଜନ ଅଧିକାର ଆନ୍ଦୋଳନ’ ମଞ୍ଚ ତଳେ ଏକାଠି ହୋଇଛନ୍ତି। ଏହି ମଞ୍ଚ ତରଫରୁ ଆସନ୍ତା ୨୩ ତାରିଖରେ ରାଜଧାନୀ ଭୁବନେଶ୍ୱର ସମେତ ଦେଶର ସମସ୍ତ ରାଜଧାନୀରେ ଏନ୍‌.ଡି.ଏ. ସରକାର ବିରୁଦ୍ଧରେ ଧାରଣା ଦିଆଯିବ। ଆଜି ଏହି ‘ଜନ ଏକତା-ଜନ ଅଧିକାର ଆନ୍ଦୋଳନ’ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ପ୍ରତିବାଦ ଧାରଣା ମାଧ୍ୟମରେ ‘ଏନ୍‌.ଡି.ଏ. ସରକାରଙ୍କ ମୁଖା ଖୋଲ, ପ୍ରତିରୋଧ ଆନ୍ଦୋଳନ ଗଢ଼ି ତୋଳ’ ଆହ୍ଵାନ ଦିଆଯାଇଛି। ଏହି ସରକାରଙ୍କ ସମୟରେ ୨୧ ଥର ପେଟ୍ରୋଲ୍‌, ଡିଜେଲ୍‌ ମୂଲ୍ୟ ବୃଦ୍ଧି ପାଇଛି। ଦୁଇ କୋଟି ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି। ନିରବ ମୋଦି, ବିଜୟ ମାଲ୍ୟାଙ୍କ ଦ୍ୱାରା ହଜାର ହଜାର କୋଟି ଲୁଟ୍‌, କର୍ପୋରେଟ୍‌ ସଂସ୍ଥାମାନଙ୍କୁ ୧.୯୧ ଲକ୍ଷ କୋଟି ଛାଡ଼, ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକର ଘରୋଇକରଣ, ବିମୁଦ୍ରାକରଣ ଓ ଜିଏସ୍‌ଟି, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କୁ ହତ୍ୟା ଆଦି ପ୍ରସଙ୍ଗ ଧାରଣା ସମୟରେ ଉଠାଯିବ। ଏହି ସମ୍ମିଳନୀରେ ସୌରୀବନ୍ଧୁ କର, ସୁରେଶ ପାଣିଗ୍ରାହୀ, ମହେନ୍ଦ୍ର ପରିଡ଼ା, ଜ୍ୟୋତିରଂଜନ ମହାପାତ୍ର, ସଂଧ୍ୟାଦାସ ମଜୁମଦାର, ପ୍ରଫୁଲ୍ଲ ସାମନ୍ତରା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର