ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ଓଡ଼ିଆ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ହେଲା ଭାଇରାଲ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ପ୍ରଥମ ଦିନ ଶୁକ୍ରବାର ମାଟ୍ରିକ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନୂଆପଡ଼ା ଜିଲ୍ଲାରୁ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇ ରାଜ୍ୟର ଅନ୍ୟ ଅଂଚଳକୁ ଖୁବ୍‌ କମ୍‌ ସମୟ ମଧ୍ୟରେ ପହଂଚିପାରିଛି। ରିପୋର୍ଟ ଅନୁସାରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଠାରୁ ମଧ୍ୟ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ସବୁଠାରୁ ଦୁଃଖର ବିଷୟ ଯେ, ପରୀକ୍ଷା ଆରମ୍ଭ ହେବାର ମାତ୍ର ୧୦ ମିନିଟ ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ବେଳେ ଅଧିକାରୀ ମାନେ ଏବିଷୟରେ ଜାଣିବା ବେଳକୁ ପରୀକ୍ଷା ଶେଷ ହୋଇ ଯାଇଥିଲା। ରାଜ୍ୟର ୨୯୫୩ଟି କେନ୍ଦ୍ରରେ ପ୍ରାୟ ୫ଲକ୍ଷ ୮୭,୭୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ପରୀକ୍ଷା କେନ୍ଦ୍ରକୁ ମୋବାଇଲ ସଂପୂର୍ଣ୍ଣ ଭାବରେ ବାରଣ ହୋଇଛି। ମୁଁ ବିଶ୍ୱାସ କରୁନି, ଏମିିତି କିଛି ହୋଇନଥିବ।
-ଗଣଶିକ୍ଷା ମନ୍ତ୍ରୀ, ବଦ୍ରୀନାରାୟଣ ପାତ୍ର

ପରୀକ୍ଷା ସୁପରିଚାଳନା ନିମନ୍ତେ ୫୮ଟି ଜିଲ୍ଲାସ୍ତରୀୟ ସ୍କ୍ଵାର୍ଡ, ବୋର୍ଡ ଅଫ ସେକେଣ୍ଡାରି ଏଡୁକେସନର ୪୪ଟି କେନ୍ଦ୍ରୀୟ ସ୍କ୍ଵାର୍ଡ ଏବଂ ଜିଲ୍ଲାପାଳମାନଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ସ୍କ୍ଵାର୍ଡ ଗଠନ କରାଯାଇଥିଲେ ବି ପ୍ରଶ୍ନପତ୍ର ଭାଇରାଲ ହେବା ଚିନ୍ତାର ବିଷୟ। ଭାରଇରାଲ ହୋଇଥିବା ପ୍ରଶ୍ନପତ୍ର ସହ ଅସଲି ପ୍ରଶ୍ନପ୍ର ମେଳ ଖାଇଛି।

ଅନ୍ୟପକ୍ଷରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲକୁ ବୋର୍ଡ ସଭାପତି ଜାହାନ ଆରା ବେଗମ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ପରୀକ୍ଷା ଆରମ୍ଭ ହେବା ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ବୋର୍ଡ କହିଛି କେଉଁ ପରିସ୍ଥିତିରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି, ତାହା ତଦନ୍ତ ହେବ। ଦୁଃସ୍ଥ ମାନସିକତା ଯୋଗୁଁ ପ୍ରଶ୍ନପତ୍ର ଭାଇରାଲ ହୋଇଛି ବୋଲି ବୋର୍ଡ କହିଛି।

ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିଲା ପରି ପରୀକ୍ଷା ଆରମ୍ଭରୁ ଏଭଳି ଅବ୍ୟବସ୍ଥା ନେଇ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି। ପ୍ରଚଳିତ ପରୀକ୍ଷା ବ୍ୟବସ୍ଥାକୁ ସେମାନେ ତୀବ୍ର ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର