ଏଣିକି ସଡ଼କ ସୁରକ୍ଷାର ପାଠ ପଢିବେ ଦଶମ ଶ୍ରେଣୀ ପିଲା

ଭୁବନେଶ୍ୱର: ରାସ୍ତାରେ ଯାତାୟାତ ପାଇଁ କଣ ସବୁ ନିୟମ ରହିଛି, କେମିତି ଘଟିବନି ଦୁର୍ଘଟଣା ସେ ବାବଦରେ ଏଣିକି ପାଠ ପଢିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ | ଆଗାମୀ ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ବିଷୟବସ୍ତୁ ରହିବ | କେମିତି ବିଷୟବସ୍ତୁ ରହିବ ସେ ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ | ଏହି ସୂଚନା ଦେଇଛନ୍ତି ପରିବହନ କମିଶନର ସଂଜୀବ ପଣ୍ଡା । ଏହା ସହ ରାମେଶ୍ୱରରୁ ଚଣ୍ଡିଖୋଲ ଯାଏ ଜାତୀୀୟ ରାଜପଥରେ ସିସିଟିଭି ଲାଗିବ ବୋଲି ସେ ସୂଚନା ଦେଇଛନ୍ତି । ଏଠାରେ ଇଂଟିଗ୍ରେଟେଡ୍ ହାଇୱେ ମେନେଜମେଂଟ ସିଷ୍ଟମ ଲାଗୁ ହେବ । ସେହିପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କ୍ୟାମେରା ଲାଗିବ ।

oneindia.com

ଯେଉଁମାନେ ନିର୍ଦ୍ଧାରିତ ବେଗ ଠାରୁ ଅଧିକ ବେଗରେ ଗାଡ଼ି ଚଳାଇବେ, ହେଲମେଟ ନପିନ୍ଧି ଗାଡ଼ି ଚଳାଇବେ ବା ଟ୍ରାଫିକ ନିୟମ ଉଲଂଘନ କରିବେ, କମ୍ପ୍ୟୁଟର ମାଧ୍ୟମରେ ଅଟୋମେଟିକ ଚାଲାଣ କଟାଯିବ । ଏହାକୁ ପାଇଲଟ ପ୍ରକଳ୍ପ ଭାବେ କରାଯାଉଥିବାର କହିଛନ୍ତି ପରିବହନ କମିଶନର। ଶ୍ରୀ ପଣ୍ଡା କହିଛନ୍ତି ଯେ ୧୮ଟି ଜିଲ୍ଲାରେ ଥିବା ଡ୍ରାଇଭିଂ ଟେଷ୍ଟିଂକୁ କମ୍ପ୍ୟୁଟରାଇଜଡ କରାଯିବ |

ସେହିପରି ଗତ ୪ ମାସରେ ପୁଲିସ ପକ୍ଷରୁ ୧୦ ହଜାର ମଦୁଆ ଡ୍ରାଇଭରଙ୍କୁ ଧରାଯାଇଥିବାବେଳେ ଆରଟିଓ ହାତରେ ୧ ହଜାର ମଦୁଆ ଡ୍ରାଇଭର ଧରାପଡ଼ିଛନ୍ତି | ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଦୁର୍ଘଟଣା କମିଥିବାବେଳେ ଦୁର୍ଘଟଣା ହ୍ରାସ ଓ ଟ୍ରାଫିକ ନିୟନ୍ତ୍ରଣ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଉଥିବାର ପରିବହନ କମିଶନର କହିଛନ୍ତି |

ସମ୍ବନ୍ଧିତ ଖବର