ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା, ମେ ୨ ପରେ ଓଡ଼ିଶାରେ ପ୍ରଭାବ ପଡ଼ିପାରେ

୧୧ସହରରେ ପାରଦ ୪୦ଡିଗ୍ରି ଉପରେ, ଟିଟିଲାଗଡ଼ରେ ୪୩ଡିଗ୍ରିରୁ ଖସୁନି

ଭୁବନେଶ୍ବର: ସାରା ଓଡ଼ିଶା ପ୍ରବଳ ଖରାରେ ଜଳୁଥିବାବେଳେ କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗର ଏବଂ ଭାରତ ମହାସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ଏବେ ଶ୍ରୀଲଙ୍କାର ଦକ୍ଷିଣରେ ୱେଲମାର୍କ ସ୍ଥିତିରେ ଥିବାବେଳେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି। ଏପରିକି ଲଘୁଚାପ ବାତ୍ୟାର ରୂପ ନେଲେ ବି ଏହାର ପ୍ରଭାବ ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପରେ ପଡ଼ିପାରେ। ବର୍ତ୍ତମାନର ଆକଳନ ଅନୁଯାୟୀ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି। ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି ‌େଯ, ଲଘୁଚାପ ଏବେ ସୁଦ୍ଧା ବାତ୍ୟାର ରୂପ ନେଇନି। ଏହା ବାତ୍ୟାର ରୂପ ନେଲେ ଏପ୍ରିଲ ୨୯ରୁ ୩୦ତାରିଖ ଭିତରେ ତାମିଲନାଡୁ ଉପକୂଳରେ ବର୍ଷା ହେବ। ଏହାଯଦି ପଶ୍ଚିମ ଦିଗରେ ଗତି କରିବ ତେବେ ତାମିଲନାଡୁରେ ମାଡ଼ ହେବ। ଉତ୍ତର ପଶ୍ଚିମ ଦିଗରେ ଗତି କଲେ ବାତ୍ୟାର ପ୍ରଭାବ ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପରେ ପ୍ରଭାବ ପଡ଼ିବ। ତାମିଲନାଡୁରେ ବାତ୍ୟା ମାଡ଼ ହେଲେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବାର ନାହିଁ। କିନ୍ତୁ ଆନ୍ଧ୍ରପ‌େଦଶ ଉପକୂଳ ଛୁଇଁଲେ ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ। ସେହିପରି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି ଯେ, ଲଘୁଚାପ ଏବେ ବାତ୍ୟା ରୂପ ନେଇନି। ତେଣୁ ଏବେଠୁ ଏହାର ଗତି ଓ ସ୍ଥିତି ନେଇ ଆକଳନ କରିବା କଷ୍ଟକର। ଏହା ବାତ୍ୟାର ରୂପ ନେବ ବୋଲି ଦେଖାଯାଉଥିବାରୁ ଏପ୍ରିଲ ୩୦ ଓ ମେ ୧ତାରିଖରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡୁରେ ବର୍ଷା ହେବ। ମେ ୪ତାରିଖରେ ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳରେ ବର୍ଷା ହୋଇପାରେ।

ଅପରପକ୍ଷେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଶୁକ୍ରବାର ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ତାପାମାତ୍ରା ଅଧିକ ରହିବ। ଶନିବାରଠାରୁ କିନ୍ତୁ ୨ରୁ ୩ଡିଗ୍ରି ତାପମାତ୍ରା କମିଯିବ। ୨ତାରିଖଯାଏଁ ସ୍ଥିତି ଅପରିବର୍ତ୍ତିତ ରହିବ। ୩ତାରିଖରୁ ପାଗରେ ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶ୍ରୀଲଙ୍କାର ଉତ୍ତର ଦିଗ ଦେଇ ତାମିଲନାଡୁ ଆଡକୁ ଅଗ୍ରସର ହେବ। ଏହା ବାତ୍ୟାର ରୂପ ନେଲେ ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପରେ ଏହାର ପ୍ରଭାବ ପଡ଼ିବ। କିନ୍ତୁ ମେ ଦୁଇ-ତିନି ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରିରେ ବର୍ଷା ହେବ। କେନ୍ଦ୍ରୀୟ ଉପକୂଳରେ ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ାରେ ହାଲୁକା ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ। କିନ୍ତୁ ଏବେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବଢ଼ିବ। ୨ତାରିଖ ବେଳକୁ ତାପମାତ୍ରା କମିଲେ ବି ୪୦ଡିଗ୍ରି ପାଖାପାଖି ରହିବ। ସେହିପରି ବାତ୍ୟା ୨ତାରିଖ ବେଳକୁ ତାମିଲନାଡୁ ଉପକୂଳ ନିକଟବର୍ତ୍ତୀ ହେଲେ ହିଁ ଓଡ଼ିଶା ଉପରେ ଏହାର କି ପ୍ରଭାବ ପଡ଼ିବ ତାହା ଜଣାପଡ଼ିବ। ଅପରପକ୍ଷେ ଭୁବନେଶ୍ବର ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ରାଜ୍ୟର ୧୧ଟି ସ୍ଥାନରେ ପାରଦ ୪୦ଡିଗ୍ରି ଉପରେ ରହିଛି। ଟିଟିଲାଗଡ଼ରେ ଆଜି ଦ୍ବିତୀୟ ଦିନ ପାଇଁ ପାରଦ ୪୩.୫ଡିଗ୍ରି ଛୁଇଁଛି। ଚଳିତବର୍ଷ ଅଧିକାଂଶ ଦିନ ଟିଟିଲାଗଡରେ ପାରଦ ୪୩ଡିଗ୍ରି ଉପରେ ରହୁଥିବା ଦେଖିବାକୁ ମିଳୁଛି।

ସେହିପରି ଆଜି ଅନୁଗୁଳରେ ୪୦.୧, ଝାରସୁଗୁଡ଼ାରେ ୪୨.୪, ସମ୍ବଲପୁରରେ ୪୧.୬, ସୁନ୍ଦରଗଡ଼ରେ ୪୧, ହୀରାକୁଦରେ ୪୧.୨, ଭବାନିପାଟଣାରେ ୪୧.୮, ବଲାଙ୍ଗୀରରେ ୪୨.୫, ଫୁଲବାଣୀରେ ୪୦.୮, ମାଲକାନଗିରିରେ ୪୨.୫ ଏବଂ ସୋନପୁରରେ ୪୦.୨ଡିଗ୍ରି ଛୁଇଁଛି। ଗତ ୨୪ଘଣ୍ଟା ମଧ୍ୟରେ କୌଣସି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ହୋଇନାହିଁ କି ହେବାର ସମ୍ଭାବନା ବି ନାହିଁ।

ସମ୍ବନ୍ଧିତ ଖବର