ସଚିବାଳୟରୁ ବାହାରିବ ୧୧ ବିଭାଗ : ବହୁ ନିର୍ଦ୍ଦେଶାଳୟର ଠିକଣା ବଦଳିବ, ନୂଆ ନ’ତାଲାକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି

ତୋଷାଳି ଭବନକୁ ଆସିବ ସବୁ କମିସନଙ୍କ କାର୍ଯ୍ୟାଳୟ

ଭୁବନେଶ୍ୱର : ଖୁବ୍‌ଶୀଘ୍ର ସଚିବାଳୟରୁ ୧୧ଟି ବିଭାଗ ବାହାରିବ। ଏଥିରୁ ୧୦ଟି ବିଭାଗ ନିର୍ମାଣ ସୌଧ ସମ୍ମୁଖରେ ନିର୍ମାଣ ହେଉଥିବା ନୂଆ ନ’ତାଲା ତଥା ବହୁତଳ କୋଠାକୁ ସ୍ଥାନାନ୍ତର କରାଯିବ। ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ନୂଆ ନ’ତାଲା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତା ଜୁଲାଇ ମାସରେ ଏହା ଉଦ୍‌ଘାଟନ ହେବ। ଏହାପରେ ବିଭାଗଗୁଡ଼ିକ ସଂପୂର୍ଣ୍ଣ ଭାବେ ସ୍ଥାନାନ୍ତର ହୋଇଯିବ ବୋଲି ଜଣାପଡ଼ିଛି।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ସଚିବାଳୟରେ ଥିବା ବାଣିଜ୍ୟ ଓ ପରିବହନ ବିଭାଗ, ଅବକାରୀ, ସଂସ୍କୃତି, ପର୍ଯ୍ୟଟନ, ଏମ୍‌ଏସ୍‌ଏମ୍‌ଇ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା, ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି, ସମବାୟ ବିଭାଗ, ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗକୁ ନୂଆ ନ’ତାଲାକୁ ସଂପୂର୍ଣ୍ଣ ସ୍ଥାନାନ୍ତର କରାଯିବ। ଏହାସହ କ୍ୟାପିଟାଲ ହସ୍ପିଟାଲ ନିକଟରେ କାର୍ଯ୍ୟ କରୁଥିବା ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗକୁ ବି ଏଠାକୁ ସ୍ଥାନାନ୍ତର କରାଯିବ। କୃଷି ବିଭାଗ କୃଷି ଭବନକୁ ଉଠି ଆସିବ। କୌଣସି ବିଭାଗ ଆଂଶିକ ଭାବେ ସ୍ଥାନାନ୍ତର କରାଯିବନି। ଗୋଟିଏ ଛାତ ତଳେ ଗୋଟିଏ ବିଭାଗର ବିଭିନ୍ନ କାର୍ଯ୍ୟାଳୟ ରହିବ ଓ ଅଧିକାରୀ ବସିବେ। ନୂଆ ନ’ତାଲା ବର୍ତ୍ତମାନର ସଚିବାଳୟର ଆନେକ୍ସ ବିଲଡିଂ ଭାବେ କାର୍ଯ୍ୟ କରିବ। ବର୍ତ୍ତମାନର ସଚିବାଳୟରେ ଗୃହ, ଅର୍ଥ, ସାଧାରଣ ପ୍ରଶାସନ, ଆଇନ୍‌, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଭଳି ବିଭାଗଗୁଡ଼ିକ ରହିବ। ପରବର୍ତ୍ତୀ ସମୟରେ ଆବଶ୍ୟକ ପଡ଼ିଲେ କେତୋଟି ଛୋଟ ବିଭାଗକୁ ନୂଆ ନ’ତାଲାକୁ ସ୍ଥାନାନ୍ତର କରାଯାଇପାରେ। ସଚିବାଳୟରୁ ବିଭିନ୍ନ ବିଭାଗ ସ୍ଥାନାନ୍ତର ହେବା ପରେ ଯେତେ ରୁମ୍‌ ଖାଲି ପଡ଼ିବ ସେଥିରୁ ୭ରୁ ୮ଟି ରୁମ୍‌ ବିଭିନ୍ନ ବୋର୍ଡର ଅଧ୍ୟକ୍ଷ ଏବଂ ନିଗମର କାର୍ଯ୍ୟାଳୟ ପାଇଁ ରହିବ। ଯାହାକୁ ଜରୁରୀକାଳୀନ ସ୍ଥିତିରେ ଆବଣ୍ଟନ କରାଯିବ। ବାଣିଜ୍ୟ ଓ ପରିବହନ ବିଭାଗ ସଚିବାଳୟରୁ ବାହାରିଲେ ଏଠାରେ ମନ୍ତ୍ରୀ କରିଡର କରାଯିବ। ବର୍ତ୍ତମାନ ଦୁଇଟି ମହଲାରେ ମନ୍ତ୍ରୀ କରିଡର କାର୍ଯ୍ୟ କରୁଥିବାବେଳେ ଏହାକୁ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ହୋଇଛି। ସଚିବାଳୟରୁ ଉପରୋକ୍ତ ୧୦ଟି ବିଭାଗ ବାହାରି ଆସିଲେ ସେଠାରେ ବାକି ବିଭାଗଗୁଡ଼ିକର ସମ୍ପ୍ରସାରିତ କାର୍ଯ୍ୟାଳୟ ରହିବ।

ସେହିପରି ରାଜଧାନୀ ଏବଂ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ଭିନ୍ନ ଭିନ୍ନ କମିସନଙ୍କ କାର୍ଯ୍ୟାଳୟ ଏବଂ ସ୍ୱୟଂଶାସିତ ସଂସ୍ଥାକୁ ତୋଷାଳି ଭବନକୁ ଅଣାଯିବ। ଏହାବାଦ୍‌ ରାଜଧାନୀରେ ବିଭିନ୍ନ ସ୍ଥାନରେ ଥିବା କେତୋଟି ବିଭାଗକୁ ତୋଷାଳି ଭବନକୁ ଆଣିବାକୁ ନିଷ୍ପତ୍ତି ହୋଇଛି। ବାକି କିଛି ବିଭାଗକୁ ସରକାରୀ କ୍ୱାର୍ଟର୍ସରେ କାର୍ଯ୍ୟ କରିବାକୁ ଦିଆଯିବ। ନିଷ୍ପତ୍ତି ଅନୁଯାୟୀ, ଓଡ଼ିଶା ଭାଷା ପ୍ରତିଷ୍ଠାନକୁ ତୋଷାଳି ଭବନକୁ ଅଣାଯିବ। ନଚେତ୍‌ ଅନ୍ୟତ୍ର କେଉଁଠିକୁ ସ୍ଥାନାନ୍ତର କରାଯିବ। ଓଡ଼ିଶା ରିଅଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟିକୁ ତୋଷାଳି ଭବନକୁ ସ୍ଥାନାନ୍ତର କରାଯିବ।

ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟକ୍ଷମ ଥିବା କୃଷି ନିର୍ଦ୍ଦେଶାଳୟକୁ କୃଷି ଭବନକୁ ସ୍ଥାନାନ୍ତର କରାଯିବ। ଏହାସହ ରାଜଧାନୀରେ ଥିବା କୃଷି ବିଭାଗର ସମସ୍ତ ନିର୍ଦ୍ଦେଶାଳୟ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ ରହିବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଥିବା ମାଇନର୍‌ ମିନେରାଲ୍‌ସ ନିର୍ଦ୍ଦେଶାଳୟକୁ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ତଥା ଏବେକାର ନ’ତାଲାକୁ ଅଣାଯିବ। ହସ୍ତକଳା ଏବଂ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟକୁ ତୋଷାଳି ଭବନରେ ସ୍ଥାନ ଦେବାକୁ ନିଷ୍ପତ୍ତି ହୋଇଥିଲେ ହେଁ ଏହାକୁ ଗଣ୍ଡମୁଣ୍ଡା ସ୍ଥିତ ବୟନ ଓ ହସ୍ତ ଶିଳ୍ପ ସଂଗ୍ରହାଳୟକୁ ସ୍ଥାନାନ୍ତର ହେବ।

ନୂଆ ନ’ତାଲାକୁ ଆଉ ଏକ ରାସ୍ତା ଏବଂ ପାଚେରି ନିର୍ମାଣ ଏବଂ ଏହା ନିକଟରେ ଆଉ ଏକ ନ’ତାଲା ଏବଂ ଏଗାର ତାଲା କୋଠା ନିର୍ମାଣ ପାଇଁ କେତୋଟି ସରକାରୀ କାର୍ଯ୍ୟାଳୟ ଉଚ୍ଛେଦ କରାଯିବ। ସେଗୁଡ଼ିକ ହେଲା ଅନୁସୂଚିତ ଜାତି ଓ ଜନଜାତି ନିୟୋଜନ, ରାଜ୍ୟ ନିୟୋଜନ କାର୍ଯ୍ୟାଳୟ, ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ଭିନ୍ନକ୍ଷମ ନିୟୋଜନ କାର୍ଯ୍ୟାଳୟ, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଥିବା କୋଚିଂ କମ୍‌ ଗାଇଡାନ୍ସ ସେଣ୍ଟର, ଓଡ଼ିଶା କାଉନସିଲ୍‌ ଅଫ୍‌ ମେଡିକାଲ ରେଜିଷ୍ଟ୍ରେସନ୍‌କୁ ତୋଷାଳି ଭବନକୁ ସ୍ଥାନାନ୍ତର କରାଯିବ। ଏଠାରେ ଥିବା ବିଭିନ୍ନ ଇଞ୍ଜିନିୟରିଂ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ସୂଚନା ଓ ଲୋକ ସମ୍ପର୍କ ବିଭାଗର ଷ୍ଟୋର୍‌ ଘରକୁ ତୁରନ୍ତ ଖାଲି କରିବାକୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ନୂଆ ନ’ତାଲାକୁ ସ୍ଥାନାନ୍ତର ହେବା ପାଇଁ ପ୍ରାୟ ୧୫ଟି ବିଭାଗ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଥିଲେ। ଏପରିକି କେତୋଟି ବିଭାଗ ସ୍ଥାନାନ୍ତର ହେବେନି ବୋଲି ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଜଣାଇଥିଲେ। ଯେଉଁଥିପାଇଁ ମୁଖ୍ୟ ଶାସନ ସଚିବ ଅଡ଼ୁଆରେ ପଡ଼ିଯାଇଥିଲେ। ବହୁ ଆଲୋଚନା ପରେ ଏହି ଆବଣ୍ଟନ ହୋଇଛି।

ସୂଚନାଯୋଗ୍ୟ ଯେ, ପ୍ରାୟ ତିନି ଏକର ଜମିରେ ନୂଆ ନ’ତାଲା ବିଲଡିଂ ନିର୍ମାଣ ହୋଇଥିବାବେଳେ ମାସକ ମଧ୍ୟରେ ନିର୍ମାଣ ସରିବ। ଉଦ୍‌ଘାଟନ ହେବାର ଦୁଇ ସପ୍ତାହ ପୂର୍ବରୁ ଏହାର ବାହାର ପାର୍ଶ୍ୱରେ ରଙ୍ଗ ଦିଆଯିବ। ଏବେ ଇଣ୍ଟେରିୟର ଡିଜାଇନ୍‌ ଏବଂ ଚୂଡ଼ାନ୍ତ ରୂପ ଦେବା କାର୍ଯ୍ୟ ହେଉଛି। ଏଠାରେ ବେସ୍‌ମେଣ୍ଟ, ଗ୍ରାଉଣ୍ଡ ଫ୍ଲୋର୍‌ ଓ ୮ ମହଲା ବିଲଡିଂ ନିର୍ମାଣ ହୋଇଛି। ବେସ୍‌ମେଣ୍ଟ ଓ ଗ୍ରାଉଣ୍ଡ ଫ୍ଲୋର୍‌ ପାର୍କିଂ ପାଇଁ ରହିଛି। ବାକି ୮ଟି ମହଲାରେ ବିଭିନ୍ନ ସରକାରୀ କାର୍ଯ୍ୟ ହେବ। ପ୍ରତି ଫ୍ଲୋର୍‌ରେ ୩୩୦୦ ବର୍ଗଫୁଟ ଅଞ୍ଚଳ ରହିଛି। ଏହିପରି ମୋଟ୍‌ ୩୦ ହଜାର ବର୍ଗଫୁଟରେ ଏହି ନୂଆ ବିଲଡିଂ ନିର୍ମାଣ ହୋଇଛି। ପ୍ରତି ଫ୍ଲୋର୍‌ରେ ବଡ଼ ଓ ଛୋଟ୍‌ ହଲ୍‌ ରହିଛି। ପୁରୁଣା ନ’ତାଲା ଭଳି ଏହାର ଡିଜାଇନ୍‌ ପ୍ରାୟ ସମାନ ରହିଛି। ପ୍ରତି ଫ୍ଲୋର୍‌ରେ ସମ୍ମିଳନୀ କକ୍ଷ ରହିଛି। ସେହିଭଳି ପାର୍କିଂ ପାଇଁ ସଂରକ୍ଷିତ ସ୍ଥାନରେ ୩୦୦ କାର୍‌ ଏବଂ ପ୍ରାୟ ୧ହଜାର ବାଇକ୍‌ ପାର୍କିଂ ହୋଇପାରିବ। ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା, ଭୂମିକମ୍ପ ପ୍ରତିରୋଧକ ବ୍ୟବସ୍ଥା, ଭବିଷ୍ୟତରେ ସୌର ଶକ୍ତି ବ୍ୟବହାର ବ୍ୟବସ୍ଥା ହୋଇପାରିବ ଭଳି ଯୋଜନା ହୋଇଛି।

ସେହିପରି ଏହି ବିଲଡିଂ କାର୍ଯ୍ୟକ୍ଷମ ହେବା ପରେ ଏହା ନିକଟରେ ଗୋଟିଏ ନ’ତାଲା ଏବଂ ଏଗାର ତାଲା ବିଲଡିଂ ନିର୍ମାଣ ହେବ। ମୋଟ୍‌ ୮.୩ ଏକର ଜମିେରେ ଏହାର ନିର୍ମାଣ କାର୍ଯ୍ୟ ହେବ। ମୋଟ୍‌ ୧ଲକ୍ଷ ବର୍ଗଫୁଟ ଅଞ୍ଚଳରେ ତିନିଟି ଯାକ ବିଲଡିଂ ନିର୍ମାଣ ହେବ। ତିନିଟି ଯାକ ବିଲଡିଂ ନିର୍ମାଣ ଶେଷ ହେବା ପରେ ରାଜଧାନୀର ସମସ୍ତ ସରକାରୀ କାର୍ଯ୍ୟାଳୟ ଏହିଠାରୁ ହିଁ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର