୧୧ ଡାକ୍ତରଙ୍କୁ ପଦୋନ୍ନତି

ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ଖୋଲିବ ପିଜି ସିଟ୍‌

କଟକ : ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ନୂଆ ପିଜି ସିଟ୍‌ ଖୋଲିବାକୁ କର୍ତ୍ତୃପକ୍ଷ ପଦକ୍ଷେପ ନେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ବିଭାଗ ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି। ସେଥିପାଇଁ କେନ୍ଦ୍ରର ୧୧ଜଣ ଡାକ୍ତରଙ୍କୁ ପଦୋନ୍ନତି ଦିଆଯାଇଛି। ପିଜି ଖୋଲା ସରିଥିବା ଅଙ୍କୋ ସର୍ଜରୀ ବିଭାଗରେ ଡାକ୍ତର ପି.କେ ଦାସଙ୍କୁ ପ୍ରଫେସର ଓ ଡାକ୍ତର ସ୍ୱଦୀପ ମହାନ୍ତି ଓ ଡାକ୍ତର କୁନାଲ ଗୌତମଙ୍କୁ ଆସୋସିଏଟ୍‌ ପ୍ରଫେସର ପଦକୁ ପଦୋନ୍ନତି ଦିଆଯାଇଛି। ସେହିପରି ଗାଇନିକ୍‌ ଅଙ୍କୋଲୋଜିରେ ଡାକ୍ତର ଭାଗ୍ୟଲକ୍ଷ୍ମୀ ନାୟକଙ୍କୁ ଆସୋସିଏଟ୍‌ ପ୍ରଫେସର ଭାବେ ପଦୋନ୍ନତି ଦିଆଯାଇ ଖାଲି ସ୍ଥାନ ପୂରଣ କରାଯାଇଛି।

ଆଗକୁ ପିଜି ପାଇଁ ଖୋଲାଯିବାକୁ ଥିବା ହେଡ୍‌ ଆଣ୍ଡ୍‌ ନେକ୍‌ ଅଙ୍କୋଲୋଜି ବିଭାଗରେ ଡାକ୍ତର ପି.କେ. ପାଠୀଙ୍କୁ ପ୍ରଫେସର ଓ ଡାକ୍ତର ସଂଜୟ ପଣ୍ଡାଙ୍କୁ ଆସୋସିଏଟ୍‌ ପ୍ରଫେସର ପଦକୁ ପଦୋନ୍ନତି ମିଳିଛି। ସେହିପରି ଅଙ୍କୋ ପାଥୋଲୋଜିରେ ଡାକ୍ତର ସାଗରିକା ସାମନ୍ତରାୟଙ୍କୁ ପ୍ରଫେସର, ଡାକ୍ତର ସସ୍ମିତା ପଣ୍ଡା ଆସୋସିଏଟ୍‌ ପ୍ରଫେସର ପାହ୍ୟାକୁ ଉନ୍ନୀତ ହୋଇଛନ୍ତି। ରେଡିଏସନ୍‌ ଫିଜିକ୍ସର ଆସୋସିଏଟ୍‌ ପ୍ରଫେସର ଡାକ୍ତର ପି.କେ. ହୋତାଙ୍କୁ ପ୍ରଫେସର, ରେଡିଏସନ୍‌ ଅଙ୍କୋଲୋଜିରେ ଆସୋସିଏଟ୍‌ ପ୍ରଫେସର ଡାକ୍ତର ନିହାରିକା ପଣ୍ଡାଙ୍କୁ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଲୁସି ପଟ୍ଟନାୟକଙ୍କୁ ଆସୋସିଏଟ୍‌ ପ୍ରଫେସର ପଦକୁ ପଦୋନ୍ନତି ମିଳିଛି।

ଗଭର୍ଣ୍ଣିଂ ବଡି ନିଷ୍ପତ୍ତି ଅନୁଯାୟୀ, ଅନ୍ୟତମ ବିଭାଗ ମେଡିକାଲ୍‌ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିରେ ପିଜି ପାଠ୍ୟକ୍ରମ ଆରମ୍ଭ କରିବାକୁ ଆବଶ୍ୟକ ଡାକ୍ତର ନିଯୁକ୍ତି କରାଇବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସରକାର ତର୍ଜମା କରିବା ପରେ ଏଠାରେ ପଦବି ସୃଷ୍ଟି କରାଗଲେ ଡାକ୍ତର ନିଯୁକ୍ତି ହେବେ। ଏହାପରେ ପିଜି ସିଟ୍‌ ପାଇଁ ରାଜ୍ୟ ସରକାର ଅନୁମତି ଦେବା ପରେ ଭିତ୍ତିଭୂମି ନିର୍ମାଣ କରାଯିବ। ଶେଷରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ଓ ଏମ୍‌ସିଆଇର ଅନୁମତି ମିଳିବା ପରେ ପିଜି ପାଠ୍ୟକ୍ରମ ଆରମ୍ଭ କରିବା ସମ୍ଭବ ହେବ ବୋଲି ଡିନ୍‌ ପ୍ରଫେସର ଡାକ୍ତର ନିରଂଜନ ରାଉତ କହିଛନ୍ତି। ପ୍ରଥମରୁ ୨୦୧୪ ମସିହାରେ ଏହି କେନ୍ଦ୍ରରେ ପିଜି ପାଠ୍ୟକ୍ରମ ଆରମ୍ଭ କରାଯିବା ନେଇ ଯୋଜନା ପ୍ରସ୍ତୁତ ହୋଇଥିଲା। ହେଲେ ୩ବର୍ଷ ପରେ ଅର୍ଥାତ୍‌ ୨୦୧୭ରେ ଅଙ୍କୋ ସର୍ଜରୀ ଓ ଗାଇନିକ୍‌ ଅଙ୍କୋଲୋଜିରେ ଦୁଇଟି ଲେଖାଏଁ ପିଜି ସିଟ୍‌ ଖୋଲିଥିଲା। ଗତବର୍ଷଠୁ କେନ୍ଦ୍ରରେ ୨୦ ସିଟ୍‌ରେ ଡିଏମ୍‌ଏଲ୍‌ଟି ପାଠ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି। ତେଣୁ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଏହାକୁ ପରିଣତ କରିବାକୁ ଏହା ଏକ ପ୍ରୟାସ ବୋଲି ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର