ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହିତ ବଜ୍ରପାତରେ ୧୧ ମୃତ

ଭୁବନେଶ୍ୱର/ନିମାପଡ଼ା/ଖୋର୍ଦ୍ଧା : ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାରୁ ଅତିକମ୍‌ରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଯାଜପୁର ଜିଲ୍ଲାର ୨ ଗୋରୁ ଚରାଳି ଓ କେନ୍ଦ୍ରାପଡ଼ାରେ ଦୁଇ ଦାଦା-ପୁତୁରା। ମୃତକଙ୍କ ମଧ୍ୟରୁ ଅନ୍ୟ ୨ ଜଣ ହେଲେ ଖୋର୍ଦ୍ଧା, ନିମାପଡ଼ାର ଓ କେନ୍ଦୁଝର ପାଟଣାର ୩ ଜଣ ଚାଷୀ। ସେହିଭଳି, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ୪ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଯାଜପୁର ବ୍ଲକ୍‌ ଯମଧର ଗ୍ରାମର ରବି ମହାକୁଡ(୫୦) ଓ ଏହି ଅଞ୍ଚଳ ରେକି ବଜାର ଗ୍ରାମର ନୀଳମଣି ଦାସଙ୍କ ପୁଅ ଭରତ(୨୬)ଙ୍କର ବଜ୍ରପାତରେ ମୃତ୍ୟୁ ହୋଇଯାଇଛି। ରବି ଓ ଭରତ ଜମଧର ପାଟରେ ଗୋରୁ ଚରାଉଥିବା ବେଳେ ବଜ୍ରପାତ ହେବାରୁ ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ଏହି ଗଛ ତଳେ ୪ ଜଣ ଥିବାବେଳେ ପୁଣିଥରେ ବଜ୍ରପାତ ହୋଇଥିଲା। ଫଳରେ, ରବି ଓ ଭରତଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ।

କେନ୍ଦ୍ରାପଡ଼ାରେ କାଳବୈଶାଖୀ ଓ ଲଘୁଚାପ ବର୍ଷା ବେଳେ ବଜ୍ରପାତ ଦୁଇ ଭାଇଙ୍କ ଜୀବନ ନେଇଛି। ଏହି ଘଟଣାରେ ୨ ଜଣ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ବଜ୍ରପାତରେ ପ୍ରାଣ ହରାଇଥିବା ଦୁଇ ସଂପର୍କୀୟ ଭାଇ ହେଲେ କୋରୋ ପଞ୍ଚାୟତର ତନାର ଗ୍ରାମର ହିମାଂଶୁ ଗାହାଣ(୨୪) ଓ ତାଙ୍କ ଦାଦା ପୁଅ ଭାଇ ସୁଧାଂଶୁ (୨୫)। ଦୁଇ ଭାଇଙ୍କ ଅକାଳ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ସେହିଭଳି, ବଜ୍ରପାତ ଯୋଗୁ ୩ ଜଣ ଚାଷୀଙ୍କର ମୃତ୍ୟୁ ହୋଇଛି। ସେମାନେ ହେଲେ, ଖୋର୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ କୋଚିଆଖାଲ ଗ୍ରାମର ଦୁର୍ଯ୍ୟୋଧନ ସାମନ୍ତରାୟଙ୍କ ପୁଅ ଦିଲ୍ଲୀପ ସାମନ୍ତରାୟ (୫୨), ନିମାପଡ଼ା ଥାନା ଅନ୍ତର୍ଗତ ଧନୁଆ ପଞ୍ଚାୟତ ଶୁନୁଗୋରଡ଼ି ଗ୍ରାମର ବ୍ରଜବନ୍ଧୁ ଭୋଇ(୫୦), ଓ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ଭାଲିଆଡାଳ ଗ୍ରାମର ଯୁବ ଚାଷୀ ଈଶ୍ୱର ଦଳଦାସିଆ (୨୫)।

ଅନ୍ୟ ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନେ ହେଲେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଗୋବରଘାଟା ଗାଁର ଶିବ ମଲ୍ଲିକଙ୍କ ଝିଅ ସୁଷମା (୨୦) ଓ ଖନ୍ତାପଡ଼ା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନରହରିପୁର ଗାଁର ନରୋତ୍ତମ ଷଡ଼ଙ୍ଗୀ (୫୮); କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳର ଧରଣୀଧର ନାଏକ (୪୫); ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍‌ ଅନ୍ତର୍ଗତ ପୁରୁଣାପାଣି ପଞ୍ଚାୟତ ଦାଣ୍ଡବୋଷ ଗ୍ରାମର କାରୁ ହେମ୍ବ୍ରମ୍‌ଙ୍କ ସ୍ତ୍ରୀ ପାନବତୀ ହେମ୍ବ୍ରମ୍‌ (୨୮)।

ଅନ୍ୟପକ୍ଷରେ, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଅନ୍ତର୍ଗତ ବ୍ଲକ ପଣ୍ଡିକୋଟ ଗ୍ରାମର ଗ୍ରାମଦେବୀ ମନ୍ଦିର ନିକଟରେ ବଜ୍ରାଘାତ ଘଟି ୫ଜଣ ଆହତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର