ଓମ୍‌ବାଡ୍‌ସିରୁ ୧୧ ପ୍ରକଳ୍ପ ପାଇଁ ୩୫୪୦ କୋଟି ମଞ୍ଜୁର

୯ଟି ଜିଲ୍ଲାରେ କରାଯିବ ପୁଷ୍ଟିକର ଓ ଶିଶୁ ମୃତ୍ୟୁହାର ହ୍ରାସ କାର୍ଯ୍ୟକ୍ରମ

ଭୁବନେଶ୍ୱର : ରାଜ୍ୟର ଖଣିଜ ସଂପଦଭରା ୯ଟି ଜିଲ୍ଲାରେ ଉନ୍ନୟନ କାର୍ଯ୍ୟ ପାଇଁ ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ନିଗମ ବା ଓମ୍‌ବାଡ୍‌ସି ପାଣ୍ଠି ସୃଷ୍ଟି ହୋଇଛି। ଆଜି ୧୧ଟି ପ୍ରକଳ୍ପ ପାଇଁ ଏହି ପାଣ୍ଠିରୁ ମଞ୍ଜୁର ହୋଇଛି ୩୫୪୦ କୋଟି। ଏହି ଅର୍ଥରେ ୯ଟି ଯାକ ଜିଲ୍ଲାରେ ଶିଶୁଙ୍କ ପୁଷ୍ଟିକର ସ୍ଥିତିରେ ଉନ୍ନତି, ଜୀବିକା ଅର୍ଜନ, ଶିଶୁ ମୃତ୍ୟୁହାର ହ୍ରାସ କାର୍ଯ୍ୟକ୍ରମ, ଯୋଡ଼ାରେ ଫ୍ଲାଏ-ଓଭରବ୍ରିଜ୍‌ ପ୍ରକଳ୍ପ ଆଦି କରାଯିବ ବୋଲି ଚୂଡ଼ାନ୍ତ ହୋଇଛି।

ଆଜି ସଚିବାଳୟରେ ଓମ୍‌ବାଡ୍‌ସିର ନିର୍ଦେଶକ ପରିଷଦର ବୈଠକ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଓମ୍‌ବାଡ୍‌ସି ମୁଖ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଉମା ନନ୍ଦୁରୀ ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମ ସଂପର୍କରେ ଉପସ୍ଥାପନା କରିଥିଲେ। ସୂଚନାନୁସାରେ ଓମ୍‌ବାଡ୍‌ସି ପାଣ୍ଠିରୁ ୧୧ଟି ପ୍ରକଳ୍ପ ପାଇଁ ୩୫୪୦ କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାର ଗ୍ରାମାଞ୍ଚଳରେ ପାଇପ ଯୋଗେ ବୃହତ୍‌ ଜଳଯୋଗାଣ ଯୋଜନା, ସବୁ ଖଣିଜ ଜିଲ୍ଲାରେ ମତ୍ସ୍ୟ ଉତ୍ପାଦନ ମାଧ୍ୟମରେ ଜୀବିକା ଅର୍ଜନ କ୍ଷମତା ବୃଦ୍ଧି, ସମନ୍ଵିତ ଶିଶୁ ବିକାଶ ଯୋଜନା, ଜଳଚ୍ଛାୟା, ଜଳ ସଂରକ୍ଷଣ, ଭୂତଳ ଜଳ ସ୍ତର ବୃଦ୍ଧି, ବନୀକରଣ, ସହରାଞ୍ଚଳ ଆର୍ଦ୍ରଭୂମିଗୁଡ଼ିକର ଉନ୍ନତୀକରଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଆଦି।

ଓଡ଼ିଶା ଜୀବିକା ମିସନର ସହଯୋଗରେ ଜୀବିକା ଅର୍ଜନ କାର୍ଯ୍ୟକ୍ରମ କରିବା ପାଇଁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ। ଶିଶୁଙ୍କ ପୁଷ୍ଟିକର ସ୍ଥିତିରେ ଉନ୍ନତି ଆଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ନୂଆ କାର୍ଯ୍ୟକ୍ରମ ସ୍ଥିର କରିବାକୁ ମଧ୍ୟ ସେ କହିଥିଲେ। କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ଖଣିଜ ଅଞ୍ଚଳରେ ନିୟମିତ ରୂପେ ପାଣିରେ ଲୁହା ଭାଗର ପରୀକ୍ଷା କରି ବିହିତ ପଦକ୍ଷେପ ନେବାକୁ ଗ୍ରାମ୍ୟ ଜଳ ଓ ପରିମଳ ଏବଂ ଜନସ୍ୱାସ୍ଥ୍ୟ ସଂସ୍ଥାଗୁଡ଼ିକୁ ମଧ୍ୟ ନିର୍ଦେଶ ଦେଇଥିଲେ ଶ୍ରୀ ପାଢ଼ୀ। କେନ୍ଦୁଝରର ଯୋଡ଼ାରେ ୨୨୯.୭୧ କୋଟି ଟଙ୍କା ବ୍ୟୟ ଅଟକଳରେ ଫ୍ଲାଏ-ଓଭରବ୍ରିଜ୍‌ ନିର୍ମାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ବୈଠକ ପରେ ଓମ୍‌ବାଡ୍‌ସି ସିଇଓ କହିଲେ ଯେ ଏହି ପାଣ୍ଠିରୁ ରାଜ୍ୟର ୯ଟି ଖଣିଜ ଜିଲ୍ଲା ଯଥା: କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ଢେଙ୍କାନାଳ, ଝାରସୁଗୁଡ଼ା, ଅନୁଗୁଳରେ ପ୍ରାୟ ୧୦୦୦ କୋଟିର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।

ସମ୍ବନ୍ଧିତ ଖବର