କରୋନା: ଆଜି ପରୀକ୍ଷା ହୋଇଥିବା ୨୧୩ ସ୍ୱାବ ନମୁନା ନେଗେଟିଭ, ନିଜାମୁଦ୍ଦିନ୍ ଫେରନ୍ତା ୧୯ ଜଣଙ୍କ ନମୁନା ବି ନେଗେଟିଭ

ଭୁବନେଶ୍ୱର: କରୋନା ଭାଇରସ ପାଇଁ ଆଜି ପରୀକ୍ଷା କରାଯାଇଥିବା ସମସ୍ତ ନମୁନା ରିପୋର୍ଟ ନେଗେଟଭ୍ ଆସିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଓଡ଼ିଶାରୁ ଦିଲ୍ଲୀ ନିଜାମୁଦ୍ଦିନ୍ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିବା ୨୭ଜଣଙ୍କ ମଧ୍ୟରୁ ୧୯ ଜଣଙ୍କର ନମୁନା ନେଗେଟିଭ ଆସିଛି।

ଆଜି ମୋଟ ୨୧୩ଟି ସ୍ୱାବ ନମୁନା ପରୀକ୍ଷା କରାଯାଇଥିଲା । ଆରଏମଆରସିରେ ୧୭୬, ଏମ୍ସରେ ୨୭ ଓ ଏସସିବିରେ ୧୦ଟି ପରୀକ୍ଷା କରାଯାଇଥିଲା । ଏଗୁଡ଼ିକ ସବୁ ନେଗେଟିଭ ଆସିଛି । ଏପର୍ଯ୍ୟନ୍ତ ରାଜ୍ୟରେ ୧ ହଜାର ୧୧୩ଟି ସ୍ୱାବ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୫ଟି ପଜିଟିଭି ଆସିଛି ।

ଦିଲ୍ଲୀ ଆଇସିଏମଆରକୁ  ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ, ବୁର୍ଲାସ୍ଥିତ ଭୀମସାର ଓ ରାଉରକେଲା ଆଇଜିଏଚରେ କୋଭିଡ-୧୯ ସ୍ୱାବ ନମୁନା ପରୀକ୍ଷା ପାଇଁ  ଅନୁମତି ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି  । ଏଥି ପାଇଁ ଖୁବ ଶୀଘ୍ର ୫୦ ହଜାର କିଟ୍ସ ଯୋଗାଇ ଦେବାକୁ ମଧ୍ୟ କୁହାଯାଇଛି ।

କେନ୍ଦ୍ର ସରକାରଙ୍କ କ୍ୟାବିନେଟ ସଚିବଙ୍କ ପରାମର୍ଶ କ୍ରମେ ରାଜ୍ୟ ସରକାର ଦିଲ୍ଲୀର ନିଜାମୁଦ୍ଦିନରେ ତବଲିଗି  ଧାର୍ମିକ ସମାରୋହରେ ଯୋଗଦେଇଥିବା ୨୭ ଜଣଙ୍କୁ ଚିହ୍ନଟ କରିଛନ୍ତି । ସେଥି ମଧ୍ୟରୁ ଏପର୍ଯ୍ୟନ୍ତ ୧୯ ଜଣଙ୍କ ସ୍ୱାବ ନମୁନା ପରୀକ୍ଷା ହୋଇଛି । ସବୁତକ ରିପୋର୍ଟ ନେଗେଟିଭ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

 

ସମ୍ବନ୍ଧିତ ଖବର