ମୁଖ୍ୟମନ୍ତ୍ରୀଙ୍କ ସ୍ପର୍ଶ ଅପେକ୍ଷାରେ ୧୧ କୋଟିର ପାଣି ପ୍ରକଳ୍ପ

ଉପକୃତ ହେବେ ୧ଲକ୍ଷ ୮୦ହଜାର ଲୋକ

ରାଉରକେଲା,: ଏଣିକି ଖରାଦିନେ ଦୂର ହେବ ସହରର ଜଳ ସଙ୍କଟ। ‘ଅମୃତ’ ଯୋଜନାରେ ଗତ ୧ ବର୍ଷ ତଳେ ଆରମ୍ଭ ହୋଇଥିବା ମୁଖ୍ୟ ପାଇପ ଜଳଯୋଗାଣର ଉନ୍ନତିକରଣ କାର୍ଯ୍ୟ ନିକଟରେ ଶେଷ ହୋଇଛି। ୧୦ କୋଟି ୯୪ ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟକ୍ଷମ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ସହରର ସହରର ପ୍ରାୟ ୧ ଲକ୍ଷ ୮୦ ହଜାର ଲୋକ ଉପକୃତ ହେବେ। ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତରେ ଆସି ଏହି ପ୍ରକଳ୍ପକୁ ଉଦ୍‌ଘାଟନ କରିବା ପ୍ରସ୍ତାବ ଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବିତ ଗସ୍ତ ସମ୍ପର୍କରେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ପର୍ଯ୍ୟନ୍ତି ନିର୍ଦ୍ଦିଷ୍ଟ ସୂଚନା ଆସି ନାହିଁ। ବରଂ ଏହି ପ୍ରକଳ୍ପକୁ ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ କଟକ ଇନଡୋର ଷ୍ଟାଡିୟମରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଲୋକାର୍ପିତ କରିବେ ବୋଲି ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳୁଛି।
ଏହି ପ୍ରକଳ୍ପ ଦ୍ୱାରା ବାସନ୍ତୀକଲୋନୀ, ଗୋପବନ୍ଧୁପାଲୀ,ମଧୁସୂଦନପାଲୀ, ଟିମ୍ବରକଲୋନୀ, ନୟାବଜାର, ପ୍ଲାଣ୍ଟସାଇଟ୍‌, ପାଓ୍ଵାର ହାଉସ ରୋଡ, ମହତାବ ରୋଡ, ରାଉରକେଲା ମେନ ରୋଡ, ଛେଣ୍ଡ, କଳିଙ୍ଗ ବିହାର ଆଦି ଅଞ୍ଚଳକୁ ନିରବଚ୍ଛିନ୍ନ ଭାବେ ପାନୀୟ ଜଳ ଯୋଗାଣ ହେବ। ତେବେ ସିଭିଲଟାଉନସିପ୍‌, ପାନପୋଷ, ଫର୍ଟିଲାଇଜର, ଦେଓଗାଁ ଆଦି ଅନେକ ଅଞ୍ଚଳକୁ ଏହି ପ୍ରକଳ୍ପରୁ ବାଦ ଦିଆଯାଇଛି। ପ୍ରତିବର୍ଷ ଖରାଦିନେ ବେଶି ପ୍ରଭାବିତ ହେଉଥିବା ଟିମ୍ବରକଲୋନୀ, ମଧୁସୂଦପାଲୀ, ଗୋପବନ୍ଧୁପାଲୀ ଅଞ୍ଚଳର ପ୍ରାୟ ୩୦ରୁ ଅଧିକ ବସ୍ତି ବେଶ ଉପକୃତ ହେବେ। ୧୪ ବର୍ଷ ପାଇଁ ପାଇପ ଲାଇନ ଦ୍ୱାରା ଦୈନିକ ୫୫ ଏମ୍‌ଏଲ୍‌ଡି (ମିଲିୟନ ଲିଟର ପର ଡେ) ପାନୀୟ ଜଳ ଯୋଗାଣ ହେବାର କ୍ଷମତା ରହିଛି।

ପାନପୋଷ ବାଇପାସରୋଡ ପିଏଚ୍‌ଡି ଓ୍ଵାଟର ଟ୍ରିଟମେଣ୍ଟ ପ୍ଳାଣ୍ଟରୁ ଟିସ୍କୋ ପର୍ଯ୍ୟନ୍ତ ୮ କିଲୋମିଟର ୪୦୦ମିଟର ପର୍ଯ୍ୟନ୍ତ ପାଇପ ଲାଇନ ବିଛାଯାଇଛି। ଓ୍ଵାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ହନୁମାନବାଟିକା ଛକ, ରିଂରୋଡ ,ଛେଣ୍ଡ କଲୋନୀ, କଳିଙ୍ଗବିହାର ଦେଇ ଟିସ୍କୋରେ ଶେଷ ହୋଇଛି। ପାଇପଗୁଡିକର ମୋଟେଇ ୩୦୦ ଏମ୍‌ଏମ୍‌ରୁ ୭୦୦ ଏମ୍‌ଏମ୍‌ ପର୍ଯ୍ୟନ୍ତ ରହିଛି। ୭୦୦ଏମ୍‌ଏମ୍‌ ମୋଟେଇର ୨୬୯୦ ମିଟର, ୬୦୦ ଏମ୍‌ଏମ୍‌ର ୧୪୦୦ ମିଟର,୫୦୦ ଏମ୍‌ଏମ୍‌ର ୪୫୦ ମିଟ୍‌ର, ୪୫୦ ଏମ୍‌ଏମ୍‌ର ୨୦୦ ମିଟର,୪୦୦ ଏମ୍‌ଏମ୍‌ଏମ୍‌ର ୨୪୦୦ ମିଟର ଏବଂ ୩୦୦ ଏମ୍‌ଏମ୍‌ର ୧୩୦୦ ମିଟର ରହିଛି।
ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ୪୦ ଓ୍ଵାର୍ଡର ୧୧୪ ବସ୍ତି ଏବଂ କଲୋନୀରେ ପ୍ରାୟ ୧ ଲକ୍ଷ ୧୦ହଜାର ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରିବାକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୬୦ହଜାର ପରିବାରଙ୍କ ଘରକୁ ଦୈନିକ ଦୁଇ ଓଳି ପାଇପ ଲାଇନ ଜରିଆରେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଦୈନିକ ୪୮ଏମ୍‌ଏଲ୍‌ଡି ପାନୀୟ ଜଳ ଆବଶ୍ୟକ ହେଉଥିବାବେଳେ ବିଭାଗ ପକ୍ଷରୁ ୫୨ଏମ୍‌ଏଲ୍‌ଡି ଯୋଗାଣ ହେଉଛି। ବାହ୍ମଣୀ ଏବଂ କୋଏଲ ଦୁଇଟି ନଦୀରୁ ଜଳ ଉଠାଯାଇ ସେଗୁଡିକୁ ୪ଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ପାନପୋଷ ବାଇପାସ ରୋଡରେ ଦୁଇଟି, କୋଏଲନଗର ଏବଂ ଝିରପାଣିରେ ବିଶୋଧନ କରାଯାଉଛି। କାର୍ଯ୍ୟକାରୀ ହେବାକୁ ଯାଉଥିବା ନୂଆ ପାଇପ ଲାଇନ ପ୍ରକଳ୍ପ ପାଇଁ ସ୍ଥାପନ ହୋଇଥିବା

ଟ୍ରିଟମେଣ୍ଟ ପ୍ଲାଣ୍ଟ ଦ୍ୱାରା ଦୈନିକ ୫୫ଏମ୍‌ଏଲ୍‌ଡି ବିଶୋଧନ କରାଯାଇ ପାରିବ ବୋଲି ନିର୍ବାହୀ ଯନ୍ତ୍ରୀ ଇଂ. ଅନୁପ କୁମାର ପଟେଲ କହିଛନ୍ତି। ତାଙ୍କ କହିବାନୁଯାୟୀ ସହରବାସୀଙ୍କୁ ୨୪ ଘଣ୍ଟିଆ ପାଣି ଯୋଗାଣ ପାଇଁ ଅମୃତ ଯୋଜନା ଜରିଆରେ ପ୍ରୟାସ ଜାରି ରହିଛି। ବର୍ଷ ବର୍ଷର ପୁରୁଣା ପାଇପ ଲାଇନର ଲିକେଜ ଏବଂ ବିଭିନ୍ନ କାରଣରୁ ଯୋଗାଣ ହେଉଥିବା ପାନୀୟ ଜଳ କିଛି ମାତ୍ରାରେ ନଷ୍ଟ ହେଉଛି। ଅନ୍ୟ କେତେକ ରାସ୍ତା କାମ ଯୋଗୁଁ ପାଇପ ଲାଇନଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ରିଂ ରୋଡ ବିଏସ୍‌ଏନ୍‌ଏଲ୍‌ ଅଫିସରୁ ବାସନ୍ତୀକଲୋନୀ ରାସ୍ତା ସମ୍ପ୍ରସାରଣ, ମହତାବ ରୋଡ, ବାସନ୍ତିକଲୋନୀର ଆଭ୍ୟନ୍ତରୀଣ ରାସ୍ତା ନିର୍ମାଣ ଯୋଗୁଁ ଲୋକମାନଙ୍କୁ ପାନୀୟ ଜଳ ଠିକ୍‌ ଭାବେ ପାଇ ପାରୁ ନଥିଲେ। ନୂତନ ପାଇପ ଲାଇନ ପ୍ରକଳ୍ପ ସହରବାସୀଙ୍କ ଜଳ ସମସ୍ୟାକୁ ବହୁ ପରିମାଣରେ ଦୂର କରି ପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର