‘ମୋ ସ୍କୁଲ’ ପାଇଁ ତୃତୀୟ ପର୍ଯ୍ୟାୟରେ ୧୨ କୋଟି

ଭୁବନେଶ୍ୱର : ‘ମୋ ସ୍କୁଲ’ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟରେ ୧୦ଟି ଜିଲ୍ଲାର ୧୭୭୨ଟି ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ନିଷ୍ପତ୍ତି ହୋଇଛି। ପୁରୀ ଜିଲ୍ଲାରେ ସର୍ବାଧିକ ୪୮୨ଟି ବିଦ୍ୟାଳୟ ରହିଥିବା ବେଳେ ମୟୂରଭଞ୍ଜରେ ୨୫୮, ବାଲେଶ୍ୱରରେ ୨୧୨, ଗଞ୍ଜାମରେ ୧୫୨, ଖୋର୍ଧାରେ ୧୫୧, କୋରାପୁଟରେ ୧୧୪, ନୟାଗଡ଼ରେ ୧୧୧, ଅନୁଗୁଳରେ ୧୦୭, ସମ୍ବଲପୁରରେ ୧୦୦ ଓ ଢ଼େଙ୍କାନାଳ ଜିଲ୍ଲାରେ ୮୫ଟି ବିଦ୍ୟାଳୟ ରହିଛି। ‘ମୋ ସ୍କୁଲ’ ଯୋଜନାରେ ଏହି ବିଦ୍ୟାଳୟଗୁଡ଼ିକ ପାଇଁ ୧୨ କୋଟି ୭୭ ଲକ୍ଷ ୩୨ ହଜାରରୁ ଅଧିକ ଅର୍ଥ ବ୍ୟୟ କରାଯିବ। ସେଥିମଧ୍ୟରୁ ରାଜ୍ୟ ସରକାର ୮ କୋଟି ୫୧ ଲକ୍ଷ ୫୫ ହଜାର ଟଙ୍କା ଅନୁଦାନ ଦେଇଥିବା ବେଳେ ଲୋକଙ୍କଠାରୁ ୪ କୋଟି ୨୫ ଲକ୍ଷ ୭୭ ହଜାର ଟଙ୍କା ସଂଗୃହିତ ହୋଇଛି। ଏହି ଅର୍ଥରେ ବିଦ୍ୟାଳୟର ଭିତ୍ତିଭୂମି ବିକାଶ, ଶ୍ରେଣୀଗୃହର ଉନ୍ନତି, ପାଠାଗାର-ପୁସ୍ତକ, ଖେଳ ସାମଗ୍ରୀ, ଶ୍ରେଣୀଗୃହର ଆସବାବପତ୍ର ଯୋଗାଣ, ସ୍କୁଲ ବଗିଚାର ଉନ୍ନତିକରଣ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ମୋ ସ୍କୁଲ’ ଅଭିଯାନର ତୃତୀୟ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ସ୍ଥିର ହୋଇଛି।

ସୂଚନାଯୋଗ୍ୟ ‘ମୋ ସ୍କୁଲ’ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୬୨ ସ୍କୁଲ ପାଇଁ ୧ କୋଟି ୭୮ ଲକ୍ଷ ୩୯ ହଜାର ଓ ଦ୍ୱିତୀୟ ପର୍ଯ୍ୟାୟରେ ୬୧୫ ସ୍କୁଲ ପାଇଁ ୪ କୋଟି ୨୭ ଲକ୍ଷ ୮୩ ହଜାର ଟଙ୍କା ବ୍ୟୟ ମଞ୍ଜୁର କରାଯାଇଥିଲା। ୧୭ଟି ଜିଲ୍ଲା ଏହି ଯୋଜନାରେ ସାମିଲ ହୋଇଥିବା ବେଳେ ଏବେ ଆଉ ୫ଟି ଜିଲ୍ଲାକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବା ନେଇ ପ୍ରସ୍ତାବ ରହିଛି ବୋଲି ଓପେପା ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ସୂଚନା ଦେଇଥିଲେ। ବୈଠକରେ ପ୍ରାଥମିକ ଶିକ୍ଷା, ଏସ୍‌ସିଇଆରଟି, ମାଧ୍ୟମିକ ଶିକ୍ଷା ନିର୍ଦେଶକ, ରାସ୍ତା ଓ କୋଠାବାଡ଼ି ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ, ମୁଖ୍ୟ ପରିଚାଳନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର