ହୀରାକୁଦ: ୧୨ ଗେଟ୍‌ ଖୋଲା, ଜଳସ୍ତର ୬୨୫ ଫୁଟ୍‌ ଟପିଲା

ସମ୍ବଲପୁର : ଚଳିତ ବର୍ଷ ପ୍ରଥମ କରି ହୀରାକୁଦ ଜଳଭଣ୍ଡାରର ଜଳ ପତ୍ତନ ୬୨୫ ଫୁଟ୍‌ ଅତିକ୍ରମ କରିଛି। ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ ବୃଦ୍ଧି ପାଇବା କାରଣରୁ ଶୁକ୍ରବାର ହୀରାକୁଦର ଆଉ ୪ଟି ଗେଟ୍‌ ଖୋଲା ଯାଇଛି। ଫଳରେ ମୋଟ ଖୋଲାଥିବା ଗେଟ୍‌ ସଂଖ୍ୟା ୧୨ରେ ପହଞ୍ଚିଛି। ଶୁକ୍ରବାର ରାତି ୯ଟା ବେଳକୁ ହୀରାକୁଦର ଜଳସ୍ତର ୬୨୫.୧୫ ଫୁଟ୍‌ ଥିଲା। ସେତେବେଳେ ଜଳଭଣ୍ଡାର ମଧ୍ୟକୁ ୨, ୪୪, ୬୬୦ କ୍ୟୁସେକ ପାଣି ପ୍ରବେଶ କରୁଥିଲା। ସେହିଭଳି ବିଭିନ୍ନ ମାର୍ଗ ଦେଇ ୨, ୦୬, ୫୪୧ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା। ରାତି ୯ଟା ବେଳେ ଖଇରମାଳରେ ୪, ୯୦, ୦୦୦ କ୍ୟୁସେକ୍‌, ବରମୂଳରେ ୪, ୯୬, ୦୦୦ କ୍ୟୁସେକ୍‌ ଓ ମୁଣ୍ଡଳିରେ ୪, ୬୪, ୦୦୦ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ବନ୍ଧ ଉପର ମୁଣ୍ଡରେ ୩୪.୧୦ ଓ ତଳ ମୁଣ୍ଡରେ ୫୮.୮୭ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର