ଓମାନରେ ଫସିଛନ୍ତି ୧୨ ଶ୍ରମିକ

କମ୍ପାନିରେ ଅଛନ୍ତି ୮ରାଜ୍ୟର ୧୨ ଶହ

ବ୍ରହ୍ମପୁର : କାମ କରିବା ଲାଗି ଯାଇ ଓମାନର ଏକ କମ୍ପାନିର ଫସିଛନ୍ତି ୮ଟି ରାଜ୍ୟର ୧୨ଶହ ଶ୍ରମିକ । ସେମାନଙ୍କ ମଧ୍ୟରେ ରହିଛନ୍ତି ଓଡିଶାର ୧୨ଜଣ । ଗତ ୫ ମାସ ହେଲା କମ୍ପାନି ସେମାନଙ୍କୁ ମଜୁରୀ ଦେଉନାହିଁ। ଏପରିକି କିଛି ଶ୍ରମିକ ଭିସା ସରି ଯାଇଥିବାବେଳେ ପଇସା ନ ଥିବାରୁ ନିଜ ଦେଶକୁ ଫେରିପାରୁନାହିନ୍ତି। ଏହି ନିର୍ଯାତିତ ଶ୍ରମିକ କମ୍ପାନିର ଏଭଳି ଅମାନୁଷିକ କାର୍ଯ୍ୟକଳାପ ପ୍ରତିବାଦରେ ଶ୍ରମିକ ମାନେ ‌ବୁଧବାର କମ୍ପାନି ସମ୍ମୁଖରେ ଧାରଣା ଦେଇଥିଲେ। ଓମାନରୁ ଫୋନ ଯୋଗେ ଗଣମାଧ୍ୟମକୁ ଜଣାଇଛନ୍ତି। ସେମାନଙ୍କୁ ଓଡିଶାକୁ ଫେରାଇ ଆଣିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।

ଶ୍ରମିକମାନେ କହିଛନ୍ତି ଯେ, ଭୁବନେଶ୍ବର ଖଣ୍ଡଗିରି ଛକ ନିକଟରେ ଆସମାକ୍ସ ଗ୍ରୁପ ନାମକ ଏକ ଟ୍ରାଭେଲ ସଂସ୍ଥା ରହିଛି। ଉକ୍ତ ସଂସ୍ଥା ଜରିଆରେ ୨୦୧୭ ଜାନୁୟାରୀ ୨୨ତାରିଖରେ ଓଡିଶାରୁ ୧୨ଜଣ ଶ୍ରମିକ ଇଲ୍ଟ୍ରେିସିଆନ, ଫିଟର, ପ୍ଲମ୍ବର ଓ ହେଲପର କାମ କରିବା ଲାଗି ଓମାନ ଯାଇଥିଲେ। ସେମାନେ ହେଲେ ଗଞ୍ଜାମ ଜିଲା ବେଗୁନିଆ ପଡାର କାହ୍ନୁଚରଣ ନାୟକ, କୋଦଳାର ଅଲ୍ଲୀ କ୍ରୀଷ୍ଣା ପ୍ରଧାନ, ସୁରଜ ପ୍ରଧାନ ଓ ବିପିନ ବିହାରୀ ପ୍ରଧାନ, ସୋନପୁର ଜିଲା ଡୁଙ୍ଗର ପାଲ୍ଲିର ପ୍ରଶାନ୍ତ କୁମାର ବଜ୍ଜର ଓ କୃ‌ଷ୍ଣଚନ୍ଦ୍ର ପ୍ରଧାନ, କଟକର ବଳଭଦ୍ର ତ୍ରପାଠୀ, ଖୋର୍ଦ୍ଧା ଜିଲା ବାଣପୁରର କିଶୋର ପ୍ରଧାନ ଓ ଅରବିନ୍ଦ ପ୍ରଧାନ ଏଂବ କେନ୍ଦ୍ରାପଡା ପାତ୍ରପୁର ଅଞ୍ଚଳର ପ୍ରଭାତ କୁମାର ସାହୁଙ୍କ ସମେତ ୩ ଜଣ ଶ୍ରମିକ ରହିଛନ୍ତି। ସେଠାକାର ଜେ ଆଣ୍ଡ ପି ନାମକ ଏକ କମ୍ପାନିରେ କାର୍ଯ୍ୟ କରୁଛନ୍ତି। ଉକ୍ତ କମ୍ପାନିରେ ଓଡିଶାର ୧୨ଜଣଙ୍କ ସମେତ ଉତ୍ତର ପ୍ରଦେଶ, ବିହାର, ପଞ୍ଜାବ, ରାଜସ୍ଥାନ, ଆନ୍ଧ୍ର ପ୍ର‌ଦେଶ, ତେଲେଙ୍ଗାନା ଏବଂ ପଶ୍ଚିମ ବଙ୍ଗର ୧୨ଶହ ଶ୍ରମିକ କାମ କରୁଛନ୍ତି।। ଗତ ୫ମାସ ହେଲା ଶ୍ରମିକମାନେ ନିର୍ଯାତିତ ଅବସ୍ଥାରେ ରହିଛନ୍ତି। କିଛି ଶ୍ରମିକଙ୍କ ଭିସା ଓ ପାସପୋର୍ଟକୁ କମ୍ପାନି ରଖିଥିବା ବେଳେ ତାହାକୁ ଶ୍ରମିକମାନଙ୍କୁ ଦେଉନାହିଁ। କିନ୍ତୁ କମ୍ପାନି ସେମାନଙ୍କୁ ଭିସା ଓ ପାସପୋର୍ଟ ଦେଉନାହିଁ କି ‌ସେମାନଙ୍କୁ ଗାଁକୁ ଯିବାକୁ ଛାଡ଼ୁନାହିଁ। କିଛି ଶ୍ରମିକ ଅସୁସ୍ଥ ରହିଥିବା ବେଳେ ଉକ୍ତ କମ୍ପାନି ପକ୍ଷରୁ ଚିକିତ୍ସା ସୁବିଧା ମଧ୍ୟ ‌ଯୋଗାଇ ଦିଆଯାଉ ନାହିଁ। ମେଡିକାଲ ଯାଇ ଚିକିତ୍ସିତ ହେବା ଲାଗି ସେମାନଙ୍କ ପାଖରେ ଅର୍ଥ ବି ନାହିଁ। ଦିନକୁ ଦିନ ଶ୍ରମିକଙ୍କ ପ୍ରତି କମ୍ପାନିର ଶୋଷଣ ବଢିବାରେ ଲାଗିଛି। ଅନ୍ୟପକ୍ଷରେ ଗଞ୍ଜାମ ଜିଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ କହିଛନ୍ତି ଯେ, ଗଞ୍ଜାମ ଜିଲାର ୫ ଜଣ ଶ୍ରମିକ ରହିଥିବା ଆମେ ସୂଚନା ପାଇଛୁ। ଏ ସଂକ୍ରାନ୍ତରେ ତଦନ୍ତ ଆରମ୍ଭ ହୋଇଛି। ସେଠାରେ ଥିବା ଶ୍ରମିକମାନଙ୍କ ସହ ଆଲୋଚନା କରିଛୁ। ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର