ଭୋଟ୍ ଦେବେ ୧୨ ହଜାର କଏଦୀ!

ପରିଦର୍ଶକ କମିଟିର ଡିଜିଙ୍କୁ ଚିଠି

କଟକ : ରାଜ୍ୟର ୮୭ଟି ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ସ˚ଖ୍ୟା ୧୨ ହଜାର ୫୮୪। ଭୋଟଦାନ ପ୍ରକ୍ରିୟାରୁ ବଞ୍ଚିତ ହେଉଥିବା କଏଦୀଙ୍କୁ ଚଳିତ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରାଯିବାକୁ ସ୍ବତନ୍ତ୍ର ପରିଦର୍ଶକ କମିଟ ପୁଲିସ ଡିଜି ଏବ˚ ଜେଲ୍‌ ବିଭାଗ ଏଡିଜିଙ୍କୁ ଚିଠି ଲେଖିଛି। କେବଳ ବିଚାରାଧୀନ କଏଦୀଙ୍କ ପାଇଁ ପୋଷ୍ଟାଲ ବାଲାଟ୍‌ ବ୍ୟବସ୍ଥା କରାଯିବାକୁ ଚିଠିରେ ଉଲ୍ଲେଖ ରହିଛି। ତେବେ ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲେ କଏଦୀମାନେ ସେମାନଙ୍କ ସାମ୍ବିଧାନିକ ଅଧିକାର ସ୍ବରୂପ ଭୋଟ୍‌ ଦେଇପାରିବେ ବୋଲି କୁହାଯାଉଛି। ପ୍ରଥମ ଥର ପାଇଁ ୨୦୧୦ରେ ଏଭଳି ଦାବି ରାଜ୍ୟରେ କଏଦୀ ମାନେ କରିଥିଲେ। କିନ୍ତୁ ସରକାର କୌଣସି ନିଷ୍ପତ୍ତି ଗ୍ରହଣ କରିନଥିଲେ। ଏବେ ଚିଠି ଲେଖାଯିବା ପରେ କଏଦୀଙ୍କ ମଧ୍ୟରେ ନୂଆ ଆଶା ବାନ୍ଧିଛି।

ଗୃହ ବିଭାଗର ନିର୍ଦ୍ଦେଶକ୍ରମେ ରାଜ୍ୟର ବିଭିନ୍ନ ଜେଲ୍‌ରେ ୬ଜଣିଆ ସ୍ବତନ୍ତ୍ର ପରିଦର୍ଶକ ଟିମ୍‌ ଗଠନ କରାଯାଇଛି। ଏଥିରେ ସ୍ଥାନୀୟ ମନ୍ତ୍ରୀ, ବିଧାୟକ, ଆଇନଜୀବୀ ଓ ସାମାଜିକ କର୍ମୀଙ୍କୁ ରଖାଯାଇଛି। ଏହି କମିଟି ଜେଲ୍‌ରେ ଥିବା କଏଦୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଏକ ରିପୋର୍ଟ ଜେଲ୍‌ ବିଭାଗ ଏଡିଜିଙ୍କ ନିକଟରେ ନିୟମିତ ବ୍ୟବଧାନରେ ଦାଖଲ କରୁଛନ୍ତି। ଆସନ୍ତା ୧୧ ତାରିଖରୁ ରାଜ୍ୟରେ ଚାରିଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ଜେଲ୍‌ରେ ଥିବା ବିଚାରାଧୀନ କଏଦୀଙ୍କୁ ଭୋଟ୍‌ ଦାନ ପ୍ରକ୍ରିୟାରେ ସାମିଲ କରିବାକୁ ସ୍ବତନ୍ତ୍ର ପରିଦର୍ଶକ କମିଟି ସୁପାରିସ କରିଛି। ରିପ୍ରେଜେଣ୍ଟେସନ୍‌ ଅଫ୍‌ ଦି ପିପୁଲସ୍‌ ଆକ୍ଟ ୧୯୫୧ ଅନୁଯାୟୀ ଜେଲ୍‌ରେ କେବଳ ବିଚାରାଧୀନ କଏଦୀ ଭୋଟ୍‌ ଦେଇପାରିବେ ବୋଲି ଆଇନଗତ ବ୍ୟବସ୍ଥା ରହିଛି। ରାଜ୍ୟରେ ୫ଟି ସର୍କଲ ଜେଲ୍‌ ଅଧିନରେ ଥିବା ୮୭ଟି ଜେଲ୍‌ରେ ବର୍ତ୍ତମାନ ସୁଦ୍ଧା ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ୮୭ଟି ଜେଲ୍‌ରେ ମୋଟ ୧୫,୯୬୫ ଜଣ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ଆଜୀବନ କଏଦୀଙ୍କ ସ˚ଖ୍ୟା ୩ ହଜାର ୩୮୧ରୁ ଅଧିକ। ଅବଶିଷ୍ଟ ୧୨ ହଜାର ୫୮୪ ବିଚାରାଧୀନ କଏଦୀ ପ୍ରତ୍ୟେକ ବର୍ଷ ଭୋଟଦାନ ପ୍ରକ୍ରିୟାରୁ ବଞ୍ଚିତ ହେଉଥିବାରୁ ସ୍ବତନ୍ତ୍ର ପରିଦର୍ଶକ କମିଟି ପୁଲିସ ଡିଜି ଡାକ୍ତର ଆର‌୍‌.ପି. ଶର୍ମା ଏବ˚ ଜେଲ୍‌ ବିଭାଗ ଏଡିଜି ମହେନ୍ଦ୍ର ପ୍ରତାପଙ୍କୁ ଆଜି ଚିଠି ଲେଖିଛି। ନିର୍ବାଚନ ଆରମ୍ଭ ପୂର୍ବରୁ ପୁଲିସ ବିଭାଗ ନିଷ୍ପତ୍ତି ଉପରେ ବିଚାର ବିମର୍ଷ କରିବାକୁ ନିବେଦନ କରାଯାଇଛି। ସବୁଜ ସ˚କେତ ମିଳିଲେ ରାଜ୍ୟରେ ବିଚାରାଧୀନ କଏଦୀ ପ୍ରଥମ ଥର ପାଇଁ ଜେଲ୍‌ରେ ରହି ଭୋଟ ଦାନ ପ୍ରକ୍ରିୟାରେ ନିଜକୁ ସାମିଲ କରିପାରିବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର