ବନ୍ଧୁକ ଛାଡ଼ିଲେ, କଲମ ଧରିଲେ : ପରୀକ୍ଷା ଦେଲେ ୧୦୨ ଆତ୍ମସମର୍ପଣକାରୀ ନକ୍ସଲ

ମାଲକାନଗିରି : ମାଲକାନଗିରି ପୁଲିସର ଅଭିନବ ପ୍ରୟାସ। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ଶିକ୍ଷିତ ତଥା ସ୍ୱାବଲମ୍ବୀ କରିବାକୁ ଭିନ୍ନ ଏକ ଉଦ୍ୟମ କରିଛି। କୌଣସି କାରଣରୁ ପାଠପଢା ଛାଡି ନକ୍ସଲ ସଂଗଠନରେ ସାମିଲ ହୋଇଥିବା ଆତ୍ମସମର୍ପଣକାରୀ ନକ୍ସଲଙ୍କ ପାଠପଢା ଦାୟିତ୍ୱ ନେଇଛି ପୁଲିସ। ତେଣୁ ସ୍ନାତକରେ ନାମଲେଖା ନିମନ୍ତେ ପ୍ରବେଶିକା ପରୀକ୍ଷା ଦେବା ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ ଆତ୍ମସମର୍ପଣ କରିଥିବା ୧୨୦ଜଣ ନକ୍ସଲ ଇଗ୍ନୋ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଗତ କିଛି ମାସ ହେଲା ପ୍ରସ୍ତୁତି କରିଥିଲେ। ତେବେ ଆଜି ହୋଇଥିବା ପ୍ରବେଶିକା ପରୀକ୍ଷାରେ ୧୦୭ଜଣ ପରୀକ୍ଷା ଦେଇଛନ୍ତି।

ଏସପି ଜଗମୋହନ ମୀନାଙ୍କ କହିଛନ୍ତି ଯେ, ଆତ୍ମସମର୍ପଣକାରୀ ନକ୍ସଲ ଉଚ୍ଚଶିକ୍ଷିତ ହୋଇ ଭବିଷ୍ୟତର ପିଢି ପାଇଁ ଭଲ ଉଦାହରଣ ହେବ। ଜଂଗଲରେ ଲକ୍ଷ୍ୟବିହୀନ ହୋଇଥିବା ନକ୍ସଲଙ୍କୁ ବି ମୁଖ୍ୟସ୍ରୋତକୁ ଫେରିବା ପାଇଁ ପ୍ରେରଣା ଯୋଗାଇବ। ଆଜି ପ୍ରବେଶିକା ପରୀକ୍ଷା ଦେଇଥିବା ଆତ୍ମସମର୍ପଣକାରୀ ନକ୍ସଲ ଉତ୍ତୀର୍ଣ୍ଣ ହେଲେ ଆଗାମୀ ଦିନରେ ଇଗ୍ନୋ ସ୍ନାତକ (କଳା) ପାଠ୍ୟକ୍ରମରେ ନାମ ଲେଖାଇବେ। ସ୍ନାତକ ପାସ୍‌ ପରେ ଏମାନଙ୍କୁ ଆହୁରି ଉଚ୍ଚ ଶିକ୍ଷା ପାଇଁ ସୁବିଧା ମଧ୍ୟ ଦିଆଯିବ। ଉଚ୍ଚ ଶିକ୍ଷା ସମାପ୍ତ ପରେ ସେମାନେ ନିଜ ଗୋଡରେ ଛିଡା ହୋଇପାରିବେ ବୋଲି କୁହିଥିଲେ।
ଯେଉଁ ହାତରେ ବନ୍ଧୁକ ଧରି ଜଂଗଲରେ ମାସ ମାସ ଧରି ପୁଲିସ ଉପରକୁ ଗୁଳି ଚଳାଇବାର ତାମିଲ ନେଉଥିଲେ, ସେହି ପୁଲିସ ସେମାନଙ୍କୁ କଲମ ଧରାଇ ଜୀବନରେ ଜଣେ ଜଣେ ଭଲ ମଣିଷ ହେବା ପାଇଁ ରାସ୍ତା ଦେଖାଉଥିବା ଘଟଣା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

ନକ୍ସଲ ପୁଲିସକୁ ନିଜର ଶତ୍ରୁ ଭାବି ଅକାରଣରେ ସେମାନଙ୍କ ଜୀବନ ନେବାକୁ ପଛାଉନଥିବା ବେଳେ ସେହି ପୁଲିସ ଆଜି ନକ୍ସଲଙ୍କୁ ନିଜ ପାଖରେ ରଖି ବିନା ଖର୍ଚ୍ଚରେ ତାଲିମ ପ୍ରଦାନ କରିବା ସହ ସମସ୍ତ ବହିପତ୍ର ଖର୍ଚ୍ଚ ନିଜେ ଉଠାଇଛି।

ପୂର୍ବତନ ନକ୍ସଲ କମାଣ୍ଡର ସୁକଦେବଙ୍କ କହିବା ଅନୁଯାୟୀ ପୁଲିସର ଏହି ଅଭିନବ ପ୍ରୟାସ ଆମେ କେବେ ଭୁଲିବୁ ନାହିଁ। ଆମେ ଆଜି ଏସପି ଶ୍ରୀ ମୀନାଙ୍କ ସହଯୋଗ ଏବଂ ପ୍ରଚେଷ୍ଟା ଯୋଗୁଁ ଉଚ୍ଚ ଶିକ୍ଷା ଲାଭ କରିପାରିଛୁ। ଜଂଗଲରେ ରହି କେବଳ ମୂର୍ଖଙ୍କ ଭଳି ବ୍ୟବହାର କରୁଥିଲୁ। ସମାଜରେ କିପରି ଚଳିବା ଏବଂ ଲୋକଙ୍କୁ କିପରି ବ୍ୟବହାର ଦେଖାଇବା ଏସବୁ ଜାଣିନଥିଲୁ।

ଇଗ୍ନୋ ପରିଚାଳକ ଅଧ୍ୟାପକ ଉମେଶ ରାଉତ ନିଜ ପ୍ରଚେଷ୍ଟାରେ ସମସ୍ତ ଆତ୍ମସମର୍ପଣକାରୀ ନକ୍ସଲଙ୍କୁ ଉଚ୍ଚ ଶିକ୍ଷା ପାଇଁ ତାଲିମ ଦେବା ସହ କିପରି ଜଣେ ଭଲ ମଣିଷ ହୋଇପାରିବେ ସନେଇ ମଧ୍ୟ ଶିକ୍ଷା ଦେଇଛନ୍ତି। ଇଗ୍ନୋ ଓ ଜିଲ୍ଲା ପୁଲିସର ଏହି ଅଭିନବ ଉପାୟ ଆଗାମୀ ଦିନରେ ଆହୁରି ଅଧିକା ନକ୍ସଲଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବ ବୋଲି ଆଶା ପ୍ରକାଟ କରାଯାଇଛି।

ସମ୍ବନ୍ଧିତ ଖବର