ସହରାଞ୍ଚଳରେ ୧୨୮୬୫ଘର ନିର୍ମାଣକୁ ଅନୁମୋଦନ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ୩୮୩.୨୯ କୋଟିରେ ନିର୍ମାଣ ହେବାକୁ ଥିବା ୧୨୮୬୫ଟି ଘରର ୪୭ଟି ଡିପିଆର୍‌କୁ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଅନୁମୋଦନ କରିଛି। ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟସ୍ତରୀୟ ବୈଷୟିକ ସେଲ୍‌ ଗଠନ ହୋଇଛି। ଏହି ସେଲ୍‌ ଏହାର ଆକ୍ସନ ପ୍ଲାନ୍‌, ସଂଯୋଜନା ଏବଂ କାର୍ଯ୍ୟକାରିତା ନେଇ ବିଭିନ୍ନ ପରାମର୍ଶ ଦେବ।

ଏହି ବୈଠକରୁ ଜଣାପଡ଼ିଛି ଯେ, ଗତ ୪ମାସରେ ୩୩ହଜାର ଗୃହ ନିର୍ମାଣ କାର୍ଯ୍ୟ ତ୍ୱରାନ୍ଵିତ ହୋଇଥିବାବେଳେ ଏଥିରୁ ୧୦ହଜାର ଗୃହ ନିର୍ମାଣ ଶେଷ ହୋଇଛି। ୨୩ହଜାର ଘର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ତୁରନ୍ତ ଶେଷ କରିବାକୁ କୁହାଯାଇଛି। ପୂର୍ବରୁ ୧୧୧ଟି ସହରାଞ୍ଚଳ ପାଇଁ ୨୦୪ଟି ଡିପିଆର୍‌ ଅନୁମୋଦନ ହୋଇଥିବାବେଳେ ୫୯,୧୨୧ଟି ଘର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରୁ ୪୨ହଜାର ଘର ନିର୍ମାଣ କାର୍ଯ୍ୟ ଶେଷ ହୋଇ ହିତାଧିକାରୀଙ୍କୁ ଦିଆ ସରିଲାଣି। ୧୦ହଜାର ଘର ନିର୍ମାଣ ଶେଷ ହୋଇଥିଲେ ହେଁ ଆବଣ୍ଟନ ହୋଇନି। ୨୩,୩୩୨ ଘର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଜଣାପଡ଼ିଛି।

ଏହି ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ, ରାଜସ୍ୱ ବିଭାଗ ପ୍ରମୁଖ ସଚିବ ଚନ୍ଦ୍ରଶେଖର କୁମାର, ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନାନ୍‌, ଓଡ଼ିଶା ସହରାଞ୍ଚଳ ଗୃହ ମିସନ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ଦଳାଇ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର