ଚଳନ୍ତା ବସ୍‌ରେ ଚେତା ହରାଇଲେ ଡ୍ରାଇଭର, ବସ୍‌ ଓଲଟି ୧୩ ଯାତ୍ରୀ ଆହତ

ତେଲକୋଇ : ଚଳନ୍ତା ବସ୍‌ରେ ଚେତା ହରାଇଲେ ଡ୍ରାଇଭର। ହଠାତ ଷ୍ଟିୟରିଂ ଉପରେ ମୁଣ୍ଡ ଝୁଙ୍କାଇ ପଡ଼ିଗଲେ। ଗାଡ଼ିରେ ଥିଲେ ପ୍ରାୟ ୪୦ରୁ ଅଧିକ ଯାତ୍ରୀ। ଆଗକୁ ରାସ୍ତା ବୁଲାଣି ଥିଲା। ଆଗ ସିଟ୍‌ରେ ଥିବା କେତେକ ଯାତ୍ରୀ ଭୟଭୀତ ହୋଇ ପାଟିକରି ଉଠିଲେ। ତେବେ କେହି କିଛି ଭାବିବା ପୂର୍ବରୁ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିପଡ଼ିଲା। ଏଥିରେ ୧୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଆକୁଳ ପଞ୍ଚାୟତ ମଲଣ୍ଡା ଗ୍ରାମରେ ଆଜି ସକାଳ ୭ଟା ବେଳେ ଏଭଳି ଅଭାବନୀୟ ଦୁର୍ଘଟଣା ଘଟିଛି।

ଖବର ଅନୁସାରେ ଓଆର ୦୯ କ୍ୟୁ ୨୭୨୩ ନମ୍ବରବିଶିଷ୍ଟ ଅମ୍ବା ନାମକ ଏକ ଘରୋଇ ବସ୍‌ ଆଜି କଙ୍କଡ଼ାହାଡ଼ରୁ ଯାତ୍ରୀଙ୍କୁ ନେଇ ଗନ୍ତବ୍ୟସ୍ଥଳ କେନ୍ଦୁଝର ଅଭିମୁଖେ ବାହାରିଥିଲା। ପ୍ରତ୍ୟକ୍ଷଦର୍ଶୀ ଯାତ୍ରୀଙ୍କ କହିବା ଅନୁସାରେ ଗାଡ଼ି ଚାଲିଥିବା ସମୟରେ ମଲଣ୍ଡା ନିକଟରେ ଡ୍ରାଇଭର ହଠାତ ଚେତାଶୂନ୍ୟ ହୋଇ ଷ୍ଟିୟରିଂ ଉପରେ ଢଳିପଡ଼ିଥିଲେ। ବେଗ କମ ଥିଲେ ମଧ୍ୟ ବସ୍‌ଟି ରାସ୍ତାପାର୍ଶ୍ବକୁ ଓଲଟି ପଡ଼ିଥିଲା। ଆହତ ଯାତ୍ରୀମାନେ ହେଲେ ଟାଙ୍ଗିରୀର ପାର୍ବତୀ ମହାନ୍ତ (୩୮), ମଦନ ପୂର୍ତ୍ତି (୪୦), ନମକାନୀ କ୍ଷୀରମଣି ଚାମ୍ପିଆ(୫୪), ଗଙ୍ଗାଧର ତିରିଆ(୩୬), ଗୋଳାବନ୍ଧ ସୁରିଆ ବେହେରା(୪୫), କମଳାଙ୍ଗ ବନୀତା ପଲେଇ(୫୫), ଜୀରା ନାୟକ(୫୬), ପ୍ରଶାନ୍ତ ପ୍ରଧାନ(୪୨) ଓ ଯୋଡ଼ାର ବିଶ୍ବନାଥ ପ୍ରଧାନ। ଗୁରୁତର ୩ ଜଣ ହେଲେ ତେଲକୋଇ ଥାନା ରାଣୀବେଡ଼ାର ଭବାନୀ ମହାକୁଡ଼ (୧୬), ଗୋଡ଼ାର ବିଶ୍ବନାଥ ବେହେରା(୫୫), ଖଜୁରିଆର ପ୍ରଫୁଲ୍ଲ ଜୁଆଙ୍ଗ(୪୮)। ଖବରପାଇ ଘଟଣାସ୍ଥଳରେ ସମାଜସେବୀ ଦୀପକ ମାରାଣ୍ଡି, ଶିକ୍ଷକ ବିକ୍ରମାଦିତ୍ୟ ବେହେରା, ଡାକ୍ତର ନାୟକ, ଅପୁ ନାୟକ, ସୁଦାମ ନାୟକ, ଥବୀର ନାୟକ ପହଞ୍ଚି ବସ୍‌ର କାଚ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ତେଲକୋଇ ଡାକ୍ତରଖାନା ପଠାଇଥିଲେ।

ସମ୍ବନ୍ଧିତ ଖବର