ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମାର ତାରିଣୀ ମନ୍ଦିର ନିକଟରୁ ୧୩ଜଣ ଦାଦନ ଶ୍ରମିକଙ୍କୁ ଗ୍ରାମବାସୀ ଉଦ୍ଧାର କରି ନିଜ ଗାଁକୁ ପଠାଇଛନ୍ତି। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୪ଜଣ ଯୁବତୀ ଓ ୯ଜଣ ନାବାଳିକା ରହିଛନ୍ତି। ଅନ୍ୟପଟେ ଏମାନଙ୍କୁ କଟକ ନେଉଥିବା ମହିଳା ଦଲାଲ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଡାବୁଗାଁ ଥାନା ଅନ୍ତର୍ଗତ ହାତୀବେଡା ପଞ୍ଚାୟତର ଟଇଁଲାଗୁଡା ଗ୍ରାମରେ ତେଜରାତି ଦୋକାନ କରିଥିବା ନରେଶ ନାମକ ଜଣେ ଯୁବକଙ୍କ ଶାଶୂ ଡଲି ଏହି ଗ୍ରାମର ୫ଜଣ ନାବାଳିକାଙ୍କୁ ଅଧିକ ମଜୁରି ପାଇବା ପ୍ରଲୋଭନ ଦେଖାଇ କଟକକୁ ଦାଦନ ଖଟିବା ପାଇଁ ପ୍ରବର୍ତାଇଥିଲା। ସେହିପରି ଡଲି ଝରିଗାଁ ବ୍ଲକର ବଡପାଲିଆ ଗ୍ରାମକୁ ଯାଇ ବିଭିନ୍ନ ପ୍ରଲୋଭନ ଦେଖାଇ କିଛି ଯୁବତୀ ଓ ନାବାଳିକାଙ୍କୁ କଟକକୁ ଦାଦନ ଖଟିବା ପାଇଁ ଯିବାକୁ କହିଥିଲେ। ଡଲିର କଥାରେ ସମସ୍ତେ ରାଜି ହୋଇଥିଲେ। ପୂର୍ବ ନିର୍ଧାରିତ ଅନୁଯାୟୀ, ଟଇଁଲାଗୁଡା ଗ୍ରାମର ୫ଜଣ ନାବାଳିକା ଏବଂ ବଡପାଲିଆ ଗ୍ରାମର ୪ଜଣ ଯୁବତୀ ଓ ୪ଜଣ ନାବାଳିକାଙ୍କୁ ଆଜି ଡଲି ଡାବୁଗାଁ ତାରିଣୀ ମନ୍ଦିର ନିକଟକୁ ଡାକିଥିଲା। ଖବର ପାଇ ସମସ୍ତେ ତାରିଣୀ ମନ୍ଦିର ନିକଟରେ ବ୍ୟାଗ୍ ଧରି ଅପେକ୍ଷା କରିଥିଲେ। ଏତେ ସଂଖ୍ୟକ ଯୁବତୀ ଓ ନାବାଳିକାଙ୍କୁ ଏକାଠି ଦେଖିବା ପରେ ଗ୍ରାମବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ପାଖକୁ ଯାଇ ପଚାରିବାରୁ ଦାଦନ ଖଟିବାକୁ କଟକ ଯାଉଥିବା ସମସ୍ତେ କହିଥିଲେ। ଅନ୍ୟପଟେ ଯୁବତୀ ଓ ନାବାଳିକା ମାନଙ୍କୁ ଗ୍ରାମବାସୀ ପ୍ରଶ୍ନ କରୁଥିବା ଦେଖି ନିକଟରେ ଥିବା ଦଲାଲ ଡଲି ଚମ୍ପଟ ମାରିଥିଲା। ପରେ ଗ୍ରାମବାସୀ ଉଦ୍ଧାର ଦାଦନଙ୍କୁ ସୁରକ୍ଷିତ ଭାବେ ନିଜ ଗାଁକୁ ପଠାଇ ଦେଇଥିବା ଜଣାପଡିଛି।