୧୩ ଅଧିକାରୀଙ୍କୁ ଆଇଏଫଏସ୍‌ ପଦୋନ୍ନତି

ଭୁବନେଶ୍ୱର,: ଓଡ଼ିଶା ବନସେବାର ୧୩ଜଣ ଅଧିକାରୀ ଭାରତୀୟ ବନସେବା (ଆଇଏଫଏସ)କୁ ପଦୋନ୍ନତି ପାଇଛନ୍ତି। ୨୦୦୮ରୁ ୨୦୧୪ବର୍ଷ ପାଇଁ ଏମାନଙ୍କୁ ପଦୋନ୍ନତି ମିଳିଛି। ୨୦୦୮ବର୍ଷ ପାଇଁ ଆଇଏଫଏସ ପଦବୀକୁ ପଦୋନ୍ନତି ପାଇଥିବା ଦୁଇ ଅଧିକାରୀ ହେଲେ, ରଶ୍ମିରଞ୍ଜନ ନାୟକ ଓ ବିଜୟକେତନ ଆଚାର୍ଯ୍ୟ। ୨୦୦୯ ବର୍ଷ ପାଇଁ ସୁଦୀପ୍ତ ଦାସ ଓ ପ୍ରସନ୍ନ କୁମାର ମିଶ୍ର ପଦୋନ୍ନତି ପାଇଥିବା ବେଳେ ୨୦୧୦ ମସିହା ପଦୋନ୍ନତି ତାଲିକାରେ ଅକ୍ଷୟ କୁମାର ପଟ୍ଟନାୟକ ଓ ଦିବାକର ମିଶ୍ରଙ୍କ ନାମ ରହିଛି। ୨୦୧୧ ମସିହାରେ ଅମିତାଭ ବ୍ରହ୍ମା ଏକମାତ୍ର ଅଧିକାରୀ ଭାବେ ଆଇଏଫଏସକୁ ପଦୋନ୍ନତି ପାଇଛନ୍ତି। ୨୦୧୨ ମସିହା ତାଲିକାରେ ଗୋଦବରୀଶ ପଣ୍ଡା ଓ ଚିତ୍ତରଞ୍ଜନ ମିଶ୍ରଙ୍କ ନାମ ରହିଥିବା ବେଳେ ୨୦୧୩ ପାଇଁ ଅରୁଣ କୁମାର ସାହୁ ଓ ପ୍ରଦୀପ୍ତ କୁମାର ମହାପାତ୍ର ଅଛନ୍ତି। ୨୦୧୪ ମସିହା ପାଇଁ ମନୋଜ ମହାପାତ୍ର ଓ ଭଞ୍ଜକିଶୋର ସ୍ୱାଇଁ ଆଇଏଫଏସ ପଦବୀକୁ ପଦୋନ୍ନତି ପାଇଛନ୍ତି। ଗତ ଫେବ୍ରୁଆରି ମାସରେ ବସିଥିବା ଚୟନ କମିଟି ପଦୋନ୍ନତି ପାଇଥିବା ଏହି ଅଫିସରମାନଙ୍କ ନାମ ଚୂଡ଼ାନ୍ତ କରିଛନ୍ତି। ଓଡ଼ିଶା ପାଇଁ ୧୪୧ଟି ମଞ୍ଜୁରିପ୍ରାପ୍ତ ଆଇଏଫଏସ ପଦବୀ ରହିଥିବା ବେଳେ ଏଥିରୁ ୯୯ଟି ପଦବୀ ସିଧାସଳଖ ପୂରଣ ହେଉଥିବା ବେଳେ ୪୨ଟି ପଦବୀ ପଦୋନ୍ନତି ଭିିତ୍ତିରେ ପୂରଣ ହୋଇଥାଏ। ବର୍ତମାନ ଓଡ଼ିଶା କ୍ୟାଡର୍‌ ଅଫିସରଙ୍କ ମଧ୍ୟରୁ ୮ ଜଣ ଡେପୁଟେସନରେ ଯାଇଥିବା ବେଳେ ଜଣେ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ମୋଟ ୭୪ଜଣ ଆଇଏଫଏସ ରାଜ୍ୟରେ କାର୍ଯ୍ୟରତ ଅଛନ୍ତି। ଓଡ଼ିଶା ବନସେବାର ବରିଷ୍ଠ ଅଧିକାରୀମାନଙ୍କ ନାମ ପଦୋନ୍ନତି ଭିତ୍ତିରେ ପୂରଣ ହେବାକୁ ଥିବା ଆଇଏଫଏସ ପଦବୀ ଲାଗି ତାଲିକାଭୁକ୍ତ ହୋଇଥାଏ। ହେଲେ ବରିଷ୍ଠତା ତାଲିକାର ଉପରେ ସଂରକ୍ଷିତ ଅଫିସର ରହିବେ ନାଁ ଅଣସଂରକ୍ଷିତ ବର୍ଗର ଅଫିସର ରହିବେ, ତାହାକୁ ନେଇ ଦୀର୍ଘଦିନ ଧରି ଅଦାଲତ ଲଢ଼େଇ ଚାଲିଥିଲା। ଶେଷରେ ୨୦୦୮ରୁ ୨୦୧୪ ମସିହା ପାଇଁ ୧୩ ଜଣ ଅଧିକାରୀଙ୍କୁ ପଦୋନ୍ନତି ମିଳିଥିବା ବେଳେ ୨୦୧୫ ଓ ୨୦୧୬ ମସିହା ପାଇଁ କୌଣସି ଅଫିସରଙ୍କ ନାମ ତାଲିକାଭୁକ୍ତ ହୋଇନାହିଁ। ଇତିମଧ୍ୟରେ ୨୦୧୭ ମସିହା ପାଇଁ ପଦୋନ୍ନତି ପାଇବାର ସମୟ ଆସିଯାଇଛି। ଓଡ଼ିଶା କ୍ୟାଡର୍‌ରେ ପଦୋନ୍ନତି ପାଇଥିବା ଏହି ୧୩ଜଣ ଅଫିସର ଯୋଗ ଦେବା ପରେ କାର୍ଯ୍ୟରତ ଅଧିକାରୀଙ୍କ ସଂଖ୍ୟା ୮୭ରେ ପହଞ୍ଚିବ। ତଥାପି ଏବେ ବି ରାଜ୍ୟରେ ଆହୁରି ୪୬ଟି ଆଇଏଫଏସ ପଦବୀ ଖାଲି ରହିଛି।

ସମ୍ବନ୍ଧିତ ଖବର