୪୦ ଡିଗ୍ରି ଉପରେ ୧୩ ସହର

ଭୁବ‌ନେଶ୍ବର : ତାତିରେ ଟକମକ ହେଉଛି ସାରା ଓଡ଼ିଶା। ସବୁଠି ପାରଦ ଉପରମୁହାଁ। ଦୁଇ ସପ୍ତା‌ହ ହେଲା ପଶ୍ଚିମ ଓଡ଼ିଶା ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଛି। ଉପକୂଳ ଓଡ଼ିଶାରେ ବି ଅନୁରୂପ ସ୍ଥିତି। ଭୁବନେଶ୍ବର, କଟକ, ଚାନ୍ଦବାଲିରେ କେଉଁ ଦିନ ବଢ଼ୁଛି ତ ଆଉ କେଉଁଦିନ କମୁଛି। ତେବେ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶା। ସ୍ଥିତିରେ ଏବେ କୌଣସି ସୁଧାର ଆସିବା ପରି ଲାଗୁନାହିଁ। ଗୁରୁବାର ସାରା ରାଜ୍ୟରେ ଭୋଟ ଗଣତି ହେବ। ଏହି ସମୟରେ ବି ପ୍ରଚଣ୍ଡ ତାତି ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ସ୍ଥିତିକୁ ଦୃଷ୍ଟିରେ ରଖି ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ହିଟ୍‌ୱେଭ୍‌ ଜାରି କରାଯାଇଛି। ୨୬ ତାରିଖ ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାର ଲୋକେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଆଶଙ୍କା‌ ରହିଛି।

ଅନ୍ୟପକ୍ଷରେ ଗତକାଲି ଅପେକ୍ଷା ଆଜି ଅଧିକ ସହରର ତାପମାତ୍ରା ୪୦ ଡିଗ୍ରି ଉପରକୁ ଚାଲିଯାଇଛି। ଟିଟିଲାଗଡ଼ ତାପମାତ୍ରା ସାମାନ୍ୟ ହ୍ରାସ ପାଇ ୪୩.୬ ଡିଗ୍ରିରେ ପହଞ୍ଚିଛି। ତେବେ ତାଳଚେର ତାପମାତ୍ରା ୪୪ ଡିଗ୍ରିରେ ପହଞ୍ଚିଛି। ଚାନ୍ଦବାଲି ତାପମାତ୍ରା ଆଜି ୪୧.୧ ଡିଗ୍ରି ହୋଇଥିବା ବେଳେ ମୋଟ ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ି, କୋରାପୁଟ ଓ କେନ୍ଦୁଝରର କେତେକ ସ୍ଥାନରେ ହାଲକା ବର୍ଷା ହୋଇଥିବା ସୂଚନା‌ ମିଳିଛି।

ସମ୍ବନ୍ଧିତ ଖବର