ରାୟଗଡା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତରେ ୧୩ଟି ନଳକୂପ ଅଚଳ, ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି ଲୋକେ

ଆମ୍ବଦଳା : ରାୟଗଡା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ୧୩ଟି ନଳକୂପ ଅଚଳ ହୋଇଥିବାରୁ ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି। କିନ୍ତୁ ଅଚଳ ନଳକୂପ ମରାମତି ନିମନ୍ତେ ଆରଡବ୍ଲୁଏସଏସ କର୍ତୃପକ୍ଷ କିମ୍ବା ପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

ସୂଚନା ଅନୁଯାୟୀ, ଇଚ୍ଛାପୁର ପଞ୍ଚାୟତର ବିଜେପୁର, ପେରାମରା, ତେରିମେରି, ଭାନପୁର ଗ୍ରାମର ୨ଟି ଲେଖାଏଁ ଓ ଡାଙ୍ଗବାଡ଼ି, ଇଚ୍ଛାପୁର, ବରଗୁଡ଼ା ନୂଆପଡ଼ା, ଓଡ଼ିମାସକା, କାଞ୍ଚନଭଟ୍ଟା ଗ୍ରାମର ଗୋଟିଏ ଲେଖାଏଁ ନଳକୂପ ଅଚଳ ହୋଇଥିବା ଜଣାପଡିଛି। ଏଥିଯୋଗୁଁ ପାଣି ପାଇଁ ଗ୍ରାମବାସୀଙ୍କୁ ନାଳ ଓ ଝରଣା ଉପରେ ନିର୍ଭର କରିବାକୁ ପଡ଼ୁଛି। ନାଳ ଓ ଝରଣାର ଦୂଷିତ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ଏନେଇ ପଞ୍ଚାୟତର ଏସିଏମ୍ କାର୍ତ୍ତିକ ପୂଜାରୀଙ୍କୁ ପଚାରିବାରୁ ମରାମତି ନିମେନ୍ତ କୌଣସି ସାମଗ୍ରୀ ଦିଆଯାଉନଥିବାରୁ ଅଚଳ ନଳକୂପ ମରାମତି ହୋଇପାରୁନଥିବା କହିଛନ୍ତି। ବିଭିନ୍ନ ଗ୍ରାମର ପାନୀୟ ଜଳ ସମସ୍ୟା ସଂପର୍କରେ ଆରଡବ୍ଲୁଏସଏସ ଯନ୍ତ୍ରୀଙ୍କୁ ପଚାରିବାରୁ ଆସନ୍ତାକାଲି ସମସ୍ତ ଅଚଳ ନଳକୂପ ମରାମତି କରାଯିବ ବୋଲି କହିଛନ୍ତି। ଅନ୍ୟପଟେ ଅଚଳ ନଳକୂପ ମରାମତି କରାଯିବା ନେଇ ଗତ ୧୫ଦିନ ହେଲା ବିଭାଗୀୟ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇ ଆସୁଥିଲେ ହେଁ ନଳକୂପ ମରାମତି ହୋଇପାରୁନଥିବା ପଞ୍ଚାୟତର ଦୟାନିଧି ନାୟକ, ସନ୍ତୋଷ ଗୌଡ଼, ନିରଞ୍ଜନ ଗୌଡ଼, ଜୁଗରାମ କଚିମ, ରୋହିତ ବଚା, ଟୁନା ବିଶ୍ବାଳ ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶୀଘ୍ର ଏଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର