ବାତ୍ୟାରେ ଜନ୍ମ ନେଲେ ୧୩୦ ଶିଶୁ, ୫ ଜିଲ୍ଲାରେ ୭ ହଜାରରୁ ଅଧିକ ଆହତଙ୍କୁ ଚିକିତ୍ସା ପ୍ରଦାନ

ଭୁବନେଶ୍ବର: ‘ତିତ୍‌ଲି’ବାତ୍ୟା ସମୟ‌ରେ ଓଡ଼ିଶାର ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୧୩୦ଜଣ ଶିଶୁ ଜନ୍ମ ନେଇଛନ୍ତି। ପ୍ରଭାବିତ ଜିଲ୍ଲାଗୁଡ଼ିକରୁ ଆସନ୍ନ ପ୍ରସବାମାନଙ୍କୁ ପ୍ରସବ ଗୃହ/ମା’ ଗୃହକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୨୭୭ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଥିମଧ୍ୟରୁ ୧୧୩ଜଣଙ୍କ ନିରାପଦ ପ୍ରସବ ହୋଇପାରିଛି। ଏହାସହ ୫ଟି ପ୍ରଭାବିତ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୭ ହଜାରରୁ ଅଧିକ ଆହତଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି। ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୧୫ଜଣ ଗର୍ଭବତୀଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୪ଜଣ, ରାୟଗଡ଼ାରେ ୯୦ ଗର୍ଭବତୀଙ୍କ ମଧ୍ୟରୁ ୨୫ ଓ ଗଜପତିରେ ୬୯ଗର୍ଭବତୀଙ୍କ ମଧ୍ୟରୁ ୪୧ଜଣ ଶିଶୁ ଜନ୍ମ ନେଇଥିବା ରେକର୍ଡ କରାଯାଇଛି। ସେହିପରି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏ ପର୍ଯ୍ୟନ୍ତ ୫୪ଜଣ ଡାକ୍ତରଙ୍କୁ ବାହାରୁ ଅଣାଯାଇ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ମୁତୟନ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୦ଜଣ ଡାକ୍ତର ମୁତୟନ ‌େହାଇଛନ୍ତି। ସେହିପରି ଗଞ୍ଜାମ, ଗଜପତି, ରାୟଗଡ଼ା, କଟକ ଓ ବ‌ାଲେଶ୍ବର ଜିଲ୍ଲାରେ ସମୁଦାୟ ୮୨ଟି ମୋବାଇଲ୍‌ ଟିମ୍‌ ମୁତୟନ ହୋଇଛନ୍ତି।

ଏହି ୫ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ ୭୨୭୬ ଆହତଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୬୮୧୧ଜଣ, ରାୟଗଡ଼ାରେ ୭୭, କଟକରେ ୨୨ ଓ ବାଲେଶ୍ବର ଜିଲ୍ଲାରେ ୩୬୬ ଜଣଙ୍କୁ ଚିକିତ୍ସା ସୁବିଧା ଦିଆଯାଇଛି। ଗାଁ ଗାଁରେ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଗାଁ କଲ୍ୟାଣ ସମିତିକୁ କାର୍ଯ୍ୟରେ ଲଗାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏ ପର୍ଯ୍ୟନ୍ତ ୨୩୮ ଗାଁରେ ସଫେଇ କାର୍ଯ୍ୟ ଶେଷ ହୋଇଛି। ଗଜପତି ଜିଲ୍ଲାରେ ସର୍ବାଧିକ ୧୨୬ଟି ଗାଁରେ ସଫେଇ ହୋଇଥିବା ବେଳେ ଗଞ୍ଜାମରେ ୫୨, ବାଲେଶ୍ବର ୩୨, ରାୟଗଡ଼ାରେ ୨୧ ଓ କଟକରେ ୭ ଗାଁରେ ସଫେଇ କାର୍ଯ୍ୟ ଶେଷ ହୋଇଛି। ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୬୪୯୪ ଜଳାଶୟକୁ ବିଶୋଧନ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୨୬୮ ଜଳାଶୟକୁ ବିଶୋଧନ କରାଯାଇଥିବା ବେଳେ ଗଜପତିରେ ୩୦୪ ସରକାରୀ ଓ ୬୧୨ ବେସରକାରୀ ଜଳାଶୟକୁ ବିଶୋଧନ କରାଯାଇଛି। କଟକରେ ୨୩୬, ରାୟଗଡ଼ାରେ ୩୯ ଓ ବାଲେଶ୍ୱରରେ ୩୫ ଜଳାଶୟ ବିଶୋଧନ ହୋଇପାରିଛି। ଅପରପ‌କ୍ଷେ କ୍ଷେତ୍ରସ୍ତରରେ ଚିକିତ୍ସା ସେବାକୁ ତ୍ବରାନ୍ବିତ କରିବା ଲାଗି ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏହାକୁ ତଦାରଖ କରୁଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ରାୟଗଡ଼ା, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚନା ପଟ୍ଟନାୟକ ଗଞ୍ଜାମ, ଅତିରିକ୍ତ ଶାସନ ସଚିବ ହରିବଲ୍ଲଭ ମିଶ୍ର ଗଜପତି, ଅତିରିକ୍ତ ଶାସନ ସଚିବ ଶରତ ଚନ୍ଦ୍ର ମିଶ୍ର କଟକ, କେନ୍ଦ୍ରାପଡ଼ା ଓ ଯାଜପୁର ଏବଂ ଅତିରିକ୍ତ ଶାସନ ସଚିବ ବିଭୂତି ଭୂଷଣ ଦାସ ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ତଦାରଖ କରୁଛନ୍ତି।

ସମ୍ବନ୍ଧିତ ଖବର