କପିଳାସ ରୋଡ ଓ ଶାଳଗାଁ ରେଳଷ୍ଟେସନ ମଧ୍ୟରେ ଆଧୁନିକୀକରଣ କାର୍ଯ୍ୟ: ୧୪ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ବର : ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ଅନ୍ତର୍ଗତ କପିଳାସ ରୋଡ୍‌ ଓ ଶାଳଗାଁ ରେଳଷ୍ଟେସନ୍‌ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। ତାହାକୁ ଦୃଷ୍ଟିରେ ରଖି ଆସନ୍ତା ୨୫ ତାରିଖଠାରୁ ୩୧ ତାରିଖ ମଧ୍ୟରେ ୮ ଏକ୍ସପ୍ରେସ ଟ୍ରେନ୍‌ ବାତିଲ୍‌ ହୋଇଛି। ୬ଟି ଲୋକାଲ ପାସେଞ୍ଜର ଟ୍ରେନ୍‌ ସହ କିଛି ସପ୍ତାହିକ ଓ ଦ୍ବି-ସାପ୍ତାହିକ ଟ୍ରେନ୍‌କୁ ବାତିଲ କରାଯାଇଛି।

ମେ’ ୨୫ରୁ ୩୧ ମଧ୍ୟରେ ବାତିଲ ହେଉଥିବା ଲୋକାଲ ପାସେଞ୍ଜର ଟ୍ରେନଗୁଡ଼ିକ ମଧ୍ୟରେ ଖଡଗପୁର-ଖୋର୍ଦ୍ଧା ରୋଡ୍‌-ଖଡଗପୁର ଫାଷ୍ଟ ପାସେଞ୍ଜର ଉଭୟ ଦିଗରୁ ବାତିଲ୍‌ ହୋଇଛି। ଏଥିସହ ସନ୍ତ୍ରାଗାଛି-ପୁରୀ-ସନ୍ତ୍ରାଗାଛି ପାସେଞ୍ଜର ଉଭୟ ଦିଗରୁ, ପୁରୀ-ରାଉରକେଲା-ପୁରୀ ପାସେଞ୍ଜର, କଟକ-ଭଦ୍ରକ-କଟକ ପାସେଞ୍ଜର, କେନ୍ଦୁଝରଗଡ଼-ଭୁବନେଶ୍ୱର-କେନ୍ଦୁଝରଗଡ଼ ପାସେଞ୍ଜର, ତାଳଚେର-ପୁରୀ-ତାଳଚେର ମେମୁ ବାତିଲ୍‌ କରାଯାଇଛି। ଏକ୍ସପ୍ରେସ ଟ୍ରେନଗୁଡ଼ିକ ହେଲା ପୁରୀ-ଦୀଘା ଏକ୍ସପ୍ରେସ ପୁରୀରୁ ମେ’ ୨୫ରେ, ଦିଘା-ପୁରୀ ଏକ୍ସପ୍ରେସ ଦିଘାରୁ ମେ’ ୨୬, ବିଶାଖାପାଟଣା-ପାରାଦୀପ ଏକ୍ସପ୍ରେସ ବିଶାଖାପାଟଣାରୁ ମେ’ ୨୬, ପାରାଦୀପ-ବିଶାଖାପାଟଣା ଏକ୍ସପ୍ରେସ ପାରାଦୀପରୁ ମେ’ ୨୯ରେ, ପାରାଦୀପ-ସନ୍ତ୍ରାଗାଛି ଏକ୍ସପ୍ରେସ ପାରାଦୀପରୁ ମେ’ ୨୭ ଦିନ, ସନ୍ତ୍ରାଗାଛି-ପାରାଦୀପ ଏକ୍ସପ୍ରେସ ସନ୍ତ୍ରାଗାଛିରୁ ମେ’ ୨୮, ବିଶାଖାପାଟଣା-ଦିଘା ଏକ୍ସପ୍ରେସ ବିଶାଖାପାଟଣାରୁ ମେ’ ୩୦, ଦିଘା-ବିଶାଖାପାଟଣା ଏକ୍ସପ୍ରେସ ଦିଘାରୁ ମେ’ ୩୧ ଦିନ ବାତିଲ୍‌ ହୋଇଛି।

ଅନ୍ୟପକ୍ଷରେ ୮ଟି ଟ୍ରେନ୍‌ କଟକ ମାର୍ଗଦେଇ ଚଳାଚଳ କରିବ। ୧୭ଟି ଟ୍ରେନ୍‌ କଟକ ପରିବର୍ତ୍ତେ ନରାଜ ମାର୍ଗ ଦେଇ ଚଳାଚଳ କରିବ। ମାର୍ଗ ପରିବର୍ତ୍ତିତ ହେଉଥିବା ଟ୍ରେନଗୁଡ଼ିକର ଯାତ୍ରୀ ମାନଙ୍କୁ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯାଇଛି। ପୂର୍ବତଟ ରେଳପଥ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇ କଟକ ଷ୍ଟେସନ୍‌ଠାରେ ଟ୍ରେନ୍‌ରେ ଯିବାକୁ ଥିବା ଓ କଟକ ଷ୍ଟେସନ୍‌ଠାରେ ଟ୍ରେନ୍‌ରୁ ଓହ୍ଲାଇବାକୁ ଥିବା ଯାତ୍ରୀମାନଙ୍କ ପାଇଁ ମାଗଣା ବସ ସେବା ସୁବିଧା କଟକ ଓ ନରାଜ ଷ୍ଟେସନ ମଧ୍ୟରେ କରାଯାଇଛି। ଟ୍ରେନ ଟିକେଟ ଯାଞ୍ଚ କର୍ମଚାରୀମାନେ କଟକ ଓ ନରାଜ ମଧ୍ୟରେ ଏହି ବସ ପରିଚାଳନା ପାଇଁ ଯାତ୍ରୀମାନଙ୍କୁ ସହାୟତା କରିବେ।

ମାର୍ଗ ପରିବର୍ତ୍ତିତ ଟ୍ରେନ୍‌ଗୁଡ଼ିକର ଯାତ୍ରୀ ମାନଙ୍କ ସୂଚନା ପାଇଁ ରେଳପଥ ପକ୍ଷରୁ ଏସ୍‌ଏମଏସ୍‌ ଦ୍ୱାରା ଜଣାଇ ଦିଆଯାଇଛି। ଯାତ୍ରୀମାନେ ଯାତ୍ରା କରିବାକୁ ଥିବା ଷ୍ଟେସନ୍‌ରେ ଏକ ଘଣ୍ଟା ପୂର୍ବରୁ ପହଞ୍ଚିବା ପାଇଁ ଯାହାଦ୍ୱାରା ସେମାନଙ୍କୁ କଟକ ଓ ନରାଜ ଷ୍ଟେସନକୁ ନେବା ଆଣିବା କରିବା ପାଇଁ ସୁବିଧା ହେବ। ଏଥିସହ କଟକ ଓ ନରାଜ ଷ୍ଟେସନଠାରେ ଯାତ୍ରୀମାନଙ୍କୁ ସହାୟତା କରିବା ପାଇଁ ହେଲ୍ପ ଡେସ୍କ ସୁବିଧା ହୋଇଛି। ଟ୍ରେନ ଓ ବସ୍‌ ସମ୍ବନ୍ଧରେ ଜାଣିବା ପାଇଁ ଫ୍ଲେକ୍ସ ବୋର୍ଡ ମାଧ୍ୟମରେ ସୂଚନା ଦିଆଯାଇଛି। ଯାତ୍ରୀମାନଙ୍କ ସୂଚନା ପାଇଁ ପୁରୀ, ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ ଅନୁଗୁଳ ଷ୍ଟେସନଗୁଡ଼ିକରେ ଡାକବାଜି ଦ୍ୱାରା ବାତିଲ ଓ ମାର୍ଗ ପରିବର୍ତ୍ତନ ଟ୍ରେନଗୁଡିକ ସମ୍ବନ୍ଧରେ କ୍ରମାଗତ ଭାବେ ସୂଚନା ପ୍ରଦାନ କରାଯିବ। ଯାତ୍ରୀ ମାନଙ୍କ ନିରାପତ୍ତା ସହିତ ସେମାଙ୍କର ଜିନିଷପତ୍ର ସୁରକ୍ଷା ପାଇଁ ଉଭୟ କଟକ ଓ ନରାଜ ଷ୍ଟେସନଠାରେ ସ୍ୱତନ୍ତ୍ର ନିରାପତ୍ତା ବ୍ୟବସ୍ଥା ହେବ।

ସମ୍ବନ୍ଧିତ ଖବର