ନୟାଗଡ଼ରେ ବଢ଼ି ଚାଲିଛି ଚୋରା ମଦ କାରବାର: ୪ ବର୍ଷରେ ୧୪୦୦ ମାମଲା

ଲୋକ ସଂଖ୍ୟାରେ ଜିଲ୍ଲା ଛୋଟ, ମଦ କାରବାରରେ ଆଗୁଆ

ନୟାଗଡ଼: ନୟାଗଡ଼ ଜିଲ୍ଲା ଲୋକ ସଂଖ୍ୟା ଦୃଷ୍ଟିରୁ ରାଜ୍ୟର ୨୨ତମ ଜିଲ୍ଲାଭାବେ ପରିଗଣିତ ହେଉଛି। ୨୦୧୧ ଜନଗଣନା ଅନୁସାରେ ଏଠାକାର ଲୋକ ସଂଖ୍ୟା ୯ ଲକ୍ଷ ୬୨ ହଜାର ୭୮୯। କିନ୍ତୁ ଚୋରା‌ ମଦ ତଥା ଅନ୍ୟ‌ାନ୍ୟ ନିଶାକୁ ନେଇ ରୁଜୁ ହୋଇଥିବା ମାମଲାରେ ଏହା ଲୋକସଂ ଖ୍ୟା ଦୃଷ୍ଟିରୁ ବଡ଼ ଜିଲ୍ଲାକୁ ମଧ୍ୟ ଟକ୍କର ଦେଲା ଭଳି ସ୍ଥିତିରେ। ଜିଲ୍ଲା ଅବକାରୀ ବିଭାଗ କାର୍ଯ୍ୟାଳୟ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ, ୨୦୧୫-୧୬ ମସିହାରେ ଦେଶୀ, ବିଦେଶୀ ଆଦି ବେଆଇନ ଚୋରା ମଦ କାରବାରକୁ ନେଇ ୨୮୮ଟି ମାମଲା ରୁଜୁ ହୋଇଥିବା ବେଳେ ୧୯୦ ଜଣ ଗିରଫ ହୋଇଥିଲେ। ୨୦୧୬-୧୭ ବର୍ଷରେ ୩୪୦ ମାମଲା ରୁଜୁ ହୋଇଥିବାବେଳେ ୧୭୪ ଜଣ ଗିରଫ ହୋଇଥିଲେ। ସେହିଭଳି ୨୦୧୭-୧୮ରେ ମାମଲା ସଂଖ୍ୟା ୩୬୯ ମାମଲା ହୋଇଥିବାବେଳେ ୨୦୨ ଜଣ ଗିରଫ ହୋଇଛନ୍ତି। ୨୦୧୮-୧୯ ବର୍ଷରେ ୪୨୦ ମାମଲା ରୁଜୁ ହୋଇଥିବା ବେଳେ୨୯୭ ଜଣ ଗିରଫ ହୋଇଛନ୍ତି। ୧୮୮ଟି ମାମଲାର ଚାର୍ଚସିଟ୍ କରାଯାଇଛି। ମାମଲା ସଂଖ୍ୟାକୁ ଦେଖିଲେ ପ୍ରତିବର୍ଷ ଚୋରା ମଦ କାରବାର ବଢିଛି। ଅବକାରୀ ବିଭାଗର ୱେବସାଇଟ୍‌ରେ କେବଳ ୨୦୧୮-୧୯ର ତଥ୍ୟ ଉପଲବ୍ଧ ହେଉଛି। ସେହି ତଥ୍ୟକୁ ବିଚାର କଲେ ‌ଚୋରା ମଦ କାରବାରକୁ ନେଇ ପୁରୀ ଭଳି ବଡ଼ ଜିଲ୍ଲାରେ ୫୨୪ଟି ମାମଲା, ଭଦ୍ରକରେ ୪୭୦, ଯାଜପୁରରେ ୩୭୦ ମାମଲା ରୁଜୁ ହୋଇଥିବାବେଳେ ନୟାଗଡ଼ରେ ୪୨୦ ମାମଲା। କେଉଁଠି ଏହା ବଡ଼ ଜିଲ୍ଲାକୁ ମାମଲାରେ ଅତିକ୍ରମ କରିଛି ତ ଆଉ କେଉଁଠି ପାଖାପାଖି ରହିଛି।
୨୦୧୪-୧୫ ବର୍ଷରେ ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗ ରାଜସ୍ବ ବାବଦରେ ୩କୋଟି ୭୫ ଲକ୍ଷ ୫୬ ହଜାର ୫୪୩ ଟଙ୍କା ପାଇଥିବାବେଳେ, ୨୦୧୫-୧୬ ବର୍ଷରେ ୩ କୋଟି ୩୦ ଲକ୍ଷ ୯୩ ହଜାର ୯୮୬ ଟଙ୍କା, ୨୦୧୬-୧୭ରେ ୫ କୋଟି ୪୪ ଲକ୍ଷ ୮୯ ହଜାର ୩୮୬ ଟଙ୍କା, ୨୦୧୭-୧୮ରେ ୩ କୋଟି ୭୮ ଲକ୍ଷ ୧୫୯୬ ଟଙ୍କା‌, ୨୦୧୮-୧୯ ବର୍ଷରେ ୩ କୋଟି ୯୦ ଲକ୍ଷ ୮୫ ହଜାର ୭୦୨ ଟଙ୍କା ସଂଗ୍ରହ କରିଛି। ଅର୍ଥାତ୍ ପ୍ରତିବର୍ଷ ମଦ ପିଇବାକୁ ମଦୁଆ ପାଣି ପରି ଟଙ୍କା ଖର୍ଚ କରିଛନ୍ତି।
ବିଗତ ପାଞ୍ଚ ବର୍ଷରେ ଜିଲ୍ଲା ଅବକାରୀ ବିଭାଗ ରାଜସ୍ବ ବାବଦରେ ସମୁଦାୟ ୨୦ କୋଟି ୨ ଲକ୍ଷ ୨୭ ହଜାର ୨୧୩ ଟଙ୍କା ସଂଗ୍ରହ କରିଛି। ବେଆଇନ ମଦ କାରବାରକୁ ନେଇ ଜିଲ୍ଲାରେ ଯେତିକି ମାମଲା ରୁଜୁ ହୋଇଛି, ବାସ୍ତବରେ ଏହା ପ୍ରକୃତ କାରବାରଠାରୁ ଢେର୍ କମ୍। ନୟାଗଡ଼ରେ ଅବକାରୀ ବିଭାରଗ ୪ଟି ଷ୍ଟେସନ ନୟାଗଡ଼, ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା ଅଞ୍ଚଳରେ ୨୬ଟି ଠିପି ବନ୍ଦ ବିଦେଶୀ ମଦଦୋକାନ ଥିବା‌ବେଳେ ୫ଟି ଠିପି‌ ଖୋଲା ମଦ ଦୋକାନ, ୧୫ଟି ବିୟର ପାର୍ଲର ଓ ୧୮ଟି ଦେଶୀ ମଦ ଦୋକାନ ରହିଛି। ଅନେକ ହୋଟେଲ ଠାରୁ ଆରମ୍ଭ କରି ଗାଁ ଗହଳରେ ବେଶ୍ ଆରାମରେ ବେଆଇନ ମଦ ବ୍ୟବସାୟ ବି ଚାଲିଛି। ହତ୍ୟା, ଦୁଷ୍କର୍ମ ଭଳି ଗୁରୁତର ଅପରାଧ ପଛରେ ମଦ ଏକ ପ୍ରମୁଖ କାରଣ ସାଜୁଥିବା ବେଳେ ନୟାଗଡ଼ ଜିଲ୍ଲାରେ କିନ୍ତୁ ଗଳିକନ୍ଦିରେ ଏହା ସହଜରେ ଉପଲବ୍ଧ ହେଉଛି। ଏହା ଅବକାରୀ ବିଭାଗ ଜାଣିଥିଲେ ମଧ୍ୟ ଏଥିରେ ନେତାଙ୍କ ହାତ ସହ ଅପରାଧପ୍ରବଣ ଯୁବକଙ୍କ ହାତ ରହୁଥିବା‌ରୁ ଅବକାରୀ ବିଭାଗ ସେମାନଙ୍କୁ ଧରିବା ଏତେ ସହଜ ନୁହେଁ ବୋଲି ଜଣେ ଅଧିକ‌ାରୀ କହିଛନ୍ତି।

ସମ୍ବନ୍ଧିତ ଖବର