ପୁରୀ: ବ୍ରହ୍ମଗିରି ବ୍ଲକ କାର୍ଯ୍ୟାଳୟ ପରିସରରେ ଖଣ୍ଡଯୁଦ୍ଧ, ୧୪୪ ଧାରା ଜାରି

ପୁରୀ: ବ୍ରହ୍ମଗିରି ସଦର ବ୍ଲକ କାର୍ଯ୍ୟାଳୟଠାରେ ବୁଧବାର ୨ଟି ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ ବିଭିନ୍ନ ସମସ୍ୟା ନେଇ ପ୍ରାୟ ୨୫ ଜଣ ସରପଞ୍ଚ ଓ ସମିତି ସଦସ୍ୟ ୩ ଦିନ ହେବ ଧାରଣାରେ ବସିଥିଲେ। ଧାରଣାର ପରବର୍ତ୍ତୀ ପନ୍ଥା କ’ଣ କରାଯିବା ସେ ନେଇ ସେମାନେ ଆଲୋଚନା କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ସେଠାରେ ପହଞ୍ଚି ଯୁକ୍ତିତର୍କ କରିଥିଲେ। ଏହି ଯୁକ୍ତିତର୍କ ପରବର୍ତ୍ତୀ ସମୟରେ ଭୟଙ୍କର ରୂପ ୨ଟି ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥଲା। ଘଟଣାରେ ୨ଟି ଗୋଷ୍ଠୀର ୫ ଜଣ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଧାରା ୧୪୪ ଜାରି କରାଯାଇଛି।

ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ ଆଦିର ସୁବନ୍ଦୋବସ୍ତ କରିବା ଦାବି ନେଇ ୨୫ ଜଣ ସରପଞ୍ଚ ଓ ସମିତି ସଦସ୍ୟ ଚଳିତ ମାସ ୨୭ ତାରିଖରୁ ବ୍ଲକ କାର୍ଯ୍ୟାଳୟଠାରେ ଧାରଣାରେ ବସିଥିଲେ। ଆଜି ସେମାନେ ଆଲୋଚନା କରୁଥିବା ବେଳେ ବାହାରୁ ଏକ ଗୋଷ୍ଠୀ ଯାଇ ଗଣ୍ଡଗୋଳ ଆରମ୍ଭ କରିଥିଲେ। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରିସ୍ଥିିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି। ପୁରୀ ଜିଲ୍ଲା ପିଡି ଡିଆରଡିଏ, ଉପ-ଜିଲ୍ଲାପାଳ, ବ୍ଲକ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ ଉପସ୍ଥିତିରେ ୧ ପ୍ଲାଟୁନ ପୁଲିସ ମତୟନ କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଖବର ମିଳିଛି।

ସମ୍ବନ୍ଧିତ ଖବର