କୋରାପୁଟରେ ପଥର ଧସିବା ଘଟଣା: ପହଞ୍ଚିଲେ ସେନାର ୧୨ ଜଣିଆ ଟିମ୍‌, ବ୍ଲାଷ୍ଟିଂ ପ୍ରକ୍ରିୟା ଆରମ୍ଭ

ପାହାଡ଼ରେ ୧୪୪ ଧାରା ଜାରି

ଜୟପୁର: ଗୁମ୍ମା ପଥର କୁଅାଁରିରେ କଣ୍ଟ୍ରୋଲ ବ୍ଲାଷ୍ଟିଂ ପାଇଁ ସେନାର ୧୨ ଜଣିଆ ଟିମ୍‌ ଗୁରୁବାର ଏକ ସ୍ୱତନ୍ତ୍ର ହେଲିକପ୍ଟଟରେ କୋରାପୁଟ ପହଁଚିଛନ୍ତି। ମେଜର ଶଶାଙ୍କ ଯାଦବ ଓ କ୍ୟାପଟେନ ଧର୍ମେନ୍ଦ୍ର ଏହି ଟିମ୍‌ର ନେତୃତ୍ୱ ନେଇଛନ୍ତି। ଏହି ଟିମ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ ବହୁ ପ୍ରତିକ୍ଷିତ ତେଲିଙ୍ଗିର ଜଳସେଚନ ପ୍ରକଳ୍ପ ନିକଟ ଗୁମ୍ମା ପଥର କୁଅାଁରିରେ ପଥର ଧସିବା ଘଟଣାକୁ ୮ ଦିନ ବିତିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ୧୪୪ ଧାରା ଜାରି କରାଯାଇଛି। ଲୋକଙ୍କ ସୁରକ୍ଷା ପାଇଁ ଘଟଣାସ୍ଥଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ପାହାଡ଼ର ମୁଖ୍ୟ ରାସ୍ତାରେ ଥିବା ଗଛ ଓ କାନ୍ଥରେ ପୋଷ୍ଟର ଲଗାଯାଇଛି।

କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ସଞ୍ଜୟ ଦାସ ଓ ଦେବଗଡ଼ ଜିଲ୍ଲାର ଘନଶ୍ୟାମ ଗୁରୁଙ୍କୁ ଏପର୍ଯ୍ୟନ୍ତ ପଥର ତଳୁ ଉଦ୍ଧାର କରାଯାଇ ପାରି ନାହିଁ। ଉଦ୍ଧାର ପାଇଁ ଏନଡିଆରଏଫ ଟିମ ଆସିଥିଲେ ମଧ୍ୟ ଜେସିବି ଅପରେଟରଙ୍କୁ ପଥର ତଳୁ ବାହାର କରାଯାଇ ପାରିନାହିଁ। ଫଳରେ ଉଦ୍ଧାର କାର୍ଯ୍ୟ ପାଇଁ ସେନାକୁ ସହାୟତା ମଗାଯାଇଛି।

ପୂର୍ବରୁ ଏନ୍‌ଡିଆରଏଫ ଟିମ୍‌ କହିଥିଲା ଯେ, ଅତ୍ୟାଧୁନିକ ମେସିନ ନହେଲେ, ଉଦ୍ଧାର କାର୍ଯ୍ୟ ସମ୍ଭବ ନୁହେଁ। ସେନା ଦ୍ୱାରା ପଥର ତଳେ ଚାପି ହୋଇଯାଇଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯିବା ପାଇଁ ଉଦ୍ୟମ ଚାଲିଛି। ଗତ ଶୁକ୍ରବାର ଡିଡି କନଷ୍ଟ୍ରକସନର ୩ଟି ମେସିନ କାର୍ଯ୍ୟରେ ଲାଗିଥିଲା। ପ୍ରଶାସନ ପକ୍ଷରୁ ଏକ ଜେସିବିକୁ ଲକ୍ଷ୍ମୀପୁରରୁ ଅଣାଯାଇଥିଲେ ମଧ୍ୟ କିଛି କାର୍ଯ୍ୟରେ ଲଗାଯାଇ ପାରି ନଥିଲା। ଠିକାସଂସ୍ଥା ଓ ସୁପରଭାଇଜରଙ୍କ ନାମରେ ବି.ସିଂହପୁର ଥାନାରେ ପରିବାରବର୍ଗଙ୍କ ପକ୍ଷରୁ ମାମଲା ରୁଜୁ ହୋଇଥିବାବେଳେ ଆଜି ବି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରନାହିଁ।

ସମ୍ବନ୍ଧିତ ଖବର