୫ପରିବାରର ୧୫ବଖରା ଜଳିଗଲା, ୫ଗୋରୁ ଜୀବନ୍ତ ଦଗ୍ଧ

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ନାୟକାଣିଡିହି ବଳରାମପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ପରିବାରର ୧୫ବଖରା ଭସ୍ମୀଭୂତ ହୋଇଯାଇଛି। ଏଥିରେ ୫ଗୋରୁ ଜୀବନ୍ତ ଦଗ୍ଧ ହୋଇଛି।

ଗତକାଲି ପ୍ରଥମେ ଗ୍ରାମର ସୁକଦେବ ବେହେରାଙ୍କ ଘରେ ନିଆଁ ଲାଗିଥିଲା। ପରେ ନିଆଁ ଘନଶ୍ୟାମ ବେହେରା, ମାଗୁଣି ବେହେରା, ପାଗଳା ବେହେରାଙ୍କ ଘର ସମେତ କାଳନ୍ଦି ବେହେରାଙ୍କ ଘରକୁ ବ୍ୟାପି ଯାଇଥିଲା। ନିମିଷକ ମଧ୍ୟରେ ଏହି ୫ପରିବାରର ୧୫ ବଖରା ଜଳିଯାଇଥିଲା। ରାତି ହୋଇଥିବାରୁ ସମସ୍ତେ ଶୋଇଥିଲେ। ହଠାତ ଜାଣିପାରି ସମସ୍ତେ ଜୀବନ ବଞ୍ଚାଇବାକୁ ଘରୁ ବାହାରକୁ ପଳାଇ ଆସିଥିଲେ। ମାତ୍ର ଗୁହାଳରେ ବନ୍ଧା ହୋଇଥିବା ଗୋରୁମାନଙ୍କୁ ରକ୍ଷା କରିପାରି ନ ଥିଲେ।

ଅଗ୍ନିକାଣ୍ଡରେ ଦୁଇଟି ବାଛୁରୀ ସମେତ ୫ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ନିମିଷକ ମଧ୍ୟରେ ଗାଁ ଲୋକଙ୍କ ଆଖି ଆଗରେ ୫ ପରିବାରର ଧାନ ଚାଉଳ ସମେତ ଘରର ସମସ୍ତ ଆସବାବପତ୍ର, ଆବଶ୍ୟକୀୟ କାଗଜପତ୍ର ପୋଡି ଛାରଖାର ହୋଇଯାଇଥିଲା। ଖବର ପାଇ ବାସୁଦେବପୁରରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଆଜି ସ୍ଥାନୀୟ ତହସିଲଦାର ଗୋପୀନାଥ କୁଅଁର, ରାଜସ୍ୱ ନିରୀକ୍ଷକ, ସରପଞ୍ଚ ପ୍ରତିନିଧି ପ୍ରମୁଖ ଅଗ୍ନିବିପନ୍ନଙ୍କ ପାଖରେ ପହଞ୍ଚି ସହାୟତା ଯୋାଗଇଛନ୍ତି।

ସମ୍ବନ୍ଧିତ ଖବର