୧୫ ଓଡ଼ିଆ ଯୁବତୀ ସାଉଦିରେ କ୍ରୀତଦାସୀ

ଚାଲାଣ କରିଛି ବିଶ୍ୱଜିତ୍‌ଙ୍କ ର‍୍ୟାକେଟ୍‌

ରାଉରକେଲା : ସାଉଦି ଆରବକୁ ଯୁବତୀ ଚାଲାଣ ଅଭିଯୋଗରେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରୁ ଗିରଫ ମୁଖ୍ୟ ଅଭିଯୁକ୍ତ ବିଶ୍ୱଜିତ୍‌ଙ୍କ ସମ୍ପର୍କରେ ଦୁଇଜଣ ପୀଡ଼ିତା ଆଜି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସାଉଦି ଆରବରୁ ଫେରି ବିଶ୍ୱଜିତଙ୍କ ବିରୋଧରେ ଫେରାଦ ହୋଇଥିବା ଦୁଇ ପୀଡ଼ିତା ଆଜି ବିଶ୍ୱଜିତଙ୍କୁ ଦେଶଦ୍ରୋହୀ ବର୍ଣ୍ଣନା କରି ତାଙ୍କୁ ଜାମିନ୍‌ରେ ନଛାଡ଼ିବାକୁ ଓ ତାଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ମିଳିବା ଉଚିତ ବୋଲି ନିବେଦନ କରିଛନ୍ତି।

ସାମ୍ବାଦିକମାନଙ୍କ ଆଗରେ ତିକ୍ତ ଅନୁଭୂତି ବର୍ଣ୍ଣନା କରି ସେମାନେ କହିଥିଲେ, ବିଶ୍ୱଜିତଙ୍କ ର‍୍ୟାକେଟ୍‌ ଦ୍ୱାରା ଚାଲାଣ ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାର ୧୫ ଜଣ ଯୁବତୀ ଏବେ ସାଉଦି ଆରବରେ କ୍ରୀତଦାସୀ ଭାବେ ଖଟୁଛନ୍ତି। ଏହି ର‍୍ୟାକେଟ୍‌ ତାମିଲନାଡ଼ୁ, କର୍ଣ୍ଣାଟକ, ଝାଡ଼ଖଣ୍ଡ, ବିହାର ଓ ମହାରାଷ୍ଟ୍ର ଆଦି ରାଜ୍ୟରୁ ଯୁବତୀମାନଙ୍କୁ ଆରବ ଚାଲାଣ କରି ସେଠାରେ ୧୦ ଲକ୍ଷରୁ ୧୫ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି। ବିଶ୍ୱଜିତଙ୍କ ଫାଶରେ ସେମାନେ କିପରି ପଡ଼ିଲେ-ତାହାର ଘଟଣାକ୍ରମ ବର୍ଣ୍ଣନା କରି କହିଥିଲେ, ସାଉଦିରେ କାରଖାନା ଓ ବଗିଚା କାମ ପାଇଁ ମାସକୁ ୪୦ ହଜାର ଟଙ୍କାରୁ ଅଧିକ ପ୍ରାପ୍ୟ ମିଳୁଛି। ଏଥିରେ ପ୍ରଲୋଭିତ ହେବା ପରେ ସେମାନଙ୍କୁ ଚାଲାଣ କରିବା ଲାଗି ବିଶ୍ୱଜିତଙ୍କ ର‍୍ୟାକେଟ୍‌ ପାସ୍‌ପୋର୍ଟ ଓ ଭିସା କରାଇଥିଲେ। ତେବେ ସେମାନେ ସାଉଦି ଆରବରେ ପହଞ୍ଚିବା ପରେ ଗୋଟିଏ ଘରେ ୬୦ରୁ ଅଧିକ ଭାରତୀୟ ଯୁବତୀଙ୍କୁ ଉଲଗ୍ନ କରି ବିଦ୍ୟୁତ୍‌ ସକ୍‌ ଦିଆଯାଉଥିବା ଦେଖି ଆତଙ୍କିତ ହୋଇପଡ଼ିଥିଲେ। ସେମାନେ ତୁରନ୍ତ ଭାରତ ଫେରିଯିବାକୁ କାକୁତିମିନତି ହେବାରୁ ସେମାନଙ୍କୁ ଦଲାଲ୍‌ ୧୦ ଲକ୍ଷ ଲେଖାଏଁ ଟଙ୍କାରେ ବିକ୍ରି କରିଥିବା ଜଗି ରହିଥିବା ବ୍ୟକ୍ତି କହିଥିଲେ।

ବିଶ୍ୱଜିତ୍‌ କେବଳ ଯେ ରାଉରକେଲାରୁ ଯୁବତୀ ଚାଲାଣ କରୁଥିଲା ତାହା ନୁହେଁ, ବରଂ ତା’ ନେଟ୍‌ଓ୍ଵର୍କ ସୁନ୍ଦରଗଡ଼, ମୟୂରଭଞ୍ଜ, ଝାରସୁଗୁଡା, ବାଲୁଗାଁ ଅଞ୍ଚଳକୁ ବି ବ୍ୟାପିଥିଲା ବୋଲି ଜଣେ ପୀଡ଼ିତା ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଫର୍ଟିଲାଇଜର ପୁରୁଣା ତରକେରା କଲୋନୀର ଦୁଇ ମହିଳାଙ୍କୁ ମୋଟା ଦରମାରେ ଚାକିରି କରାଇ ଦେବାକୁ କହି ବିଶ୍ୱଜିତ ସାଉଦି ଆରବରେ ସେମାନଙ୍କୁ ୨୫ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଉଭୟେ ପହଞ୍ଚିବା ପରେ ଜାଣିଥିଲେ। ଭାରତୀୟ ଦୂତାବାସ ସୟାହତାରେ ସେମାନେ ସ୍ୱଦେଶ ଫେରିବା ପରେ ଗତ ୨୦୧୭ ଡିସେମ୍ବର ୧୨ରେ ରଘୁନାଥପାଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୀଡ଼ିତା ପୁଲିସକୁ ଖବର ଦେଇଥିଲେ। ପୀଡ଼ିତାଙ୍କ ସୂଚନା ଆଧାରରେ ରଘୁନାଥପାଲୀ ଥାନାର ସ୍ୱତନ୍ତ୍ର ଟିମ୍‌ ପଟ୍ଟାମୁଣ୍ଡାଇ ପୋଖରିଆପଡ଼ାସ୍ଥିତ ନିଜ ଘରୁ ବିଶ୍ୱଜିତକୁ କାବୁ କରିଥିଲେ।

ସମ୍ବନ୍ଧିତ ଖବର