୧୫ ବରିଷ୍ଠ ଓଏଏସ୍‌ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ୧୫ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ମଧ୍ୟରେ ଅଦଳ ବଦଳ ହୋଇଛି। କିଛି ଅଧିକାରୀଙ୍କ ବଦଳି ବାତିଲ ବି ହୋଇଛି। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।

କ୍ରୀଡ଼ା ଓ ଯୁବସେବା ବିଭାଗରେ କାର୍ଯ୍ୟରତ ଅତିରିକ୍ତ ସଚିବ ଶୁଭକାନ୍ତ ମିଶ୍ରଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ପଦବିକୁ ବଦଳି କରାଯାଇଛି। ମୟୂରଭଞ୍ଜ ଏଡିଏମ୍‌ ଗଙ୍ଗାଧର ନାୟକ ମତ୍ସ୍ୟ ଓ ପଶୁ ସଂପଦ ବିଭାଗକୁ ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ ହୋଇଛନ୍ତି। ବାଲେଶ୍ୱର ଏଡିଏମ୍‌ ମାନସ ରଂଜନ ପାଢ଼ୀଙ୍କୁ ମୟୂରଭଞ୍ଜ ଏଡିଏମ୍‌ ଭାବେ ବଦଳି କରାଯାଇଛି। କେନ୍ଦୁଝର ଆଇଟିଡିଏ ପ୍ରକଳ୍ପ ପ୍ରଶାସକ(ପିଏ) ସମ୍ବିତ କୁମାର ନାୟକ ବାଲେଶ୍ୱର ଏଡିଏମ୍‌ ପଦବିକୁ ବଦଳି ହୋଇଛନ୍ତି। ନବରଙ୍ଗପୁର ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ନାରାୟଣ ମୁର୍ମୂଙ୍କୁ କେନ୍ଦୁଝର ଆଇଟିଡିଏ ପିଏ ଭାବେ ବଦଳି କରାଯାଇଛି। ଫଳରେ ତାଙ୍କର କୋରାପୁଟ ଏଡିଏମ୍‌ ପଦବି ବଦଳି ବାତିଲ ହୋଇଯାଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ଯୁଗ୍ମ କମିସନର ରମାକାନ୍ତ ସେଠୀ ଗଜପତି ଏଡିଏମ୍‌ ପଦବିକୁ ବଦଳି ହୋଇଛନ୍ତି।

ଗଜପତି ଏଡିଏମ୍‌ ବୀରେନ୍ଦ୍ର କୋରକୋରାଙ୍କୁ ଗଜପତିର ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଭାବେ ବଦଳି କରାଯାଇଛି। ପଞ୍ଚାୟତିରାଜ ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିବା ନୃପରାଜ ସାହୁଙ୍କ ଗଜପତି ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଭାବେ ବଦଳି ଆଦେଶ ବାତିଲ ହୋଇଛି। ସେ ନିଜ ପଦବିରେ ରହିବେ। ସମ୍ବଲପୁର ମହାନଗର ନିଗମର କମିସନର ବିମଳେନ୍ଦୁ ରାୟଙ୍କୁ ବିଏମ୍‌ସିର ଯୁଗ୍ମ କମିସନର ଭାବେ ବଦଳି କରାଯାଇଛି। ବଲାଙ୍ଗୀର ଡିୟୁଡିଏ ପିଡି ଯୁଗଳେଶ୍ୱରୀ ଦାସଙ୍କୁ ରେଜିଷ୍ଟ୍ରାର ଅଫ୍‌ କୋଅପ୍‌ରେଟିଭ୍‌ ସୋସାଇଟିଜ୍‌ର ଏ.ଓ. ପଦବି ସହିତ ବରଗଡ଼ ଚିନି କଳର ଏମ୍‌ଡି ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି। ଓଡ଼ିଶା ଖାଦ୍ୟ କମିସନରଙ୍କ ସଦସ୍ୟ ସଚିବ ରାଜଶ୍ରୀ ମହାନ୍ତିଙ୍କୁ ଓଡ଼ିଶା ଶିଶୁ ଅଧିକାର କମିସନର ସଦସ୍ୟ ସଚିବ ପଦବିକୁ ବଦଳି କରାଯାଇଛି। ଓଡ଼ିଶା ଶିଶୁ ଅଧିକାର କମିସନର ସଦସ୍ୟ ସଚିବ ପଦବିରେ କାର୍ଯ୍ୟରତ ଦେବଜାନୀ ଧଳଙ୍କୁ ଓଡ଼ିଶା ଖାଦ୍ୟ କମିସନରଙ୍କ ସଦସ୍ୟ ସଚିବ ପଦବିକୁ ବଦଳି କରାଯାଇଛି। କୁଚିଣ୍ଡା ଆଇଟିଡିଏ ପିଏ ପବିତ୍ର ବେହେରାଙ୍କ ବଦଳି ବାତିଲ କରି ତାଙ୍କୁ ନିଜ ପଦବିରେ ରହିବାକୁ କୁହାଯାଇଛି। ଯାଜପୁର ଆରଟିଓ ବିଜୟାନନ୍ଦ ନାୟକଙ୍କୁ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନର ଏଷ୍ଟାବ୍ଲିସ୍‌ମେଣ୍ଟ ପଦବିକୁ ବଦଳି ବାତିଲ କରି ନିଜ ପଦବି ବଜାୟ ରଖିବାକୁ ଆଦେଶ ଦିଆଯାଇଛି। ଦେବଗଡ଼ ଡିଆରଡିଏର ଏପିଡି ସୁଶାନ୍ତ କୁମାର ପଟେଲ ଜଳ ସଂପଦ ବିଭାଗରେ ସ୍ପେଶାଲ୍‌ ଏଲ୍‌ଏଓ ଭାବେ ଅବସ୍ଥାପିତ ହୋଇଛନ୍ତି।

ସମ୍ବନ୍ଧିତ ଖବର