କୋଟିଆ ପାଇଁ ୧୫୦ କୋଟି

ଭୁବନେଶ୍ୱର : ଫାଣ୍ଡି ଥାନାରେ ରୂପାନ୍ତରିତ ହେବ। ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ନିଜସ୍ୱ ଘର ତିଆରି ହେବ। ପୋଷ୍ଟଅଫିସ୍‌, ବ୍ୟାଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତସ୍ତରରେ ଆବଶ୍ୟକ ସମସ୍ତ ବିଭାଗର ଅଫିସ ରହିବ ଗୋଟିଏ ଛାତ ତଳେ। ସବୁଠାରୁ ବଡ଼ କଥା ହେଲା, ୨୧ଟି ଗାଁକୁ ସଡ଼କ ପଥରେ ଯୋଡିବା ଲାଗି ୯୨ କୋଟି ଟଙ୍କା ବ୍ୟୟରେ ୮୨ କିଲୋମିଟର କଂକ୍ରିଟ୍‌ ରାସ୍ତା ନିର୍ମାଣ ହେବ। ଏଥିରେ ୭ଟି ଗାଁ ଏମିତି ରହିଛି, ଯେଉଁଠାକୁ ଏଯାଏ ରାସ୍ତା ନାହିଁ।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅନ୍ତର୍ଗତ ବିବାଦୀୟ କୋଟିଆ ପୁଞ୍ଜ ଲାଗି ଆଜି ରାଜ୍ୟ ସରକାର ଏମିତି ଢଙ୍ଗରେ ବିକାଶର ନକ୍ସା ଆଙ୍କିଛନ୍ତି। ୧୫୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଠାରୁ ଆରମ୍ଭ କରି ବଜାର ସୁବିଧା ଯାଏ ସବୁକିଛି ତିନିବର୍ଷ ଭିତରେ ସେ ଅଞ୍ଚଳର ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖିଛନ୍ତି ସରକାର।

ଆଜି ସଚିବାଳୟରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ କୋଟିଆ ପୁଞ୍ଜ ବିକାଶ ଯୋଜନାରେ ମୋହର ଲାଗିଥିଲା। ଏଥିରେ ମନ୍ତ୍ରୀ ଶ୍ରୀ ମହାନ୍ତି ନିର୍ଦେଶ ଦେଇଥିଲେ, ଏଣିକି ପ୍ରତି ମାସରେ ଏସବୁର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବେ କେବିକେ ମୁଖ୍ୟ ପ୍ରଶାସକ। ପ୍ରତ୍ୟେକ ତିନି ମାସରେ ସେ ନିଜେ ସ୍ଥିତି ଅନୁଧ୍ୟାନ କରିବେ।

ଉଲ୍ଲେଖଯୋଗ୍ୟ, କୋଟିଆ ପୁଞ୍ଜକୁ ନେଇ ବିବାଦ ଥମିବାର ନାଁ ଧରୁନି। ନିୟମିତ ବ୍ୟବଧାନରେ ଆନ୍ଧ୍ର ପ୍ରଶାସନ ସ୍ଥାନୀୟ ଲୋକଙ୍କ ସମସ୍ୟା ସମାଧାନ ଆଳରେ ଓଡ଼ିଶା ସୀମାରେ ଧସେଇ ପଶୁଛି। ଆନ୍ଧ୍ର ସହିତ ଆଇନଗତ ଲଢେଇର ଭାଗ୍ୟ କଣ ହେବ, ତାହା ଅଲଗା କଥା। ମାତ୍ର ସରକାର ସ୍ଥିର କରିଛନ୍ତି ଯେ ସେ ଅଞ୍ଚଳରେ ଏଭଳି ଢଙ୍ଗରେ ଭିତ୍ତିଭୂମିର ବିକାଶ କରାଯିବ ଯେମିତି ଆନ୍ଧ୍ର ସରକାର ଚାହିଁଲେ ବି ଲୋକେ ପ୍ରଭାବିତ ହେବେନି। ସ୍ଥାନୀୟ ଅଞ୍ଚଳର ଉନ୍ନତି କରି ଲୋକଙ୍କ ମନକୁ ରାଜ୍ୟ ସରକାର କିଣିବାକୁ ଚେଷ୍ଟା କରିବେ।

ଆଜିର ସମୀକ୍ଷା ବୈଠକ ପରେ ମନ୍ତ୍ରୀ କହିଥିଲେ, ସେ ଅଞ୍ଚଳରେ ଥିବା ଏକ ସେବାଶ୍ରମ ବିଦ୍ୟାଳୟକୁ ସରକାର ହାଇସ୍କୁଲ ବା ଉଚ୍ଚ ବିଦ୍ୟାଳୟରେ ପରିଣତ କରିବାକୁ ସ୍ଥିର କରିଛନ୍ତି। ସାପ୍ତାହିକ ହାଟର ବିକାଶ କାର୍ଯ୍ୟ ଜାରି ରହିଛି। ଆର୍‌ଆଇ ଓ ଏଆର୍‌ଆଇ ନିଯୁକ୍ତି ଦିଆସରିଲାଣି। ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ ହେବ, ଡାକ୍ତର ଓ କର୍ମଚାରୀଙ୍କର କ୍ୱାଟର୍ସ ବି। ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗ ଠାରୁ ଆରମ୍ଭ କରି ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ସବୁ ବିଭାଗର କାର୍ଯ୍ୟାଳୟ ରହିବ। ସରକାର ଏହାର ନିର୍ମାଣ ଦାୟିତ୍ୱ ନେବେ। ଫାଣ୍ଡିକୁ ଥାନାରେ ପରିଣତ କରାଯିବ ଓ ଏଥିପାଇଁ ମାସେ ଭିତରେ ରାଜସ୍ୱ ବିଭାଗ ଜମି ଯୋଗାଇ ଦେବ। ଯେହେତୁ ମୋବାଇଲ୍‌ ସେବା ନ ଥିଲେ, ବ୍ୟାଙ୍କ ଖୋଲାଯାଇପାରିବ ନାହିଁ, ଏଣୁ ଆଜି କୁହାଯାଇଛି ଯେ ବିଏସ୍‌ଏନ୍‌ଏଲ୍‌ ଓ ରାଜ୍ୟ ସରକାରଙ୍କ ଭାଗିଦାରୀ (୫୦:୫୦)ରେ ଟାଓ୍ଵାର ନିର୍ମାଣ ହେବ। ସେ ଯାଏ ବ୍ୟାଙ୍କ ମିତ୍ର ବୁଲି ବୁଲି ଲୋକଙ୍କ ସେବାରେ ରହିବ।

କୋଟିଆ ପୁଞ୍ଜ ଅନ୍ତର୍ଗତ ୯ଟି ଗାଁରେ ଆଜି ଦିନରେ ବିଜୁଳି ସେବା ନାହିଁ। ଆସନ୍ତା ଜୁନ୍‌ ମାସ ମଧ୍ୟରେ ଏସବୁ ଗାଁକୁ ବିଜୁଳି ସଂଯୋଗ କରିବା ଦାୟିତ୍ୱ ସାଉଥ୍‌କୋ ନେଇଛି। ମଡ଼କର ଠାରେ ଏକ ସେତୁ ନିର୍ମାଣ ଆରମ୍ଭ ହୋଇଛି ଓ ଚଳିତବର୍ଷ ମଧ୍ୟରେ ଏହା ଶେଷ ହେବ।

ଆଜିର ଏହି ବୈଠକରେ ଉନ୍ନୟନ କମିସନରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ସଚିବ, ପୁଲିସ ଅଧିକାରୀ, କୋରାପୁଟ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର