ପହଣ୍ଡି ପାଇଁ ନିୟୋଜିତ ହେବେ ୧୫୦ ଦଇତା

୨୭ରେ ଦିଆଯିବ ତାଲିକା, ପ୍ରଶାସନ ନେବ ନିଷ୍ପତ୍ତି, କୋଭିଡ ପରୀକ୍ଷା ବାଧ୍ୟତାମୂଳକ

ପୁରୀ : ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ କେତେ ସେବକ ରହିବେ ତାକୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରାରେ ପହଣ୍ଡି କରୁଥିବା ପ୍ରମୁଖ ସେବକଙ୍କ ମଧ୍ୟରେ ରହିଛନ୍ତି ଦଇତା ସେବକ। ତେବେ ମହାପ୍ରଭୁଙ୍କ ପହଣ୍ଡି ବେଳେ କେତେ ଜଣ ଦଇତା ସେବକ ରହିବେ ତାକୁ ନେଇ ଗତକାଲି ଦଇତା ନିଯୋଗର ଏକ ଗରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କେତେ ସେବକ ନିୟୋଜିତ ରହିବା ଆବଶ୍ୟକ ତାକୁ ନେଇ ଆଲୋଚନା ହୋଇଥିଲା। ଆସନ୍ତା ୨୭ ତାରିଖ ଦିନ ଏ ସଂପର୍କରେ ନିଯୋଗ ପ୍ରଶାସନକୁ ତାଲିକା ଦେବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି। ତେବେ ଦଇତା ନ‌ିଯୋଗର ନିଷ୍ପତ୍ତି ମୁତାବକ ମୋଟ ୧୫୦ ଦଇତା ପହଣ୍ଡିରେ ନିୟୋଜିତ ହେବେ।

ବଳଭଦ୍ରଙ୍କ ପାଇଁ ୫୦, ଶ୍ରୀଜଗନ୍ନାଥଙ୍କ ପାଖରେ ୫୦, ମାଆ ସୁଭଦ୍ରାଙ୍କ ପାଖରେ ୩୦ ଓ ସୁଦର୍ଶନଙ୍କ ପହଣ୍ଡିରେ ୨୦ ଜଣ ଦଇତ‌ା ନିୟୋଜିତ ହେବେ। ତେବେ ଏତେ ସଂଖ୍ୟକ ସେବକରେ ସାମାଜିକ ଦୂରତା ରହିବ କି ନାହିଁ ତାକୁ ନେଇ ସନ୍ଦେହ ଉପୁଜିଛି। ତେବେ ଦଇତାଙ୍କ ଏ ଦାବି ଗ୍ରହଣ ହେଲେ ସେବ‌ା ପୂଜାରେ ନିୟୋଜିତ ଥିବା ଅନ୍ୟ ସେବକମାନେ ଏହାକୁ ନେଇ ଜିଦ୍‌ କରିବେ ବୋଲି ଜଣାପଡ଼ିଛି। ପୂଜାପଣ୍ଡା‌, ଗରାବଡ଼ୁ ସେବକମାନଙ୍କୁ ମଧ୍ୟ ସମାନ ଭାବେ ଅନୁମତି ମିଳିବା ଦରକାର ବୋଲି ମତପ୍ରକାଶ ପାଇଛି। ମହାପ୍ରଭୁଙ୍କ ପହଣ୍ଡି ବେଳେ ୧୫୦ ସେବକଙ୍କୁ ନେଇ ଏବେ ଭିନ୍ନ ମତ ପ୍ରକାଶ ପାଇଛି।

ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ନିୟୋଜିତ ସମସ୍ତ ସେବକଙ୍କ କୋଭିଡ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ସେବକମାନେ ମଧ୍ୟ ନିଜ ଆଡ଼ୁ ଏଥିରେ ସହମତି ଦେଇଛନ୍ତି। ସମସ୍ତ ସେବକଙ୍କ କୋଭିଡ ପରୀକ୍ଷା କରାଯାଉଥିବାରୁ ମହପ୍ରଭୁଙ୍କ ସେବା ଓ ପୂଜା ବେଳେ ସାମାଜିକ ଦୂରତାର କିଛି ଆବଶ୍ୟକତା ନଥିବା କିଛି ସେବକ କହିଛନ୍ତି। ଅନ୍ୟ ପକ୍ଷରେ ପୁରୀ ଜିଲ୍ଲାପାଳ ଶ୍ରୀମନ୍ଦିର ପ୍ରବେଶ ଉପରେ ସେବକଙ୍କ ଉପରେ କଟକଣା ଲଗାଇଥିବାରୁ ଏହାକୁ ନେଇ ସେବକଙ୍କ ମଧ୍ୟରେ ଅ‌ସନ୍ତୋଷ ଦେଖାଦେଇଛି। ବୈଠକରେ କିଛି ନିଯୋଗ ଏହାର ପ୍ରତିବାଦ ମଧ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର