ବିଜେଡିର ଦାବି ସ୍ବତନ୍ତ୍ର ରାଜ୍ୟ ପାହ୍ୟା

କେବିକେ ଯୋଜନାର ପୁନଃ ପ୍ରଚଳନ ନେଇ ଦାବି କଲା ସିପିଆଇ, ୧୩ଟି ଜିଲ୍ଲା ପାଇଁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଢାଞ୍ଚାରେ ପାଣ୍ଠି ଦିଅ: ବିଜେପି, ଆଦିବାସୀ, ହରିଜନଙ୍କ ପାଇଁ ସ୍ବତନ୍ତ୍ର ବିଚାର କର: କଂଗ୍ରେସ

ବିଜେଡି ଆଇଟି ସେଲ୍ ଅଧ୍ୟକ୍ଷ ଅମର ପଟ୍ଟନାୟକ ଓ ମୁଖପାତ୍ର ସସ୍ମିତ ପାତ୍ର ଯୋଗଦେଇ ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେବା ଲାଗି ଦାବି କରିଥିଲେ। କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଚତୁର୍ଦ୍ଦଶ ଅର୍ଥ ଆୟୋଗର ସୁପାରିସ ଅନୁଯାୟୀ ୪୨ ପ୍ରତିଶତ ଟିକସ ପ୍ରଦାନ କରୁଥିବାବେଳେ ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିବା ଲାଗି ଦାବି କରିଛି। ସେହିଭଳି ରାଜ୍ୟ ଓ ରାଜ୍ୟମାନଙ୍କ ମଧ୍ୟରେ ଯେଉଁ ଟିକସ ଆବଣ୍ଟନ ହେଉଛି ସେଥିରେ ଓଡ଼ିଶା ଗତ ୩ଟି ଅର୍ଥ ଆୟୋଗର ସୁପାରିସରେ କ୍ଷତି ସହିଛି। ତେଣୁ ପଞ୍ଚଦଶ ଅର୍ଥ ଆୟୋଗ ସେଥିରେ ସୁଧାର ଆଣିବାକୁ ଦଳ ଦାବି କରିଛି। ଦେଶର ମୁଣ୍ଡପିଛା ଆୟ କମ୍ବା କୌଣସି ଅଗ୍ରଣୀ ରାଜ୍ୟର ମୁଣ୍ଡପିଛା ଆୟଠାରୁ ଓଡ଼ିଶାର ମୁଣ୍ଡପିଛା ଆୟ ଯେତିକି ପାର୍ଥକ୍ୟ ରହିଛି ତାହାକୁ ମାନଦଣ୍ଡ ଭାବେ ବିଚାରକୁ ନିଆଯାଇ ଟିକସ ରାଜସ୍ବ ଆବଣ୍ଟନ କରାଯାଉ। କେନ୍ଦ୍ରୀୟ ଯୋଜନା ଗୁଡ଼ିକୁ ବନ୍ଦ କରି ଦିଆଯିବା ଫଳରେ ଓଡ଼ିଶା କ୍ଷତି ସହିଛି। ସେସବୁ ଯୋଜନାକୁ ପୁଣି ଥରେ କାର୍ଯ୍ୟକାରୀ କରିବା ଲାଗି ଦଳ ଦାବି କରିଛି। ସ୍ବାୟତ୍ତ ଶାସନ ସଂସ୍ଥା, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟ, କୃଷି କ୍ଷେତ୍ରର ଦକ୍ଷତା ବିକାଶ ପାଇଁ ସ୍ବତନ୍ତ୍ର ପାଣ୍ଠି ଗଠନ କରିବାକୁ ଦାବି କରାଯାଇଛି। ୨୦୧୧ ଜନସଂଖ୍ୟା ଗଣନା ଆଧାରରେ ଜନସଂଖ୍ୟା ନିୟନ୍ତ୍ରଣରେ ଓଡ଼ିଶା ଭଲ ପ୍ରଦର୍ଶନ କରିଥିବାରୁ ସେହି ଆଧାରରେ ଓଡ଼ିଶାକୁ ପ୍ରୋତ୍ସାହନ ଦିଆଯାଉ। ନଚେତ ୧୯୭୧ ଜନଗଣନା ରିପୋର୍ଟ ଆଧାରରେ ଓଡ଼ିଶାକୁ ପାଣ୍ଠି ପ୍ରଦାନ କରିବାକୁ ଦଳ ଦାବି କରିଛି। ଏତଦବ୍ୟତୀତ ଗ୍ରାମୀଣ ସଡ଼କ, ଡାକ୍ତରଖାନା, ପକ୍କା ଘର ଆଦି ନିର୍ମାଣ ପାଇଁ ରାଜ୍ୟକୁ ପ୍ରୋତ୍ସାହନ ଦେବା ଲାଗି ଦଳ ଦାବି କରିଛି। ଏହାହେଲେ ଓଡ଼ିଶାର ଦାରିଦ୍ର୍ୟ ହାର ହ୍ରାସ ଆହୁରି ତ୍ବରାନ୍ବିତ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

କେବିକେ ଯୋଜନାର ପୁନଃ ପ୍ରଚଳନ ନେଇ ଦାବି କଲା ସିପିଆଇ

କେନ୍ଦ୍ରୀୟ ଟିକସ ଭଣ୍ଡାରରୁ ରାଜ୍ୟ ଗୁଡ଼ିକୁ ଏବେ ୪୨ ପ୍ରତିଶତ ଦିଆଯାଉଛି ବୋଲି କୁହାଯାଉଥିଲେ ମଧ୍ୟ ପ୍ରକୃତରେ ୩୫ ପ୍ରତିଶତ ଅର୍ଥ ମିଳୁଛି। ତେଣୁ ଏହି ରାଶିକୁ ୫୦ ପ୍ରତିଶତକୁ ବୃଦ୍ଧି କରିବା ଲାଗି ଦଳ ଦାବି କରିଛି। ଏଥିସହିତ କେବିକେ ଯୋଜନାକୁ ପୁନର୍ବାର କାର୍ଯ୍ୟକାରୀ କରିବା ଲାଗି ଦଳ ଅର୍ଥ ଆୟୋଗ ନିକଟରେ ଦାବି କରିଛି। ଚତୁର୍ଦ୍ଦଶ ଅର୍ଥ ଆୟୋଗ ସୁପାରିସରେ ଓଡ଼ିଶା ୪.୬ ପ୍ରତିଶତ ପାଣ୍ଠି ପାଇଛି। କିନ୍ତୁ ଦ୍ବାଦଶ ଅର୍ଥ କମିସନରେ ଓଡ଼ିଶା ୫.୬ ପ୍ରତିଶତ ଅର୍ଥ ପାଇଥିଲା। ‌ତେଣୁ ଦ୍ବାଦଶ ଅର୍ଥ କମିସନଙ୍କ ସୁପାରିସ ଦ୍ବାରା ରାଜ୍ୟ ଯେତିକି ଅର୍ଥ ପାଇଥିଲା ତାହାକୁ ବଜାୟ ରଖିବା ଲାଗି ପଞ୍ଚଦଶ ଅର୍ଥ ଆୟୋଗ ନିକଟରେ ସିପିଆଇର କେନ୍ଦ୍ରୀୟ କମିଟି ସଦସ୍ୟ ଦିବାକର ନାୟକ ଦାବି କରିଥିଲେ।

୧୩ଟି ଜିଲ୍ଲା ପାଇଁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଢାଞ୍ଚାରେ ପାଣ୍ଠି ଦିଅ: ବିଜେପି

ବିଜେପିର ବୌଦ୍ଧିକ ସେଲ୍‌ର ରାଜ୍ୟ ଆବାହକ ସୁଦର୍ଶନ ନାୟକ ଯୋଗଦେଇ କହିଥିଲେ, ଓଡ଼ିଶାର ୧୩ଟି ଜିଲ୍ଲାର ୧୧୯ଟି ବ୍ଲକକୁ ସ୍ବତନ୍ତ୍ର ଭାବେ ବିଚାରକୁ ନିଆଯାଉ। ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକୁ ଯେଭଳି ମାତ୍ରାରେ ଅନୁଦାନ ଓ ରାଜସ୍ବ ଦିଆଯାଉଛି ଓଡ଼ିଶାର ଏହି ଜିଲ୍ଲା ଗୁଡ଼ିକୁ ମଧ୍ୟ ସେହିଭାବରେ ପାଣ୍ଠି ପ୍ରଦାନ କରାଯାଉ। ପଞ୍ଚଦଶ ଅର୍ଥ ଆୟୋଗ ଓଡ଼ିଶାକୁ ୫.୫%ରୁ ଅଧିକ ଅର୍ଥ ଆବଣ୍ଟନ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି। ଏଥିସହିତ ରାଜ୍ୟରେ ଆଉ ‌ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସ୍ଥାପନ ସମେତ ଉପକୂଳ ଓ ପଛୁଆ ଅଞ୍ଚଳର ବିକାଶ, କୃଷି ଓ କୃଷି ବ୍ୟବସାୟ ଏବଂ କଳାକୃତିର ରକ୍ଷଣାବେକ୍ଷଣ ଲାଗି ସ୍ବତନ୍ତ୍ର ପାଣ୍ଠି ପ୍ରଦାନ କରିବା ଲାଗି ଦଳ ଦାବି କରିଛି। ଏମାନଙ୍କ ବ୍ୟତୀତ ଏନସିପି ନେତା ବିକ୍ରମ ସ୍ବାଇଁଙ୍କ ସମେତ ସିପିଏମ ଓ ତୃଣମୂଳ କଂ‌ଗ୍ରେସର ନେତାମାନେ ଯୋଗଦେଇ ରାଜ୍ୟର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉତଥାପିତ କରିଥିଲେ।

ଆଦିବାସୀ, ହରିଜନଙ୍କ ପାଇଁ ସ୍ବତନ୍ତ୍ର ବିଚାର କର: କଂଗ୍ରେସ

ଅର୍ଥ କମିସନକୁ ଭେଟି ରାଜ୍ୟର ସ୍ବାର୍ଥ ପାଇଁ ଦାବି କରିଛି। ଦ୍ବାଦଶ ଅର୍ଥ କମିସନଠାରୁ ଚତୁର୍ଦ୍ଦଶ କମିସନ ପର୍ଯ୍ୟନ୍ତ ରାଜ୍ୟର ଅଂଶ କମି କମି ଯାଉଛି। ଦ୍ବାଦଶ ଅର୍ଥ କମିସନର ସୁପାରିସ ଅନୁଯାୟୀ ଓଡ଼ିଶା ୫.୧୬% ଅର୍ଥ ପାଉଥିବାବେଳେ ତ୍ରୟୋଦଶ ଅର୍ଥ କମିସନଙ୍କ ବେଳେ ଏହା ୪.୭୭%କୁ, ଚତୁର୍ଦ୍ଦଶ ଅର୍ଥ କମିସନଙ୍କ ବେଳେ ୪.୬୪%କୁ ହ୍ରାସ ପାଇଛି। ଏହି ହ୍ରାସର ଧାରା ବଦଳାଇବା ପାଇଁ କଂଗ୍ରେସ ଅର୍ଥ କମିସନଙ୍କ ନିକଟରେ ଦାବି କରିଛି। ଦ୍ବିତୀୟ କଥା ହେଲା ଓଡ଼ିଶାରେ ୪୦ ପ୍ରତିଶତ ଲୋକ ଆଦିବାସୀ ଓ ହରିଜନ ଶ୍ରେଣୀର। ତେଣୁ ଏହି ବର୍ଗର ଲୋକଙ୍କ ପାଇଁ ସ୍ବତନ୍ତ୍ର ବିଚାର କରିବାକୁ ଦଳ ଦାବି କରିଛି। ସାଧାରଣ ବର୍ଗର ରାଜ୍ୟ ଗୁଡ଼ିକ ମଧ୍ୟରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ଆଦିବାସୀ ଓ ହରିଜନଙ୍କ ସଂଖ୍ୟା ଅଧିକ। ଏହାକୁ ମାପକାଠି ଭାବେ ବିଚାର କରି ସୁପାରିସ କରିବା ଲାଗି କମିସନକୁ ଦଳ ନିବେଦନ କରିଛି। ୧୯୩୮ ମସିହାରେ ଦେଶରେ ଯେଭଳି କୃଷକମାନଙ୍କ ଆର୍ଥିକ ଦୁରାବସ୍ଥା ଦୂର ପାଇଁ ରିଲିଫ ପାଣ୍ଠି ଗଠନ ହୋଇଥିଲା। ଅନୁରୂପ ଭାବେ ଏବେ ଏକ ପାଣ୍ଠି ଜାତୀୟ ସ୍ତରରେ ଗଠନ କରାଯାଇ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ଯୋଗାଇ ଦେବାକୁ ଦଳ ଦାବି କରିଛି। ସେସ୍ ଓ ସରଚାର୍ଜ କେନ୍ଦ୍ର ସରକାର ୧୪ ପ୍ରତିଶତ ଆଦାୟ କରିଛନ୍ତି। ସେସ୍ ଓ ସରଚାର୍ଜକୁ କେନ୍ଦ୍ରୀୟ ଆବଣ୍ଟନ ପାଣ୍ଠି ମଧ୍ୟକୁ ଅଣାଯାଉ। ସମୁଦାୟ ଟିକସର ୪୨ ପ୍ରତିଶତ ରାଜସ୍ବ ରାଜ୍ୟଗୁଡ଼ିକୁ ଦେବାକୁ କୁହାଯାଉଛି। କମିସନ ରାଜ୍ୟଗୁଡ଼ିକୁ ପ୍ରାଧାନ୍ୟ ଦେଇ ସୁପାରିସ କରିବାକୁ ଦଳ ଦାବି କରିଛି। କଂଗ୍ରେସ ପକ୍ଷରୁ ପୂର୍ବତନ ମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଗଣେଶ୍ବର ବେହେରା ଏବଂ ଉପସଭାପତି ପ୍ରଫେସର କୈଳାଶ ଆଚାର୍ଯ୍ୟ ‌ମତ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର