ଭିତରକନିକାରେ ୧୬ଟି କୁମ୍ଭୀର ବସା ଚିହ୍ନଟ

ରାଜନଗର : ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳମାନଙ୍କରେ ବାସ କରୁଥିବା ବିରଳ ବଉଳା କୁମ୍ଭୀର ୧୬ଟି ବସାରେ ଅଣ୍ଡା ଦେଇଥିବା ଜଣାପଡିଛି। ଭିତରକନିକା ଓ ଡାଙ୍ଗମାଳ ଫରେଷ୍ଟ ବ୍ଲକ୍‌ର ଗଞ୍ଜେଇଖିଆ, ଶାଗୁଣାଚର, ଶୁଆଯୋର, ଭ୍ରମରମାରି ଆଦି ଅଞ୍ଚଳରେ ଏହି ବସା ଦେଖିବାକୁ ମଳିଥିବା ଜଙ୍ଗଲ ବିଭାଗ କହିଛି।

ପ୍ରତିବର୍ଷ ମେ’ରୁ ଜୁଲାଇ ମଧ୍ୟରେ ବଉଳା କୁମ୍ଭୀରମାନେ ବସା କରି ଅଣ୍ଡା ଦେବା ସହିତ ଅଣ୍ଡାରୁ ଛୁଆ ଫୁଟାଇଥାନ୍ତିି। ମା’ କୁମ୍ଭୀରଅଣ୍ଡା ଦେବା ପାଇଁ ନାଳଠୁଁ ଉଚ୍ଚା ସ୍ଥାନରେ ବସା କରିଥାନ୍ତି। ଖରଖରି ପତ୍ର ଓ କାଠି କୁଟା ସଂଗ୍ରହ କରି ଦେଢରୁ ଦୁଇ ଫୁଟ ଉଚ୍ଚର ଗଦା କରିଥାନ୍ତି। ଏହି ଗଦା ଉପରେ ଅଣ୍ଡା ଦେବା ପରେ ତା’ ଉପରେ ପୁଣି ଖରଖରି ପତ୍ର ଓ କାଠି କୁଟା ଘୋଡାଇ ରଖିଥାନ୍ତିି। ପ୍ରତ୍ୟେକ କୁମ୍ଭୀର ୪୦ରୁ ୫୦ଟି ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତିି। ଅଣ୍ଡା ଦେବାର ୭୫ ଦିନ ମଧ୍ୟରେ ଅଣ୍ଡାରୁ ଛୁଆ ବାହାରିଥାଏ।

କୁମ୍ଭୀର ଅଣ୍ଡା ଦେବା ପରେ ବସା ଉପରେ ଅଥବା ବସା ପାଖରୁ ୫ରୁ ୧୦ ଫୁଟ ଦୂରତା ଭିତରେ ଜଗି ରହିଥାଏ। ଏହି ସମୟରେ କୁମ୍ଭୀରମାନେ ଅତ୍ୟଧିକ ହିଂସ୍ର ହୋଇଥିବାରୁ ବନବିଭାଗ ପକ୍ଷରୁ ଗତ ମେ’ ୧ ତାରିଖରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଭିତରକନିକାକୁ ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି। ଗତବର୍ଷ ଭିତରକନିକାରେ ୮୪ଟି କୁମ୍ଭୀର ବସା ଚିହ୍ନଟ ହୋଇଥିଲା। ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୧୬ଟି ବସା ଚିହ୍ନଟ ହୋଇଛି। ଚିହ୍ନଟ ପ୍ରକ୍ରିୟା ଚାଲିଥିବାରୁ ବସା ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି।

ସମ୍ବନ୍ଧିତ ଖବର