ସିନ୍ଧେକେଲାରୁ ୧୬ ଦାଦନ ଉଦ୍ଧାର

ସିନ୍ଧେକେଲା,: ମଙ୍ଗଳବାର ବଲାଙ୍ଗୀର ଜିଲ୍ଲାର ସୀମାନ୍ତ ସିନ୍ଧେକେଲା ଅଧୀନସ୍ଥ ଡିଆଟନ ଗାଁ ନିକଟରୁ ପୁଲିସ ୧୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ୫ଜଣ ନାବାଳକ, ଶିଶୁ ଥିବା ମଧ୍ୟ ଜଣାପଡ଼ିଛି। ପଡ଼ୋଶୀ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ରେଙ୍ଗ ଗାଁର ଏହି ଶ୍ରମିକଙ୍କୁ ସିନାପାଲି ଥାନା ଗମ୍ଭାରୀଗୁଡା ଗାଁର ସର୍ଦ୍ଦାର ରାଜୀବ ଘିଭେଲା ମୋଟା ଅର୍ଥ ପାରିଶ୍ରମିକ ଦେବାର ପ୍ରଲୋଭନ ଦେଖାଇ ଆନ୍ଧ୍ରପ୍ରଦେଶର ବିଜୟନଗର ଜିଲ୍ଲାକୁ ଇଟା ଗଢିବା ପାଇଁ ନେବାକୁ ଉଦ୍ୟମ କରୁଥିଲେ।

ଏମାନେ ଖରିଆରରୁ ଏକ ଯାତ୍ରୀବାହୀ ବସରେ ବସି ଟିଟିଲାଗଡ ଆସୁଥିବା ବେଳେ ସିନ୍ଧେକେଲା ପୁଲିସ ଖବର ପାଇ ଡିଆଟନ ଗାଁ ନିକଟରେ ବସକୁ ଅଟକାଇ ସେଥି ମଧ୍ୟରୁ ଏହି ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିଲା। ଏହାସହ ଏ ସଂକ୍ରାନ୍ତରେ ପୁଲିସ ସିନ୍ଧେକେଲା ଥାନା ଏକ ମାମଲା ରୁଜୁ କରିବା ସହ ସର୍ଦ୍ଦାର ରାଜୀବଙ୍କୁ ମଧ୍ୟ ଗିରଫ କରିଛି। ଅନ୍ୟପଟେ ବାରମ୍ବାର ନିର୍ଯ୍ୟାତିତ ହେଉଥିଲେ ହେଁ ଦାଦନ ଖଟିବାକୁ କାହିଁକି ଯାଉଛ ବୋଲି ପଚାରିବାରେ ଏହି ଶ୍ରମିକ ମାନେ କହିଛନ୍ତି ଯେ ଗତ ତିନି ବର୍ଷ ହେଲା ଏ ଅଞ୍ଚଳରେ ଚାଷ ଭଲ ହେଉ ନାହିଁ। ଏହାଛଡା ଚଳିତ ବର୍ଷର ଭୟାନକ ମରୁଡ଼ି ପରିସ୍ଥିତି ଯୋଗୁଁ ସେମାନେ ବାଧ୍ୟ ହୋଇ ଦାଦନ ଭାବେ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର