ଓଡ଼ିଶାରେ ପହଞ୍ଚିଲା ୧୬ ଟ୍ରେନ୍‌ : ଫେରିଲେ ୨୦ ହଜାର ପ୍ରବାସୀ ଓଡ଼ିଆ, ଆସୁଛି ଆଉ ୯ ଟ୍ରେନ୍‌

ଭୁବନେଶ୍ବର : ଓଡ଼ିଶାକୁ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ୨୪ଟି‌ ଟ୍ରେନ୍‌ରେ ପାଖାପାଖି ୩୦ ହଜାର ପ୍ରବାସୀ ଓଡ଼ିଆ ଆସିଥିବା ବେଳେ ଆଜି ଆଉ ୧୬ଟି ଟ୍ରେନ୍‌ ଓଡ଼ିଶାର ବିଭିନ୍ନ ଷ୍ଟେସନରେ ପହଞ୍ଚିଛି। ଏଥିରେ ପ୍ରାୟ ୨୦ ହଜାର ପ୍ରବାସୀ ଆସିଥିବା ଜଣାପଡ଼ିଛି। ସୁରତରୁ ବ୍ରହ୍ମପୁରକୁ ସର୍ବାଧିକ ୪ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଆସିଥିବା ବେଳେ ହାଇଦ୍ରାବାଦ, ମୁମ୍ବାଇ, ଆନ୍ଧ୍ରପ୍ରଦେଶରୁ ଗୋଟିଏ ଲେଖାଏ ଟ୍ରେନ୍‌ ଗଞ୍ଜାମକୁ ଆସିଛି। ସେହିପରି ‌ହାଇଦ୍ରାବାଦ, ବେଙ୍ଗା‌ଲୁରୁ ଓ ସୁରତରୁ ଗୋଟିଏ ଲେଖାଏଁ ଟ୍ରେନ୍‌ ବାଲେଶ୍ବର, ସୁରତ, ବେଙ୍ଗା‌ଲୁରୁ ଓ ତାମିଲନାଡ଼ୁର ଚେଙ୍ଗାଲପୁଟ୍ଟୁରୁ ବାହାରିଥିବା ଗୋଟିଏ ଲେଖାଏଁ ଟ୍ରେନ୍‌ ଭଦ୍ରକରେ ପହଞ୍ଚିଛି। ଏହା ବ୍ୟତୀତ ମହାରାଷ୍ଟ୍ରର ପାନଭେଲ୍‌ରୁ ଭୁବନେଶ୍ବର, ତାମିଲନାଡ଼ୁର ତିରୁନେଲ‌ଭେଲିରୁ ବାରିପଦା ଓ ହାଇଦ୍ରାବାଦରୁ ନିର୍ଗୁଣ୍ଡିକୁ ଗୋଟିଏ ଲେଖାଏଁ ଟ୍ରେନ୍‌ ଆସିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଓଡ଼ିଶା ଅଭିମୁଖେ ଆଉ ୯ଟି ଟ୍ରେନ୍‌ ବାହାରିଛି। ସୁରତରୁ ବ୍ରହ୍ମପୁରକୁ ଦୁଇଟି ଟ୍ରେନ୍‌ ଆସୁଥିବା ବେଳେ ତାମିଲନାଡ଼ୁର ସାଲେମ୍‌ରୁ ‌ବାରିପଦା, ବେଙ୍ଗା‌ଲୁରୁରୁ ବାଲେଶ୍ବର, ସୁରତରୁ ଖୋର୍ଧାରୋଡ, ସୁରତରୁ ବାଲେଶ୍ବର, ଗୋଆରୁ ବାଲେଶ୍ବର, ଗୁଜୁରାଟର ଅହମ୍ମଦାବାଦରୁ କଟକ, ଗୁଜୁରାଟର ରାଜକୋଟରୁ ବଲାଙ୍ଗୀର ଅଭିମୁଖେ ଗୋଟିଏ ଲେଖାଏଁ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ବାହାରିଛି। ଏହି ଟ୍ରେନ୍‌ଗୁଡ଼ିକ ମଙ୍ଗଳବାର ଓଡ଼ିଶାର ବିଭିନ୍ନ ଷ୍ଟେସନରେ ପହଞ୍ଚିବ। ଗତକାଲି ତଥା ମେ’ ୨୪ ସୁଦ୍ଧା‌ ଓଡ଼ିଶାକୁ ଶହେଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଆସିସାରିଛି।

ସମ୍ବନ୍ଧିତ ଖବର