ଭୁବନେଶ୍ବର : ରାଜ୍ୟର ୧୭ଟି ଆୟୋଡିନଜନିତ ଅଭାବଜନିତ ବିକୃତି ବା ଆଇଡିଡି ଜିଲ୍ଲା ରହିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନ୍ଏଫଏଚ୍ଏସ୍-୪ରେ ରାଜ୍ୟରେ ୯୩ ପ୍ରତିଶତ ଲୋକ ଆୟୋଡିନ୍ଜନିତ ଲୁଣର ବ୍ୟବହାର କରୁଛନ୍ତି। ଜାତୀୟସ୍ତରରେ ୭୧ ପ୍ରତିଶତ ଲୋକ ଗଳଗଣ୍ଡ ଓ ବିଭିନ୍ନ ଆଇଡିଡି ଜନିତ ରୋଗର ଶିକାର ହୋଇଥିବା ବେଳେ ରାଜ୍ୟରେ କେତେ ସଂଖ୍ୟକ ଲୋକ ଏଥିରେ ପୀଡ଼ିତ ତାହାର ତଥ୍ୟ ସ୍ବାସ୍ଥ୍ୟ ବିଭାଗ ପାଖରେ ନାହିଁ। ଯାହାଫଳରେ ସମଗ୍ର ଦେଶରେ ଓଡ଼ିଶା କେତେ ନମ୍ବର ସ୍ଥାନରେ ରହିଛି ତାହା ଜାଣିବା ସମ୍ଭବ ହେଉନାହିଁ। ଏପରିକି ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ମଧ୍ୟ ଏ ସଂପର୍କରେ କିଛି ତଥ୍ୟ ଦେଇପାରୁ ନାହାନ୍ତି।
ଅକ୍ଟୋବର ୨୧ତାରିଖକୁ ବିଶ୍ବସ୍ତରରେ ବିଶ୍ବ ଆୟୋଡିନ୍ ଅଭାବଜନିତ ବିକୃତି ଦୂରୀକରଣ ଦିବସ ଭାବେ ପାଳନ କରାଯାଇଥାଏ। ଚଳିତବର୍ଷ ରାଜ୍ୟରେ ତିତ୍ଲି ପାଇଁ ଏହାର ରାଜ୍ୟସ୍ତରୀୟ ଉତ୍ସବ ଆଜି ପାଳିତ ହୋଇଛି। ଏହି ଉପଲକ୍ଷେ ଆଜି ସ୍ବାସ୍ଥ୍ୟସେବା ନିର୍ଦେଶାଳୟଙ୍କ କନଫରେନ୍ସ ହଲରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ସ୍ବପ୍ନେଶ୍ବର ଗଡ଼ନାୟକ କହିଲେ, ଏନ୍ଏଫ୍ଏଚ୍ଏସ୍-୩ରେ ରାଜ୍ୟରେ ୭୬.୧ ପ୍ରତିଶତ ଲୋକ ଆୟୋଡିନ୍ଜନିତ ଲୁଣର ବ୍ୟବହାର କରୁଥିବା ବେଳେ ଏନ୍ଏଫ୍ଏଚ୍ଏସ୍-୪ରେ ଏହା ୯୩ ପ୍ରତିଶତକୁ ବୃଦ୍ଧି ପାଇଛି। ଲୋକମାନଙ୍କ ମଧ୍ୟରେ ଆୟୋଡିନ୍ଜନିତ ଲୁଣ ବ୍ୟବହାରକୁ ଶତ ପ୍ରତିଶତ କରିବା ଉପରେ ଗୁରୁତ୍ବ ଦିଆଯାଉଛି। ସ୍ବାସ୍ଥ୍ୟସେବା ନିର୍ଦେଶାଳୟର ସର୍ବେକ୍ଷଣ ଓ ଭାରତୀୟ ମେଡିକାଲ ଗବେଷଣା ପରିଷଦ ଅନୁଯାୟୀ ରାଜ୍ୟର ୧୭ଟି ଜିଲ୍ଲା ଆଇଡିଡିରେ ଅନ୍ତଭୁର୍କ୍ତ। ଅନୁଗୁଳ, ବରଗଡ଼, କଟକ, ଢେଙ୍କାନାଳ, ଗଜପତି, କନ୍ଧମାଳ, କେନ୍ଦୁଝର, ଖୋର୍ଧା, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସୁମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା ରହିଛି। ଆୟୋଡିନ୍ର ଅଭାବରେ ମାନସିକ ଅଭିବୃଦ୍ଧିରେ ବାଧା, ମାନ୍ଦାପଣ, ଗର୍ଭପାତ, ମୃତ ଶିଶୁ ଜନ୍ମ, ବିକୃତ ଓ ଗଳଗଣ୍ଡ ରୋଗ ଦେଖା ଦେଇଥାଏ। ତେବେ ରାଜ୍ୟରେ କେତେ ସଂଖ୍ୟକ ଗଳଗଣ୍ଡ ଓ ବିଭିନ୍ନ ଆଇଡିଡି ଜନିତ ରୋଗୀଙ୍କ ନିର୍ଦ୍ଦିଷ୍ଟ ତାଲିକା ନାହିଁ ବୋଲି ଡା.ଗଡ଼ନାୟକ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଡା. ଅତିରିକ୍ତ ନିର୍ଦେଶକ ଡା.ଶକ୍ତି ପ୍ରକାଶ ପାଢ଼ୀ ଓ ଆଇ/ସି, ଆଇଡିଡି ଡା.ଅର୍ଘ୍ୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/i.jpg)
