କରୋନା ସତର୍କତା: ୮୭ଟି ଜେଲରୁ ମୁକୁଳିବେ ୧୭୨୭ ବିଚାରାଧୀନ ବନ୍ଦୀ

କଟକ: କରୋନା ନେଇ ଦେଖା ଦେଇଥିବା ପରିସ୍ଥିତିରେ ରାଜ୍ୟର ୮୭ଟି ଜେଲରେ ଥିବା ପ୍ରାୟ ୧୭ଶହ ବିଚାରାଧୀନ ବନ୍ଦୀଙ୍କ ସହିତ ବହୁ ଦୋଷୀ ସାବ୍ୟସ୍ତ ବନ୍ଦୀଙ୍କୁ ଅନ୍ତରୀଣ ଜାମିନ/ପାରୋଲରେ ମୁକ୍ତ କରାଯିବ। କରୋନା ସଂକ୍ରମଣ ଆଶଙ୍କା ଥିବା ବେଳେ ଜେଲରେ ଥିବା ବନ୍ଦୀଙ୍କ ପ୍ରସଂଗକୁ ନେଇ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ଆଧାରରେ ଗଠିତ ଉଚ୍ଚ କ୍ଷମତା ସଂପନ୍ନ (ହାଇ ପାୱାର୍‌ଡ୍) କମିଟି ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ସହିତ ଜାରି କରାଯାଇଥିବା ନିୟମାବଳୀ ଆଧାରରେ ଜେଲରେ ଥିବା ବନ୍ଦୀଙ୍କୁ ଏବେ ମୁକ୍ତ କରାଯିବ। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି, ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷା କୁମାରୀ ଜଷ୍ଟିସ୍‌ ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା ଓ ଜେଲ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଉପସ୍ଥିତ ଥିଲେ।

ଜେଲରେ ଭିଡ଼ ଏଡାଇବା ପାଇଁ ତଥା ବନ୍ଦୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଓ ମଙ୍ଗଳ ପାଇଁ କମିଟି କେତେକ ନିୟମାବଳୀ ଜାରି କରିଛି। ଏପରି ନିୟମାବଳୀ ଆଧାରରେ କର୍ତ୍ତୃପକ୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ବନ୍ଦୀଙ୍କୁ ଯଥାଶୀଘ୍ର ପାରୋଲ ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିବେ। ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ୭ ବର୍ଷ ବା ତା’ଠାରୁ କମ୍ କାରାଦଣ୍ଡ ପାଇ ଜେଲରେ ଥିବା ବନ୍ଦୀଙ୍କୁ ପାରୋଲରେ ମୁକ୍ତ କରାଯିବ। ଏପରି ବନ୍ଦୀଙ୍କୁ ଜେଲ ସହିତ ଜରିମାନା ଦଣ୍ଡ ମିଳିଥିଲେ ମଧ୍ୟ ଜେଲରୁ ଛଡ଼ାଯିବ। ୭ ବର୍ଷ ବା ତା’ଠାରୁ କମ୍ ଜେଲ ଦଣ୍ଡ ପାଇ ଜେଲରେ ଥିବା ବ୍ୟକ୍ତିଙ୍କ ବିରୋଧରେ ଯଦି‌ ଗୋଟିଏ ବା ଅଧିକ ବିଚାରାଧୀନ ମାମଲା ରହିଥିବ ତେବେ ମଧ୍ୟ ତାଙ୍କୁ ପାରୋଲ ମିଳି ପାରିବ।

ଏଭଳି କ୍ଷେତ୍ରରେ ବନ୍ଦୀ ଜଣକ ଶେଷ ପାରୋଲ ଶାନ୍ତିପୂର୍ଣ୍ଣ ଭାବେ ଉପଲବ୍ଧ କରିବା ସହିତ ବିଚାରାଧୀନ ମାମଲାରେ ଜାମିନରେ ଥିବା ଆବଶ୍ୟକ। ଯେଉଁ ଦୋଷୀ ସାବ୍ୟସ୍ତ କଏଦୀମାନେ ପୂର୍ବରୁ ପାରୋଲ ବା ଫର୍ଲଗରେ ଥିବେ ସେମାନଙ୍କ ସ୍ବତନ୍ତ୍ର ପାରୋଲ ଅବଧି ସଂପ୍ରସାରିତ କରାଯିବ। ୬୫ ବର୍ଷ ବୟସରୁ ଅଧିକ ବୟସ୍କ ସମସ୍ତ ଦୋଷୀ ସାବ୍ୟସ୍ତ ବନ୍ଦୀଙ୍କୁ ସ୍ବତନ୍ତ୍ର ପାରୋଲ ପ୍ରଦାନ କରାଯାଇ ପାରିବ। କିନ୍ତୁ ସଂଖ୍ୟାଧିକ ମାମଲାରେ ସଂପୃକ୍ତ, ଏନଡିପିଏସ୍ ଆଇନରେ, ପୋ‌କ୍‌ସୋ ଆଇନରେ, ଦୁଷ୍କର୍ମ, ‌ଯୌନ ନିର୍ଯାତନା, ଏସିଡ ଆକ୍ରମଣ ଭଳି ମାମଲାରେ ଦୋଷୀ ସାବ୍ୟସ୍ତ କିମ୍ବା ବିଦେଶୀ ନାଗରିକଙ୍କ ଭଳି ବୟସ୍କ ବନ୍ଦୀଙ୍କ କ୍ଷେତ୍ରରେ ଏହି ସୁବିଧା ଲାଗୁ ହେବ ନାହିଁ। ଉପରୋକ୍ତ ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ ପୋକ୍‌ସୋ ଆଇନ ସଂପର୍କିତ ମାମଲା, ଏସିଡ ଆକ୍ରମଣ, ଦୁଷ୍କର୍ମ, ‌‌‌ଯୌନ ନିର୍ଯାତନା, ଦଙ୍ଗା ବା ଦେଶବିରୋଧୀ ଅପରାଧରେ ସଂପୃକ୍ତ ଅପରାଧ, ଜାଲ ନୋଟ୍ ସଂପର୍କିତ ଅପରାଧ, ପିଲାଙ୍କ ଅପହରଣ, ଅର୍ଥନୈତିକ ଓ ବାଣିଜ୍ୟ ସଂପର୍କିତ ଅପରାଧ, ଏନଡିପିଏସ୍ ଆଇନ ସଂପର୍କିତ ମାମଲାରେ ଦୋଷୀ ସାବ୍ୟସ୍ତ ବନ୍ଦୀଙ୍କ ପ୍ରସଂଗ‌ ବିଚାରକୁ ନିଆ ନ ଯାଇ ପାରେ। ଏପରି ପରିସ୍ଥିତି ସତ୍ବେ ଯଦି ଜଣେ ବନ୍ଦୀଙ୍କ ବୟସ ୭୦ ବର୍ଷ ବା ଅଧିକ ଓ କରୋନା ସଂକ୍ରମଣ ଆଶଙ୍କା ରହିଥାଏ ତେବେ ତାଙ୍କୁ ପାରୋଲରେ ଛାଡିବା ପାଇଁ କର୍ତ୍ତୃପକ୍ଷ ବିଚାର କରି ନିଷ୍ପତ୍ତି ଗ୍ରହଣ କରିବେ।
ସେହିଭଳି ଭାବେ ବିଚାରାଧୀନ ବନ୍ଦୀଙ୍କ ପ୍ରସଂଗରେ ମଧ୍ୟ ଉଚ୍ଚ କ୍ଷମତା ସଂପନ୍ନ କମିଟି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସର୍ବାଧିକ ଦଣ୍ଡ ୭ ବର୍ଷ ବା ତା’ଠାରୁ କମ୍ ଦଣ୍ଡ ଥିବା ମାମଲାରେ ଗିରଫ ହୋଇ ଜେଲରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଅନ୍ତରୀଣ ଜାମିନରେ ଛାଡିବା ପାଇଁ ଉପଯୁକ୍ତ କୋର୍ଟଙ୍କୁ ଅନୁମୋଦନ କରାଯିବ। କମିଟି ନିକଟରେ ଜେଲ ଡିଜି ଉପସ୍ଥାପନ କରିଥିବା ତଥ୍ୟରୁ ରାଜ୍ୟର ୮୭ଟି ଜେଲରେ ଏପରି ୧୭୨୭ ଜଣ ବିଚାରାଧୀନ ବନ୍ଦୀଙ୍କୁ ଚିହ୍ନଟ କରାଯାଇଛି। ଅତିରିକ୍ତ ୨ ମାସ ଓ ଏକ ମାସ ଜେଲ ଦଣ୍ଡ କୋହଳ (ରେମିସନ୍) କରିବାର କ୍ଷମତା ଥିବା ହେଡ୍ ଅଫ୍ ଦି ଡିପାର୍ଟମେଣ୍ଟ ଓ ଜେଲ ଅଧୀକ୍ଷକମାନଙ୍କୁ ସେମାନଙ୍କ କ୍ଷମତା ପ୍ରୟୋଗ କରି ଏଥି ପାଇଁ ଯୋଗ୍ୟ ବନ୍ଦୀଙ୍କୁ ଜେଲରୁ ଛାଡ଼ିବା ପାଇଁ କୁହାଯାଇଛି। ୮୫୬ ଜଣ ଦୋଷୀ ସାବ୍ୟସ୍ତ ବନ୍ଦୀଙ୍କୁ ଭିଡ଼ ଏଡ଼ାଇବା ପାଇଁ ବିଭିନ୍ନ ଜେଲକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜେଲ ଡିଜି କମିଟି ନିକଟରେ ସ୍ପଷ୍ଟ କରିଥିଲେ।

ଅର୍ଣ୍ଣେସ୍ କୁମାର ରାୟରେ ରହିଥିବା ନିର୍ଦ୍ଦେଶାବଳୀ ରାଜ୍ୟର ସବୁ ଥାନାରେ ପାଳନ ସୁନିଶ୍ଚିତ କରିବା ପାଇଁ ଗୃହ ସଚିବ ଓ ପୁଲିସ ଡିଜି ପଦକ୍ଷେପ ନେବେ। ସବୁ ସପ୍ତାହରେ ଥରେ ବୁଧବାର ଦିନ ଜିଲ୍ଲାସ୍ତରୀୟ ଅଣ୍ଡର ଟ୍ରାଏଲ ରିଭ୍ୟୁ କମିଟି ବସି ସୁପ୍ରିମକେର୍ଟଙ୍କ ରାୟ ଆଧାରରେ ନିଷ୍ପତ୍ତି ଗ୍ରହଣ କରିବେ। ବ୍ୟକ୍ତିଗତ ବୈଠକ ନ କରି ବୈଦ୍ୟୁତିକ ଯୋଗାଯୋଗ ମାଧ୍ୟମର ବ୍ୟବହାର କରାଯିବ। ଜେଲରୁ ମୁକୁଳିବାକୁ ଥିବା ବନ୍ଦୀମାନଙ୍କୁ ସେମାନଙ୍କ ସ୍ଥାନରେ ପହଞ୍ଚାଇବା ପାଇଁ ଜିଲ୍ଲା ମାଜି‌ଷ୍ଟ୍ରେଟ୍ ଓ ଏସପି ବ୍ୟବସ୍ଥା କରିବେ।

ସମ୍ବନ୍ଧିତ ଖବର