ଓଡ଼ିଶା ସୀମାରେ ଛାଡ଼ିଦେଲା ଆନ୍ଧ୍ର ପୁଲିସ, ରାୟଗଡ଼ାରେ ଫସିଛନ୍ତି ଛତିଶଗଡ଼ର ୧୮ ତୀର୍ଥଯାତ୍ରୀ

ସ୍ବାସ୍ଥ୍ୟ ପରୀକ୍ଷା କଲା ରାପିଡ୍ ରେସପନସ୍ ଟିମ୍, ଘରକୁ ଫେରିବା ପାଇଁ ପ୍ରଶାସନକୁ କଲେ ନିବେଦନ

ରାୟଗଡ଼ା : ତୀର୍ଥଯାତ୍ରାରେ ଯାଇଥିଲେ। ରାମେଶ୍ବର, କନ୍ୟାକୁମାରୀ, ମଦୁରାଇ ଓ ତିରୁପତି ବୁଲି ୨୨ତାରିଖ ଟ୍ରେନ୍ ଯୋଗେ ଫେରିଥାନ୍ତେ ନିଜ ଘରକୁ। କିନ୍ତୁ କରୋନା ମୁକାବିଲା ଲାଗି ସାରା ଦେଶ ଲକଡାଉନ୍ ଘୋଷଣା ପରେ ଟ୍ରେନ୍ ବାତିଲ୍ ଯୋଗୁଁ ଫସିଛନ୍ତି ଛତିଶଗଡ଼ର ୧୮ ତୀର୍ଥଯାତ୍ରୀ। ବହୁକଷ୍ଟରେ ଗତକାଲି ରାତିରେ ବେସରକାରୀ ବସ୍ ଯୋଗେ ସେମାନେ ଆନ୍ଧ୍ରର ପାର୍ବତୀପୁରମରେ ପହଞ୍ଚିବା ପରେ ଆଜି ଆନ୍ଧ୍ରପ୍ରଦେଶ ପୁଲିସ ସେମାନଙ୍କୁ ଓଡ଼ିଶା ସୀମାନ୍ତରେ ଛାଡ଼ି ଦେଇଛି। ସେଠାରୁ ଅଟୋ ଯୋଗେ ଆସି ରାୟଗଡ଼ାରେ ପହଞ୍ଚିବା ପରେ ତୀର୍ଥଯାତ୍ରୀଙ୍କୁ ପଚରାଉଚରା କରୁଛି ରାପିଡ୍ ରେସପନସ୍ ଟିମ୍।

ଘରକୁ ଫେରି ନ ପାରି ଓଡ଼ିଶାରେ ଫସିଥିବା ୧୮ଜଣ ତୀର୍ଥଯାତ୍ରୀଙ୍କ ଘର ଛତିଶଗଡ଼ ମହାସମୁଦ ଜିଲ୍ଲାର ନନ୍ଦଗାଁରେ। ଗାଁରୁ ସେମାନେ ମାର୍ଚ୍ଚ ୧୧ ତାରିଖରେ ଟ୍ରେନ୍ ଯୋଗେ ବାହାରି ୧୨ ତାରିଖରେ ରାମେଶ୍ବରମରେ ପହଞ୍ଚିଥିଲେ। ସେଠାରୁ କନ୍ୟାକୁମାରୀ, ମଦୁରାଇ ବୁଲିବା ପରେ ୧୯ ତାରିଖରେ ତିରୁପତିରେ ପହଞ୍ଚିଥିଲେ। କିନ୍ତୁ କରୋନା ମୁକାବିଲା ଲାଗି ତିରୁପତି ମନ୍ଦିର ବନ୍ଦ ଥିବାରୁ ସମସ୍ତ ତୀର୍ଥଯାତ୍ରୀ ବାହାରେ ଲଣ୍ଡା ହୋଇଥିଲେ। ୨୨ ତାରିଖରେ ତିରୁପତିରୁ ଟ୍ରେନରେ ଫେରିବା ପାଇଁ ଟିକେଟ୍ ହୋଇଥିଲା। ହେଲେ ଟ୍ରେନ୍ ସେବା ବାତିଲ୍ ଯୋଗୁ ତୀର୍ଥଯାତ୍ରୀ ତିରୁପତିରେ ଫସି ରହିଥିଲେ। ସଂପୃକ୍ତ ପ୍ରଶାସନ ଗୋଟିଏ ବେସରକାରୀ ବସରେ ତୀର୍ଥଯାତ୍ରୀଙ୍କୁ ବିଶାଖାପାଟଣାରେ ପହଞ୍ଚାଇବା ପରେ ଅନ୍ୟ ଏକ ଗାଡ଼ିରେ ତୀର୍ଥଯାତ୍ରୀ ଗତକାଲି ରାତିରେ ପାର୍ବତୀପୁରମରେ ପହଞ୍ଚିଥିଲେ। ଆଜି ସକାଳେ ଆନ୍ଧ୍ରପ୍ରଦେଶ ପୁଲିସ ପାର୍ବତୀପୁରମ ସହରରେ ତୀର୍ଥୀଯାତ୍ରୀଙ୍କୁ ଦେଖିବା ପରେ ୨ଟି ଅଟୋରେ ଆଣି ଓଡ଼ିଶା ସୀମାନ୍ତ କୁନେରୁ ନିକଟରେ ଛାଡ଼ି ଦେଇଥିଲା। ସେଠାରୁ ତୀର୍ଥଯାତ୍ରୀମାନେ ପୁଣି ଅଟୋ କରି ଆସିଥିଲେ। ଅଟୋ ଚାଳକ ସେମାନଙ୍କୁ ରାୟଗଡ଼ା ସହର ସୀମା ତଥା ମା ମଝିଘରିଆଣୀ ମନ୍ଦିର ନିକଟ ପୋଲ ପାଖରେ ଛାଡ଼ି ପଳାଇ ଯାଇଥିଲା। ଖବର ପାଇ ପୁଲିସ, ପ୍ରଶାସନ ତୀର୍ଥଯାତ୍ରୀଙ୍କ ନିକଟରେ ପହଞ୍ଚିଥିଲା। ଟ୍ରେନ୍, ବସ୍ ଚଳାଚଳ ବନ୍ଦ ସାଙ୍ଗକୁ ସମସ୍ତ ‌ହୋଟେଲ୍ ବଜାର ବନ୍ଦ ଥିବାରୁ ୩ରୁ ୪ ଦିନ ହେଲା ଭୋକରେ ଆଉଟୁ ପାଉଟୁ ହୋଇ ତୀର୍ଥଯାତ୍ରୀ ଦିନ ବିତାଇଥିବା କହିଛନ୍ତି। ଟ୍ରେନ୍ ବାତିଲ୍ ପରେ ବସ୍‌ରେ ଆସିବା ଯୋଗୁଁ ସମସ୍ତ ଟଙ୍କା ସରି ଯାଇଥିବାରୁ ଅନ୍ୟ ଗାଡ଼ି କରି ନିଜ ଘରକୁ ଫେରିବାକୁ ସକ୍ଷମ ନଥିବା କହିଥିଲେ ତୀର୍ଥଯାତ୍ରୀ। ଗାଡ଼ିର ବ୍ୟବସ୍ଥା କରି ଛତିଶଗଡ଼ରେ ଛାଡ଼ି ଦେବାକୁ ତୀର୍ଥଯାତ୍ରୀ ପ୍ରଶାସନକୁ ନିବେଦନ କରିଥିଲେ। ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶରେ ସଙ୍ଗେ ସଙ୍ଗେ ରାୟଗଡ଼ା ରାପିଡ୍ ରେସପନସ୍ ଟିମର ଡା. କଲ୍ଲୋଳ ଦାଶ ପହଞ୍ଚି ତୀର୍ଥଯାତ୍ରୀଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ତୀର୍ଥଯାତ୍ରା ସମୟରେ କେଉଁ କେଉଁ ଅଞ୍ଚଳ ବୁଲିଥିଲେ, କାହା ସଂସ୍ପର୍ଶରେ ଆସିଛନ୍ତି ସେ ସଂପର୍କିତ ସମସ୍ତ ତଥ୍ୟ ସ୍ବାସ୍ଥ୍ୟ ବିଭାଗ ପଚାରି ବୁଝିବା ସହ ସ୍ବାସ୍ଥ୍ୟ ପରୀକ୍ଷାରେ କରୋନା ସଂପର୍କିତ କୌଣସି ଲକ୍ଷଣ ତୀର୍ଥଯାତ୍ରୀଙ୍କ ନକିଟରେ ନଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସମସ୍ତ ତୀର୍ଥଯାତ୍ରୀଙ୍କୁ ଛତିଶଗଡ଼ ସୀମାରେ ଛାଡ଼ିବାକୁ ଜିଲ୍ଲା ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳାଇ ଗୋଟିଏ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରିଛନ୍ତି। ଆସନ୍ତାକାଲି ସକାଳ ସୁଦ୍ଧା ତୀର୍ଥଯାତ୍ରୀଙ୍କୁ ଛତିଶଗଡ଼ରେ ପହଞ୍ଚାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର