ବହୁଚର୍ଚ୍ଚିତ ମୟ ହତ୍ୟା ମାମଲା, ୧୮ଜଣଙ୍କୁ ଆଜୀବନ

ବ୍ରହ୍ମପୁର/ଗୋଳନ୍ଥରା : ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଫୁଲଟା ଗ୍ରାମରେ ଗତ ୨୦୦୭ରେ ସଂଘଟିତ ବହୁ ଚର୍ଚ୍ଚିତ ମୟ ସାସମଲ ଓରଫ ମହେଶ୍ବର ସାସମଲ ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି। ଏହି ମାମଲାର ଶୁଣାଣି କରି ଗଞ୍ଜାମ ଅତିରିକ୍ତ ଜିଲ୍ଲା ଦୌରାଜଜ୍-୧ ସଂଜୟ କୁମାର ସାହୁ ସମସ୍ତ ୧୮ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ପ୍ରତ୍ୟେକ ଅଭିଯୁକ୍ତଙ୍କୁ ୫ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ଜଣେ ଅଭିଯୁକ୍ତଙ୍କର ଇତିମଧ୍ୟରେ ମୃତ୍ୟୁ ଘଟିଛି। ସେହିପରି ହତ୍ୟାର ଶିକାର ହୋଇଥିବା ମହେଶ୍ବରଙ୍କ ପତ୍ନୀ ଲକ୍ଷ୍ମୀ ସାସମଲଙ୍କୁ ୧ଲକ୍ଷ ଟଙ୍କା କ୍ଷତିପୂଣର ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତର ଏହି ରାୟ ଆଜି ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ସଦର ଥାନା ଅନ୍ତର୍ଗତ ଫୁଲଟା ଗ୍ରାମର ମହେଶ୍ବରଙ୍କୁ ଗତ ୨୦୦୭ ମେ ୧୨ତାରିଖରେ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରା ଯାଇଥିଲା। ମହେଶ୍ବର ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥିଲେ। ଫୁଲଟା ଗ୍ରାମରେ ବିଭିନ୍ନ କାରଣକୁ ନେଇ ଅଶାନ୍ତି ଲାଗି ରହିଥିଲା। ଏହାକୁ ସମାଧାନ କରିବା ପାଇଁ ଲାଞ୍ଜିପଲ୍ଲୀ ଶାନ୍ତି କମିଟିର କିଛି ସଦସ୍ୟ ଘଟଣା ଦିନ ଫୁଲଟା ଗ୍ରାମକୁ ଯାଇଥିଲେ। ସେଠାରେ ମହେଶ୍ବରଙ୍କ ସହିତ ବଚସା ହେବା ପରେ କମିଟି ସଦସ୍ୟମାନେ ତାଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ମହେଶ୍ବରଙ୍କ ମୃତ୍ୟୁ ଘଟିଥିଲା। ଭାଇ ବାବୁଲା ସାସମଲଙ୍କ ଅଭିଯୋଗ କ୍ରମେ ସଦର ଥାନା ପୁଲିସ ଏହି ହତ୍ୟା ମାମଲାରେ ମୋଟ ୧୯ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତମାନେ ହେଲେ ଗୋପୀନାଥ ପ୍ରଧାନ, ଟୁନା ପ୍ରଧାନ, ଗୋଲକ କୁମାର ପ୍ରଧାନ ଓରଫ୍‌ ଟୁଟୁ, ସୁଦାମ ସାସମଲ, ବେଣୁ ପ୍ରଧାନ, ଆନନ୍ଦ ନାହାକ, ଫକିର ସାସମଲ, ବିଶ୍ବମ୍ଭର ସାସମଲ, ନିରଂଜନ ମାର୍ଥା ଓରଫ୍‌ ନିର, ଅନମ ନାହାକ, ବିଜୟ ପ୍ରଧାନ ଓରଫ୍‌ ଟେମ୍ପୁ ବିଜୟ, ଟୁନା ସାସମଲ, ଭାଗୀ ସାସମଲ, ଭାଗୀ ପ୍ରଧାନ, ଲଡ଼ୁ ସାସମଲ, ପଦ୍ମ ସାସମଲ, କୃଷ୍ଣ ପ୍ରଧାନ ଏବଂ ସନ୍ତୋଷ କୁମାର ସାହୁ। ପରେ ପର୍ଯ୍ୟାୟ କ୍ରମେ ସମସ୍ତ ଅଭିଯୁକ୍ତ ସର୍ତମୂଳକ ଜାମିନ୍ ପାଇଥିଲେ। ତେବେ ଏଡିଜେ-୧ଙ୍କ କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିଲା।

ଆଜି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଁ ଦିନ ଧାର୍ଯ୍ୟ କରାଯାଇଥିବାରୁ ସମସ୍ତ ଅଭିଯୁକ୍ତ କୋର୍ଟରେ ହାଜର ହୋଇଥିଲେ। ଏଡିଜେ-୧ ମାମଲାର ବିଚାର ବେଳେ ୧୨ଜଣ ସାକ୍ଷୀଙ୍କ ବୟାନ୍‌କୁ ଭିତ୍ତି କରି ଉପଯୁକ୍ତ ପ୍ରମାଣ ଥିବା ଯୋଗୁଁ ୧୮ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ରାୟ ପ୍ରକାଶ ପାଇବା ପରେ କିଛି ଅଭିଯୁକ୍ତ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଏହାପରେ ଅଭିଯୁକ୍ତମା‌ନଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜେଲ୍‌ ହାଜତକୁ ନିଆ ଯାଇଥିଲା। ସରକାରଙ୍କ ତରଫରୁ ଏପିପି ଜ୍ଞାନେନ୍ଦ୍ରନାଥ ଜେନା ଓ ଏପିପି ଅନିଲ ସାହୁ ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର