୧୮ଟି ଜେଲ୍‌ ବନ୍ଦ ହେବ

ଭୁବନେଶ୍ୱର : ରାଜ୍ୟ ସରକାର ୧୮ଟି ଜେଲ୍‌କୁ ବନ୍ଦ କରିବା ଲାଗି ସ୍ଥିର କରିଛନ୍ତି। କମ୍‌ ସଂଖ୍ୟକ ବନ୍ଦୀ ରହୁଥିବା ଯୋଗୁ ଏଗୁଡ଼ିକୁ ବନ୍ଦ କରିବା ସହ ସେଠାରେ ଥିବା ଅନ୍ତେବାସୀଙ୍କୁ ନିକଟସ୍ଥ ଜେଲ୍‌କୁ ସ୍ଥାନାନ୍ତର କରାଯିବ। ଯେଉଁସବୁ ଜେଲ୍‌ରେ ଖୁବ୍‌ କମ୍‌ ସଂଖ୍ୟକ ବନ୍ଦୀ ରହୁଛନ୍ତି ସେଠାରେ ଅଯଥାରେ ପ୍ରଶାସନିକ ଓ ଅନ୍ୟାନ୍ୟ ବ୍ୟୟଭାର ବୃଦ୍ଧି ନ କରିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଏହି ଜେଲ୍‌ ଗୁଡ଼ିକରେ ଥିବା ଅନ୍ତେବାସୀଙ୍କୁ ନିକଟସ୍ଥ ଜେଲ୍‌କୁ ସ୍ଥାନାନ୍ତର କରାଯିବ ଓ ଜେଲ୍‌ କର୍ମଚାରୀମାନଙ୍କୁ ମଧ୍ୟ ଆବଶ୍ୟକ ଥିବା ଜେଲ୍‌ଗୁଡ଼ିକୁ ପଠାଇ ଦିଆଯିବ।ଯେଉଁ ଜେଲ୍‌ଗୁଡ଼ିକ ବନ୍ଦ ହେବ ସେଠାରେ ଆବଶ୍ୟକତାକୁ ଦେଖି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଏବଂ ଅନ୍ୟ ସରକାରୀ ସଂସ୍ଥା ଖୋଲିବା ଲାଗି କର୍ତ୍ତୃପକ୍ଷ ମନସ୍ଥ କରିଛନ୍ତି। କାରଣ ଏହି ଜେଲ୍‌ଗୁଡ଼ିକରେ ବନ୍ଦୀ ଓ ଦପ୍ତର ଚଳାଇବା ଲାଗି ଭିତ୍ତିଭୂମି ରହିଥିବା ବେଳେ କେତେକ ସ୍ଥାନରେ କର୍ମଚାରୀମାନଙ୍କ ଲାଗି କ୍ୱାଟର୍ସର୍ ମଧ୍ୟ ରହିଛି। ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟରେ ମୋଟ୍‌ ୯୧ଟି ଜେଲ୍‌ ରହିଥିବା ବେଳେ ଏଥିମଧ୍ୟରୁ ଗୋଟିଏ ମୁକ୍ତାକାଶ ଜେଲ୍‌ ରହିଛି। ଏହିସବୁ ଜେଲ୍‌ରେ ପ୍ରାୟ ୨୦ ହଜାର ବନ୍ଦୀ ରହିବାର ବ୍ୟବସ୍ଥା ଅଛି। କିନ୍ତୁ ଅଧିକାଂଶ ଜେଲ୍‌ରେ କ୍ଷମତାଠାରୁ ଖୁବ୍‌ କମ୍‌ ସଂଖ୍ୟକ ବନ୍ଦୀ ରହୁଛନ୍ତି। ଏମାନଙ୍କ ପାଇଁ ଯେତିକି ବ୍ୟୟ ହେଉଛି ତାହାଠାରୁ ଅଧିକ ସେମାନଙ୍କୁ ଜଗାରଖା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀ ଓ ଜେଲ୍‌ ପ୍ରଶାସନ ପାଇଁ ଖର୍ଚ୍ଚ ହୋଇଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ୧୮ଟି ଜେଲ୍‌ବନ୍ଦ ଲାଗି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର