୧୮ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର!

‘କାଳିଆ’ ଯୋଜନା ସର୍ତ୍ତାବଳୀରେ ସଂଶୋଧନ
ବିଜୁ କୃଷକ କଲ୍ୟାଣ ଯୋଜନାରେ ବି ସଂଶୋଧନ
ଫିଜିଓଥେରାପି ପାଇଁ ଗଠନ ହେବ ପରିଷଦ
୭ଟି ପାନୀୟ ଜଳ ପ୍ରକଳ୍ପ ପାଇଁ ଟେଣ୍ଡର ଅନୁମୋଦିତ
ଖଣ୍ଡପଡ଼ା-ଭାପୁର-ନୟାଗଡ଼ ପାଇଁ ୪୬୦ କୋଟିର ପାନୀୟ ଜଳ
ସି.ଭି ରମଣ କଲେଜକୁ ଗ୍ଲୋବାଲ୍ ବିଶ୍ବବିଦ୍ୟାଳୟ ମାନ୍ୟତା

ଭୁବନେଶ୍ବର : କୃଷକଙ୍କ ପାଇଁ ସହାୟତା ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ କାଳିଆ ଯୋଜନାର ସର୍ତ୍ତାବଳୀରେ ରାଜ୍ୟ ସରକାର ପରିବର୍ତ୍ତନ ଆଣିବେ। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ କୃଷି ବିଭାଗର ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ମିଳିଥିବା ସୂଚନା ମିଳିଛି। ବିଧାନସଭା ଶୀତ ଅଧିବେଶନ ଚାଲିଥିବାରୁ କ୍ୟାବିନେଟ ନିଷ୍ପତ୍ତି ସଂକ୍ରାନ୍ତ ତଥ୍ୟ ଗଣମାଧ୍ୟମକୁ ବିଧିବଦ୍ଧ ଭାବେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇନାହିଁ। ତେବେ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ ୧୮ଟି ପ୍ରସ୍ତାବକୁ କ୍ୟାବିନେଟ୍‌ର ମୋହର ଲାଗିଛି। ଏ ମଧ୍ୟରେ ଗ୍ରାମୀଣ ପାଇପ ଜଳ ଯୋଗାଣ ଅନ୍ତର୍ଗତ ସୋନପୁର, ସୁନ୍ଦରଗଡ଼, ରାୟଗଡ଼ା, କେନ୍ଦୁଝର, ନୟାଗଡ଼ ଓ ଯାଜପୁର ଜିଲ୍ଲାରେ ୭ଟି ପାନୀୟ ଜଳ ପ୍ରକଳ୍ପ ପାଇଁ ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ ଦେଇଛି। ସେହିପରି ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତାବ ଅନୁଯାୟୀ, ରାଜ୍ୟରେ ଫିଜିଓଥେରାପି ଓ ଅକୁପେସନାଲ୍ ଥେରାପିକୁ ପ୍ରୋତ୍ସାହନ ଦେବା ପାଇଁ ସ୍ବତନ୍ତ୍ର ପରିଷଦ ଗଠନ ହେବ। ଏଥିପାଇଁ ପ୍ରସ୍ତାବିତ ସ୍ବତନ୍ତ୍ର ବିଧେୟକକୁ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ସେହିପରି ବିଜୁ କୃଷକ କଲ୍ୟାଣ ଯୋଜନାରେ ଆବଶ୍ୟକ ସଂଶୋଧନ କରାଯାଇଥିବାର ମଧ୍ୟ ସୂଚନା ମିଳିଛି।

ରାଜ୍ୟରେ ଥିବା ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସରକାର କାଳିଆ ଯୋଜନା କରିଛନ୍ତି। ଏହାର ଦ୍ବିତୀୟ କିସ୍ତି ଅର୍ଥ ପ୍ରଦାନ କାର୍ଯ୍ୟକ୍ରମ ଚଳିତ ମାସରୁ ଆରମ୍ଭ ହେଉଛି। କାଳିଆ ହିତାଧିକାରୀ ଚୟନରେ ପାତରଅନ୍ତର ଯୋଗୁଁ ବହୁ ଯୋଗ୍ୟ ହିତାଧିକାରୀ କାଳିଆ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ଏ ନେଇ ବିଧାନସଭାରେ ସଦସ୍ୟମାନେ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଏବେ ସୁଦ୍ଧା ୪୫ ହଜାର ୯୬୫ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା ନେଇ ଗତ ୧୩ ତାରିଖରେ କୃଷି ମନ୍ତ୍ରୀ ଅରୁଣ ସାହୁ ଉତ୍ତର ରଖିଥିଲେ। ସେହିପରି ଯୋଜନାରେ ସାମିଲ ହେବା ପାଇଁ ୪୦ ଲକ୍ଷ ଦରଖାସ୍ତ ମିଳିଥିବା ନେଇ ମଧ୍ୟ ସେ ସୂଚନା ଦେଇଥିଲେ। ଏବେ ଯୋଗ୍ୟ ହିତାଧିକାରୀଙ୍କୁ କିପରି ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ କାଳିଆ ହିତାଧିକାରୀ ତାଲିକାରେ ଯୋଡ଼ାଯାଇ ପାରିବ ସେଥିପାଇଁ ଏହି ଯୋଜନା ପାଇଁ ଉଦ୍ଦିଷ୍ଟ ସର୍ତ୍ତାବଳୀରେ ଆବଶ୍ୟକ ସଂଶୋଧନ କରିବାକୁ କୃଷି ବିଭାଗର ପ୍ରସ୍ତାବକୁ ଆଜି କ୍ୟାବିନେଟ ଅନୁମୋଦନ କରିଛି। ତେବେ ନିର୍ଦିଷ୍ଟ କି ପରିବର୍ତନ କରାଯାଇଛି, ସେ ସଂକ୍ରାନ୍ତ ବିଶଦ ତଥ୍ୟ ହସ୍ତଗତ ହୋଇନାହିଁ।

ସେହିପରି ବିଜୁ କୃଷକ କଲ୍ୟାଣ ଯୋଜନାରେ ମଧ୍ୟ ସଂଶୋଧନ କରାଯାଇଛି। ଗ୍ରାମୀଣ ପାଇପ ଜଳ ଯୋଗାଣ ଯୋଜନାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରସ୍ତାବ ଅନୁଯାୟୀ, ବସୁଧା ଯୋଜନାରେ ସୋନପୁର, ସୁନ୍ଦରଗଡ଼, ରାୟଗଡ଼ା, କେନ୍ଦୁଝର, ନୟାଗଡ଼ ଓ ଯାଜପୁର ଜିଲ୍ଲାରେ ୭ଟି ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ହେବ। ଏଥିପାଇଁ ଆହ୍ବାନ କରାଯାଇଥିବା ଟେଣ୍ଡରକୁ ଅନୁମୋଦନ କରାଯାଇଛି। ନୟାଗଡ଼ ଜିଲ୍ଲାରେ ଖଣ୍ଡପଡ଼ା, ଭାପୁର ଓ ନୟାଗଡ଼ ବ୍ଲକ୍‌ର ଲୋକଙ୍କୁ ସ୍ବଚ୍ଛ ପିଇବା ପାଣି ଯୋଗାଇବା ପାଇଁ ୪୬୦ କୋଟି ଟଙ୍କାରେ ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯିବ। ଏଥିପାଇଁ ଟେଣ୍ଡର ନେଇଥିବା କମ୍ପାନି ସମ୍ପୃକ୍ତ ପ୍ରକଳ୍ପ ନିର୍ମାଣ ହେବାର ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ବ ବହନ କରିବ ବୋଲି ସର୍ତ୍ତ ରଖାଯାଇଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ୩ଟି ପ୍ରକଳ୍ପ, ଯାଜପୁର ଜିଲ୍ଲାରେ ୨ଟି ମେଗା ପାଇପ ଜଳ ପ୍ରକଳ୍ପ ନିର୍ମାଣ କରାଯିବ। ଏସବୁ ଜିଲ୍ଲାରେ ପାଇପ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ନେଇଥିବା କମ୍ପାନି ୫ ବର୍ଷ ପାଇଁ ରକ୍ଷଣାବେକ୍ଷଣ ଦାୟିତ୍ବରେ ରହିବେ।

ରାଜ୍ୟରେ ଫିଜିଓଥେରାପି ଚିକିତ୍ସାକୁ ପ୍ରୋତ୍ସାହନ ଦେବା ପାଇଁ ଗଠନ ହେବ ସ୍ବତନ୍ତ୍ର ପରିଷଦ। ଏଥିପାଇଁ ଅକୁପେସନାଲ ଥେରାପି ଓ ଫିଜିଓଥେରାପି କାଉନସିଲ ଗଠନ ପାଇଁ ସରକାର ଏକ ବିଧେୟକ ବିଧାନସଭାରେ ଆଣିବେ। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛି। ରାଜ୍ୟରେ ବୈଷୟିକ ଶିକ୍ଷାରେ ଉଚ୍ଚତର ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଭୁବନେଶ୍ବରସ୍ଥିତ ଘରୋଇ ଇଞ୍ଜିନିୟରିଂ କଲେଜ୍ ସି.ଭି ରମଣ କଲେଜ୍ ଅଫ୍ ଇଞ୍ଜିନିୟରିଂକୁ ଗ୍ଲୋବାଲ୍ ବିଶ୍ବବିଦ୍ୟାଳୟରେ ପରିଣତ କରାଯିବ। ଏଥିପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରସ୍ତାବ ଅନୁଯାୟୀ ସି.ଭି ରମଣ କଲେଜ୍ ଅଫ୍ ଇଞ୍ଜିନିୟରିଂ ଗ୍ଲୋବାଲ୍ ୟୁନିଭରସିଟି ବିଲକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ସେହିପରି ଝାରସୁଗୁଡ଼ାସ୍ଥିତ ଏଲ.ଏନ୍ ଇଞ୍ଜିନିୟରିଂ କଲେଜକୁ ମାଗଣାରେ ୪.୫୬ଏକର ଜମି ପ୍ରଦାନ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଇଡକୋ ଜମି ଲିଜ୍ ସୂତ୍ରରେ ନେଇଥିବା ଏହି କଲେଜ ଉପରେ ଥିବା ବକେୟା ଲିଜ୍ ବାବଦ ଅର୍ଥକୁ ମଧ୍ୟ ଛାଡ଼ କରାଯାଇଛି। ବିଭିନ୍ନ ଶିଳ୍ପକୁ ଜମି ପ୍ରଦାନ ନେଇ ଇଡକୋ ଆଇନରେ ସଂଶୋଧନ କରିବାକୁ ଶିଳ୍ପ ବିଭାଗ ଆଣିଥିବା ପ୍ରସ୍ତାବକୁ ମଧ୍ୟ ମୋହର ଲାଗିଛି। ଅର୍ଥ ବିଭାଗର ପ୍ରସ୍ତାବ ଅନୁଯାୟୀ, ଓଡ଼ିଶା ଦ୍ରବ୍ୟ ଓ ସେବାକର ଆଇନ ୨୦୧୭ରେ ସଂଶୋଧନ କରାଯିବ। ଓଡ଼ିଶା ଅତ୍ୟାବଶ୍ୟକ ସେବା (ପରିଚାଳନା) ଆଇନ,୧୯୮୮ରେ ସଂଶୋଧନ କରିବା ନେଇ ଗୃହ ବିଭାଗର ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଥିବା ସୂଚନା ମିଳୁଛି।

ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବ ଅନୁଯାୟୀ, କଟକ ଜିଲ୍ଲା ଡମପଡ଼ା ବ୍ଲକ ବାଆଁରା ଗ୍ରାମ ପଞ୍ଚାୟତରେ ଜଗଦଗୁରୁ କୃପାଳୁ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ। ଏହି ବିଶ୍ବବିଦ୍ୟାଳୟରେ ନେଚେରୋପାଥି ଓ ଯୋଗ ବିଜ୍ଞାନ, ସାମାଜିକ ବିଜ୍ଞାନ, ଶରୀର ଓ ଜୀବ ବିଜ୍ଞାନ, ମ୍ୟାନେଜମେଣ୍ଟ, ଭାରତୀୟ ସଂସ୍କୃତି, ପରଫର୍ମିଂ ଆର୍ଟ୍ସ, ଆଧ୍ୟାତ୍ମବାଦ ଓ ମାନସିକ ସନ୍ତୁଳନ ଉପରେ ଗବେଷଣା ଓ ଶିକ୍ଷା ପ୍ରଦାନ କରାଯିବ। ଏ ନେଇ ବିଶ୍ବବିଦ୍ୟାଳୟ ବିଧେୟକକୁ କ୍ୟାବିନେଟ୍ ମୋହର ମାରିଛି। ଏହାସହିତ ଷୋଡ଼ଶ ବିଧାନସଭାର ଦ୍ବିତୀୟ ଅଧିବେଶନ ଆହୂତ ହେବା ସଂକ୍ରାନ୍ତ ପ୍ରସ୍ତାବ କ୍ୟାବିନେଟ ଅନୁମୋଦନ ଲାଭ କରିଛି।

ସମ୍ବନ୍ଧିତ ଖବର