କରୋନା ଖୋଲୁଛି ଗୁମର: ୧୭୪୦ ଭୂତ ନେଇଛନ୍ତି ପାଇଖାନା

ଅପାତ୍ରରେ ଦାନ ୨ କୋଟି ଟଙ୍କା

କୋରେଇ: ଯାଜପୁର ଜିଲ୍ଲାରେ ରାସନ କେଳେଙ୍କାରୀ ପୂର୍ବରୁ ସାମ୍ନାକୁ ଆସିଥିବାବେଳେ ଏବେ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ଦୁର୍ନୀତି ପଦାକୁ ଆସିଛି। ଯାଜପୁର ଜିଲ୍ଲା କୋରେଇ ବ୍ଲକରେ ୧୭୪୦ଟି ପାଇଖାନା ମୃତ ଓ ପରିବାରର ଏକାଧିକ ବ୍ୟକ୍ତି ହାତେଇଥିବା ଖୋଦ୍‌ ବ୍ଲକ୍ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସୂଚନା ଦେଇଛି। ଏହି ବାବଦକୁ ପ୍ରାୟ ୨କୋଟି ଟଙ୍କା ଅପାତ୍ରରେ ଦାନ କରାଯାଇଛି। ୨୦୧୪ ମସିହାରୁ ସ୍ବଚ୍ଛ ଭାରତ ଯୋଜନା ଆରମ୍ଭ ହେବାପରେ କୋରେଇ ବ୍ଲକରେ ନିୟମିତ ଭାବରେ ଏହି ଯୋଜନାରେ ଗୋଟିଏ ଗୋଟିଏ ପରିବାରର ଏକାଧିକ ଲୋକ ପାଇଖାନା ନେଇଥିବା ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କେବଳ ତଦନ୍ତ ଆଳରେ ଘଟଣାକୁ ଚାପିବାକୁ ଚେଷ୍ଟା କରାଯାଇଛି। ମିଳିଥିବା ସୂଚନା ମୁତାବକ ଚଳିତବର୍ଷ ସୁଦ୍ଧା କୋରେଇ ବ୍ଲକରେ ୨୩ ହଜାର ୯୩୩ଟି ପାଇଖାନା ନିର୍ମାଣ ପାଇଁ ପ୍ରଶାସନ ଲକ୍ଷ୍ୟଧାର୍ଯ୍ୟ କରିଥିଲେ। ବ୍ଲକ୍‌ରେ ଚଳିତ ମାସ ସୁଦ୍ଧା ୧୯ ହଜାର ୮ଶହ ଲୋକ ପାଇଖାନା ପାଇଥିବା ବ୍ଲକ୍ ଗ୍ରାମ୍ୟ ଜଳଯୋଗାଣ ବିଭାଗ ସୂଚନା ଦେଇଛି। ଏମାନଙ୍କ ମଧ୍ୟରୁ ୧୭୪୦ ଜଣ ଏଭଳି ଲୋକ ଅଛନ୍ତି ଯେଉଁମାନେ ମୃତ ଏବଂ ଅନେକଙ୍କ ନାମରେ ଏକାଧିକ ପାଇଖାନା ଦିଆଯାଇଛି। ସେମାନଙ୍କ ତାଲିକା ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ଦିଆଯାଇଥିବା ବ୍ଲକ୍ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ସୋମାନାଥ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଶ୍ରୀ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ, ନୂତନ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। କୋରେଇ ବ୍ଲକରେ ଆହୁରି ୪୮୪୯ ଲୋକ ଅଛନ୍ତି ଯେଉଁମାନେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ବିଭିନ୍ନ କାରଣରୁ ଯୋଜନାରୁ ବାଦ ପଡିଛନ୍ତି। ଖାଲି ସେତିକି ନୁହେଁ ବହୁ ହିତାଧିକାରୀ ଏକାଧିକ ପାଇଖାନା ନେଇଥିବା ସହ କେତେକ ଗୋଚର ଓ ଅନାବାଦୀ ଜମିରେ ପାଇଖାନା ନିର୍ମାଣ କରିଛନ୍ତି। ଯାହାକି କୌଣସି କାମରେ ଆସୁନାହିଁ। ବ୍ଲକର ବଡବିରୁହାଁ ପଞ୍ଚାୟତ ଆମ୍ବତୋଳା ଗ୍ରାମର ହିତାଧିକାରୀ ଅରକ୍ଷିତ ନାୟକଙ୍କ ଦୁଇ ପୁଅ ରବୀନ୍ଦ୍ର ଓ ପରୀକ୍ଷିତଙ୍କ ନାମରେ ଦୁଇଟି ପାଇଖାନା ଦିଆଯାଇଛି। ସେହିପରି, ଗୋକୁଳ ନାୟକ ଓ ଗୋଲଖ ନାୟକଙ୍କ ନାମରେ ମଧ୍ୟ ପାଇଖାନା ଦିଆଯାଇଥିବା ବେଳେ ସମସ୍ତ ହିତାଧିକାରୀ ନାମକୁ ମାତ୍ର ଘରଠାରୁ ଦୂରରେ ଗୋଚର ଜମିରେ ପାଇଖାନା ନିର୍ମାଣ କରିଛନ୍ତି। ପଞ୍ଚାୟତର ବଡବିରୁହାଁ ଗ୍ରାମର ଏକାଦଶୀ ମହାପାତ୍ରଙ୍କ ପୁଅ ନବକିଶୋର ଏବଂ ନାତି ରଞ୍ଜନଙ୍କ ନାମରେ ଦିଆଯାଇଛି ଦୁଇଟି ପାଇଖାନା। ପ୍ରକୃତପକ୍ଷେ ପାଇଖାନା ରହିଛି ଗୋଟିଏ। ଖାଲି ସେତିକି ନୁହେଁ ଖମଣ ପଞ୍ଚାୟତର ଧନେଶ୍ବର ସାହୁ, ଭାଗବତ ସାହୁ, ନନ୍ଦକିଶୋର ସାହୁ ଆଦିଙ୍କ ନାମରେ ସରକାରୀ ରେକର୍ଡରେ ପାଇଖାନା ଥିବାବେଳେ ବର୍ଷକ ତଳୁ ଏମାନଙ୍କର ମୃତ୍ୟୁ ହୋଇଯାଇଛି। ସେମାନଙ୍କ ନାମରେ ପାଇଖାନା ଥିବାର କିଛି ଖବର ନଥିବା ପ୍ରକାଶ କରିଛନ୍ତି ପରିବାର ଲୋକେ। ଏହିଭଳି କୋରେଇ ବ୍ଲକର ବହୁ ପଞ୍ଚାୟତରେ ଅନିୟମିତତା ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର