ଭୁବନେଶ୍ବର: ରାଜ୍ୟରେ ୧୯ଟି ନଦୀ ପ୍ରଦୂଷିତ ବୋଲି ଚିହ୍ନଟ ହୋଇଛି । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ଏକଥା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ । ଶିଳ୍ପ ଓ ସହର ଆବର୍ଜନା ମିଶୁଥିବାରୁ ନଦୀଗୁଡ଼ିକ ପ୍ରଦୂଷିତ ହେଉଛି । ସହରାଞ୍ଚଳରେ ସିୱେଜ୍ ଟ୍ରିଟମେଣ୍ଟ ବାଧ୍ୟତାମୂଳକ ହୋଇଥିବା ବେଳେ ନିୟମ ଖିଲାପ କରି କିଛି ସଂସ୍ଥା ନଦୀକୁ ତରଳ ଆବର୍ଜନା ଛାଡ଼ୁଛନ୍ତି । ଆଉ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି କି ନାହିଁ ବୋଲି ଆଜି ଗୃହରେ ପ୍ରଶ୍ନ କରିଥିଲେ ଦଳୀୟ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରବାହିତ ହୋଇଥିବା ନଦୀ ମଧ୍ୟରୁ ୧୯ଟି ନଦୀରେ ନର୍ଦ୍ଦମା ଜଳ ମିଶୁଥିବାରୁ ସେଗୁଡ଼ିକୁ ପ୍ରଦୂଷିତ ଚିହ୍ନଟ କରାଯାଇଛି । ଆଉ ଏଥରୁ ବର୍ତ୍ତିବା ପାଇଁ ଭୁବନେଶ୍ୱର, କଟକ, ସମ୍ବଲପୁର, ତାଳଚେର ଓ ରାଉରକେଲା ସହରରେ ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟକାରୀ କରାଯାଉଛି । ସେହିପରି ଭୁବନେଶ୍ବର, ବାରିପଦା, ବ୍ରହ୍ମପୁର, ସମ୍ବଲପୁର, ପୁରୀ, ରାଉରକେଲାରେ ସେପଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯ୍ୟ କରାଯାଇ କାର୍ଯ୍ୟକ୍ଷମ କରାଯାଉଛି । ଅନ୍ୟପଟେ କଟକ ଓ ବାଲେଶ୍ୱରରେ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହା ବ୍ୟତୀତ ବର୍ତ୍ତମାନ ୨୯ ଗୋଟି ସହରରେ ସେପଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ୍ ନିର୍ମାଣ କରିବା ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲିଛି । ରାଜ୍ୟର ସମସ୍ତ ୧୧୪ଟି ସହରରେ ସେପଟେଜ୍ ଟ୍ର୍ରିଟମେଣ୍ଟ ପ୍ଲାଣ୍ଟ୍ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଉତ୍ତର ଦେଇଛନ୍ତି ।
କେବଳ ଏତିକି ନୁହେଁ, ପ୍ରଦୂଷଣ ସୃଷ୍ଟି କରୁଥିବା ସଂସ୍ଥା ଉପରେ କଡ଼ା ନଜର ରଖିଛନ୍ତି ରାଜ୍ୟ ସରକାର । ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା ସମ୍ବଲପୁର, ଜୁନାଗଡ଼, ପୁରୀ ଓ କଟକ ପୌର କର୍ତ୍ତୃପକ୍ଷଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଛନ୍ତି ରାଜ୍ୟ ପ୍ରଦୂଷଣ ବୋର୍ଡ଼ ବୋଲି ମଧ୍ୟ ମନ୍ତ୍ରୀ ପ୍ରକାଶ କରିଛନ୍ତି ।