ଏନ୍‌ଏସ୍‌ଏସ୍‌ ଓ ରାଜ୍ୟର ମିଳିତ ସର୍ଭେ : ଚାଷୀ ମୁଣ୍ଡରେ ୧୯ ହଜାର ଟଙ୍କାର ଋଣ

ଭୁବନେଶ୍ୱର : ଝାଡ଼ଖଣ୍ଡକୁ ଛାଡ଼ିଦେଲେ, ଓଡ଼ିଶାର ଚାଷୀଙ୍କ ଆୟ ଦେଶରେ ସର୍ବନିମ୍ନ। କେବଳ କୃଷି କ୍ଷେତ୍ରରୁ ଦେଶର ଜଣେ ଚାଷୀ ମାସକୁ ହାରାହାରି ୫୫୪୨ ଟଙ୍କା ରୋଜଗାର କରୁଥିବାବେଳେ ରାଜ୍ୟର ଚାଷୀଙ୍କ ଆୟ ମାତ୍ର ୨୧୨୦ ଟଙ୍କା। ପଞ୍ଜାବର ଜଣେ ଚାଷୀ ମାସକୁ ହାରାହାରି ଆୟ ୨୮୧୧୭ ଟଙ୍କା ଥିବାବେଳେ ହରିୟାଣାରେ ୧୭୧୪୪ ଟଙ୍କା, ପଡ଼ୋଶୀ ପଶ୍ଚିମବଙ୍ଗରେ ୨୮୩୬ ଟଙ୍କା, ଛତିଶଗଡ଼ରେ ୪୫୫୧ ଟଙ୍କା, ଆନ୍ଧ୍ର ପ୍ରଦେଶରେ ୮୪୮୨ ଟଙ୍କା, ତେଲେଙ୍ଗନା ଚାଷୀ ମାସକୁ ୮୬୬୬ ଟଙ୍କା ଆୟ କରୁଛି। ଆୟ ଯେପରି କମ୍‌ ସେହିଭଳି ଆମ ଚାଷୀଙ୍କ ମାସିକ ହାରାହାରି ଖର୍ଚ ମାତ୍ର ୧୦୦୧ ଟଙ୍କା। ଏଭଳି ଉଦ୍‌ବେଗଜନକ ପରିସଂଖ୍ୟାନ ବୟାନ କରୁଛି ରାଜ୍ୟର ଜଣେ ଚାଷୀ କେତେ ଗରିବ! କୃଷକ ଓ କୃଷିର ସ୍ଥିତି କେଉଁଠି?

ଓଡ଼ିଶା ଗ୍ରାମାଞ୍ଚଳ କୃଷି ପରିବାରଙ୍କ ଆୟ ଓ ଋଣ ସଂପର୍କିତ ଜାତୀୟ ନମୁନା ସର୍ଭେ(ଏନ୍‌ଏସ୍‌ଏସ୍‌)ର ୭୦ତମ ରାଉଣ୍ଡ ଓ ରାଜ୍ୟ ଅର୍ଥନୈତିକ ଓ ପରିସଂଖ୍ୟାନ ନିର୍ଦେଶାଳୟର ମିଳିତ ସର୍ଭେର ରାଜ୍ୟସ୍ତରୀୟ ସଦ୍ୟ ରିପୋର୍ଟ ପ୍ରକାଶ ପାଇଛି। ଏହି ସର୍ଭେ ୨୦୧୩ ଜାନୁଆରିରୁ ଡିସେମ୍ବର ମାସ ମଧ୍ୟରେ କରାଯାଇଥିଲେ ହେଁ ନିକଟରେ ସାର୍ବଜନୀନ ହୋଇଛି ଏହାର ଫଳାଫଳ। ଫଳାଫଳକୁ ସଠିକ୍‌ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ସଂସ୍ଥାର ଆକଳନକୁ ସମନ୍ଵିତ କରାଯାଇଛି। ଏହି ସର୍ଭେରୁ ଜଣାଯାଇଛି, ଓଡ଼ିଶାର ଗ୍ରାମାଞ୍ଚଳରେ ମୋଟ ପରିବାରଙ୍କ ସଂଖ୍ୟା ୭୧.୯୯ ଲକ୍ଷ। ଏଥିମଧ୍ୟରୁ କୃଷି ପରିବାରଙ୍କ ପ୍ରତିଶତ ୬୦.୫୪ ପ୍ରତିଶତ। କଟକ ଜିଲ୍ଲାରେ ସର୍ବାଧିକ ୭.୬୧ ପ୍ରତିଶତ କୃଷି ପରିବାର ଥିବାବେଳେ ଏହା ପଛକୁ ମୟୂରଭଞ୍ଜରେ ୫.୫୮%, ଗଞ୍ଜାମରେ ୫.୨୭% ଅଛନ୍ତି। ସୋନପୁରରେ ସର୍ବନିମ୍ନ ୦.୯୮ ପ୍ରତିଶତ କୃଷି ପରିବାର ଥିବା ବେଳେ ଏହା ଉପରେ ଅଛନ୍ତି ଝାରସୁଗୁଡ଼ା(୧.୨୫%) ଓ ଦେବଗଡ଼(୧.୪୦%) ଜିଲ୍ଲା। ଏହି ରିପୋର୍ଟ ଅନୁଯାୟୀ ଓଡ଼ିଶା ଗ୍ରାମାଞ୍ଚଳର ଜଣେ ଚାଷୀଙ୍କ ହାରାହାରି ମାସିକ ଆୟ ୪୮୩୮ ଟଙ୍କା। ତେବେ ଏଥିମଧ୍ୟରୁ କେବଳ କୃଷି କ୍ଷେତ୍ରରୁ ଆୟ ହେଉଛି ମାସକୁ ୨୧୨୦ ଟଙ୍କା। ଅର୍ଥାତ୍‌ ମୋଟ ଆୟର ଏହା ୪୩.୮୨ ପ୍ରତିଶତ। ନବରଙ୍ଗପୁର ଜିଲ୍ଲାର ଜଣେ ଗ୍ରାମାଞ୍ଚଳ ଚାଷୀଙ୍କ ହାରାହାରି ମାସିକ ଆୟ ୬୯୨୭.୯୦ ଟଙ୍କା। ଏହା ରାଜ୍ୟରେ ସର୍ବାଧିକ। ତା’ ତଳକୁ ରହିଛି ଢେଙ୍କାନାଳ(୫୩୬୮.୨୦ ଟଙ୍କା), ବଲାଙ୍ଗୀର(୪୮୩୧ ଟଙ୍କା) ଓ ବରଗଡ଼(୩୬୭୭.୫୦ ଟଙ୍କା)। ସେ ପଟେ ଦେଖିଲେ, ମୟୂରଭଞ୍ଜ ଜିଲ୍ଲାର କୃଷି ପରିବାରର ମାସିକ ହାରାହାରି ଆୟ ସର୍ବନିମ୍ନ- ମାତ୍ର ୭୬୮.୮୦ ଟଙ୍କା। ତା’ ଉପରେ ରହିଛି ଖୋର୍ଧା(୯୦୭.୧୦ ଟଙ୍କା), ଦେବଗଡ଼(୯୦୫.୩୦ ଟଙ୍କା) ଓ କୋରାପୁଟ(୯୪୩.୩୦ ଟଙ୍କା)। ପଶ୍ଚିମାଞ୍ଚଳ ଜିଲ୍ଲାଗୁଡ଼ିକରେ ଥିବା କୃଷି ପରିବାରର ହାରାହାରି ମାସିକ ଆୟ ରାଜ୍ୟରେ ସବୁଠାରୁ ଅଧିକ। ଉପକୂଳ ଜିଲ୍ଲାଗୁଡ଼ିକରେ ଏହି ହାର କମ୍‌ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଆହୁରି ବିସ୍ମିତ କରିବା ଭଳି ତଥ୍ୟ ହେଉଛି ଯେ ରାଜ୍ୟ ଗ୍ରାମାଞ୍ଚଳର ୪୯.୪୯ ପ୍ରତିଶତ ଚାଷୀ ଋଣୀ। ପ୍ରତ୍ୟେକ ଚାଷୀଙ୍କ ମୁଣ୍ଡରେ ହାରାହାରି ଋଣ ରାଶିଭାର ହେଉଛି ୧୯୧୦୦ ଟଙ୍କା। ଦକ୍ଷିଣାଞ୍ଚଳ ଚାଷୀଙ୍କ ଋଣ ବୋଝ ଅଧିକ ଥିବା ବେଳେ ପଶ୍ଚିମାଞ୍ଚଳ ଚାଷୀଙ୍କ ଉପରେ ଋଣ ରାଶି ଅପେକ୍ଷାକୃତ କମ୍‌ ଦର୍ଶାଯାଇଛି। ଗଞ୍ଜାମ, ପୁରୀ ଓ ବରଗଡ଼ ଜିଲ୍ଲାର ଚାଷୀଙ୍କ ଉପରେ ସବୁଠାରୁ ଅଧିକ ପରିମାଣର ଋଣ ଥିବା ବେଳେ ମାଲକାନଗିରି, ନୂଆପଡ଼ା ଓ କନ୍ଧମାଳ ଜିଲ୍ଲାର ଚାଷୀଙ୍କ ମୁଣ୍ଡରେ ରହିଛି କମ୍‌ ରାଶିର ଋଣ। ଆକଳନ ଅନୁଯାୟୀ ରାଜ୍ୟ ଗ୍ରାମାଞ୍ଚଳ ଚାଷୀଙ୍କ କୃଷି କ୍ଷେତ୍ର ବାବଦରେ ମାସକୁ ହାରାହାରି ମାତ୍ର ୧୦୦୧ ଟଙ୍କା ଖର୍ଚ କରିଥାନ୍ତି। ଏଣୁ, ଅଭାବୀ ଚାଷୀଙ୍କୁ କିପରି ସହଜରେ କୃଷି ଋଣ ମିଳିପାରିବ ସେ ନେଇ ଚିନ୍ତା କରିବାର ଆବଶ୍ୟକତା ଦେଖାଦେଇଛି।

ସମ୍ବନ୍ଧିତ ଖବର