ଭୟଙ୍କର ହେଉଛି କର୍କଟ

ଦେଶରେ ଦିନକୁ ମରୁଛନ୍ତି ୧୯୪୬ ରୋଗୀ

ୟୁପିରେ ସର୍ବାଧିକ ୩୪୦, ଓଡ଼ିଶାରେ ୬୯

ଭୁବନେଶ୍ୱର : ଦେଶରେ କର୍କଟ ରୋଗ ଭୟଙ୍କର ଭାବେ କାୟା ବିସ୍ତାର କରି ଚାଲିଛି। ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁଯାୟୀ ଦେଶରେ ପ୍ରତିଦିନ ୧୯୪୬ କର୍କଟ ରୋଗୀ ପ୍ରାଣ ହରାଉଛନ୍ତି। ଉତ୍ତର ପ୍ରଦେଶରେ ସର୍ବାଧିକ ଦିନକୁ ୩୪୦ ଲୋକ ପ୍ରାଣ ହରାଉଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ହେଉଛି ୬୯।

୨୦୧୬ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକସଭାରେ ଉପସ୍ଥାପିତ ରିପୋର୍ଟ ଅନୁଯାୟୀ, ୨୦୧୪ ମସିହାଠାରୁ ଓଡ଼ିଶାରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିଛି। ଏହିବର୍ଷ ୪୫ହଜାର ୭୩୬ କର୍କଟ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏଥିରେ ୨୩ହଜାର ୪୩ଜଣଙ୍କ ପ୍ରାଣହାନୀ ଘଟିଛି। ସେହିପରି ୨୦୧୫ ମସିହାରେ ୪୭ହଜାର ୬୬୬ଜଣ କର୍କଟ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏଥିରେ ୨୪ହଜାର ୧୯ଜଣ ପ୍ରାଣ ହରାଇଥିଲେ। ୨୦୧୬ ମସିହାରେ ରାଜ୍ୟରେ ୪୯ହଜାର ୬୭୪ଜଣ କର୍କଟ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏଥିରେ ୨୫ହଜାର ୩୫ଜଣ ପ୍ରାଣ ହରାଇଥିଲେ।

ରାଜ୍ୟରେ ବଢ଼ି ଚାଲିଥିବା କର୍କଟ ରୋଗୀଙ୍କ ସଂଖ୍ୟାକୁ ନଜରରେ ରଖି କଳାହାଣ୍ଡି, ସମ୍ବଲପୁର ଓ ବ୍ରହ୍ମପୁରରେ ଟର୍ସିଆରି କର୍କଟ କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହାସହ କଟକରେ ଏକ ରାଜ୍ୟ କର୍କଟ କେନ୍ଦ୍ର ନିର୍ମାଣ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି। ଅପରପକ୍ଷରେ ୨୦୧୬/୧୭ ଆର୍ଥିକ ବର୍ଷରେ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରକୁ ୩୬କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଇଥିବା ଲୋକସଭାରେ ଦାଖଲ ରିପୋର୍ଟରେ ଦର୍ଶାଯାଇଛି।

୨୦୧୬ରେ ସାରା ଦେଶରେ ୭ ଲକ୍ଷ ୧୦ ହଜାର ଲୋକ ପ୍ରାଣ ହରାଇଥିଲେ। ଏଥିମଧ୍ୟରୁ ୪୯ ଭାଗ ମୃତ୍ୟୁ କେବଳ ୫ଟି ରାଜ୍ୟରେ ଘଟିଛି। ଏଗୁଡ଼ିକ ହେଲେ ଉତ୍ତର ପ୍ରଦେଶ (୧୭%), ମହାରାଷ୍ଟ୍ର (୯%), ବିହାର (୯%), ପଶ୍ଚିମ ବଙ୍ଗ (୮%) ଏବଂ ମଧ୍ୟ ପ୍ରଦେଶ (୬%)। ପରିସ୍ଥିତିରେ ସୁଧାର ନଆସିଲେ ୨୦୨୦ରେ ୧୭ ଲକ୍ଷ ୩୦ ହଜାର ଲୋକ ଏହି ରୋଗରେ ପୀଡ଼ିତ ହେବେ ଏବଂ ୮ ଲକ୍ଷ ୮୦ ହଜାର ଲୋକ ପ୍ରାଣ ହରାଇବେ ବୋଲି ଆଇସିଏମ୍‌ଆର୍‌ର ନେସନାଲ କ୍ୟାନସର ରେଜିଷ୍ଟ୍ରି ପ୍ରୋଗ୍ରାମ ରିପୋର୍ଟରେ ଆଶଙ୍କା ବ୍ୟକ୍ତ କରାଯାଇଛି।

ଏହି ରିପୋର୍ଟ ଅନୁଯାୟୀ ୨୦୧୬ରେ ଦିନକୁ ୧୯୪୬ ଲୋକ କର୍କଟ ରୋଗରେ ପ୍ରାଣ ହରାଇଥିଲେ। ଏହି ତାଲିକାରେ ଉତ୍ତର ପ୍ରଦେଶ ଶୀର୍ଷରେ ରହିଛି। ୟୁପିରେ ଦିନକୁ ୩୪୦ ଜଣ ପ୍ରାଣ ହରାଇଥିବା ବେଳେ ମହାରାଷ୍ଟ୍ରରେ ୧୮୪, ବିହାରରେ ୧୮୧, ପଶ୍ଚିମ ବଙ୍ଗରେ ୧୪୯ ଏବଂ ମଧ୍ୟ ପ୍ରଦେଶରେ ୧୨୪ ଜଣ ପ୍ରାଣ ହରାଇଥିଲେ। ଏହି ତାଲିକାରେ ଓଡ଼ିଶାର ସ୍ଥାନ ୧୧ରେ ରହିଛି।

ଉତ୍ତର ପ୍ରଦେଶରେ ୨ ଲକ୍ଷ ୪୫ ହଜାର ଲୋକ ଏହି ରୋଗରେ ପୀଡ଼ିତ ହୋଇଥିବା ବେଳେ ୧ ଲକ୍ଷ ୨୪ ହଜାର ପ୍ରାଣ ହରାଇଥିଲେ। ସେହିଭଳି ମହାରାଷ୍ଟ୍ରରେ ସେହିବର୍ଷ ୬୭ ହଜାର, ବିହାରରେ ୬୬ ହଜାର, ପଶ୍ଚିମ ବଙ୍ଗରେ ୫୪ ହଜାର ଏବଂ ମଧ୍ୟ ପ୍ରଦେଶରେ ୪୫ ହଜାର ଲୋକ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର