‘ପେଥାଇ’ ବିତ୍ପାତ, ଉଜାଡ଼ିଲା ଚାଷ

୧ କୋଟିର କପା ଚାଷ ନଷ୍ଟ

ଦେଓଗାଁ: ବଲାଙ୍ଗୀର ଜିଲ୍ଳା ଦେଓଗାଁ ବ୍ଳକରେ ‘ପେଥାଇ’ ପ୍ରଭାବ ଅନୁଭୂତ ହୋଇଛି। ଧାନଫସଲ ତ ଉଜୁଡ଼ି ଯାଇଛି, ତା’ ସାଙ୍ଗକୁ କପା ଚାଷ ମଧ୍ୟ ନଷ୍ଟ ହୋଇଯାଇଛି। ଏଥିପାଇଁ ଚାଷୀ ୧ କୋଟି ଟଙ୍କାର କ୍ଷତି ସହିଥିବା ଏକ ଆକଳନରୁ ଜଣାପଡ଼ିଛି। ଦେଓଗାଁରେ ଧାନ ସହିତ ଚାଷୀମାନେ ଆଖୁ ଚାଷ ଉପରେ ଗୁରୁତ୍ବ ଦେଇ ଆସୁଥିଲେ। ମାତ୍ର, ୮ ବର୍ଷ ହେବ ଦେଓଗାଁ ଚିନିକଳ ବନ୍ଦ ହୋଇଯାଇଛି। ଫଳରେ, ଯେଉଁ ଚାଷୀମାନେ ଆଖୁ ଚାଷ କରୁଥିଲେ, ସେମାନେ କପା ଚାଷକୁ ଆଦରି ଆସୁଛନ୍ତି। ମାତ୍ର, ଚଳିତବର୍ଷ ‘ପେଥାଇ’ ପ୍ରଭାବ ଜନିତ ବର୍ଷା ଯୋଗୁ କପା ଫସଲ ବ୍ୟାପକ କ୍ଷତି ଘଟିଛି। ଦେଓଗାଁ ବ୍ଲକରେ ୮୫୦ ହେକ୍ଟର ଜମିରେ କପା ଚାଷ ହୋଇଥିଲା। ‘ଗ୍ରାଉଣ୍ଡଜିରୋ’ରୁ ଅନୁଧ୍ୟାନ ହୋଇଥିବା ରିପୋର୍ଟ ଅନୁସାରେ, ଦେଓଗାଁ ବ୍ଳକ୍‌ ଅନ୍ତର୍ଗତ କୁତୁର୍ଲା, ବଡ଼ବନ୍ଧ, ଲଣ୍ଡାପଥର, ସାରସମାଲ, ଧଣ୍ଡାମାଲ, ବନ୍ଧପଡ଼ା, ଦେଷଣ୍ଢ, ରାମଚନ୍ଦ୍ରପୁର, ଡୁମ୍ବେରପିଟା ଓ ବ୍ରାହ୍ମଣୀଜୋର, ସିଂହାମୁଣ୍ଡା ପଞ୍ଚାୟତର ମୁରସିଂ, କରୁଆଁଝର, ଡୁମ୍ବେରଜୋର, ଡାହିମାଲ, ଝିକେରମାଲ, ରୁଗୁଡ଼ିପାଲି, ସିଂହାମୁଣ୍ଡା, ବାଙ୍କିଆମୁଣ୍ଡାଗାଁ‌ରେ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ଲଣ୍ଡାପଥର ଗାଁର ବିରଞ୍ଚି କର୍ମୀଙ୍କ ୫ଏକର, ଶଶି କର୍ମୀଙ୍କ ୫ ଏକର, ଗୌତମ ନାଏକ ୪ ଏକର, ପ୍ରହ୍ଲାଦ କର୍ମୀଙ୍କ ୩ ଏକର, ସୁରେନ୍ଦ୍ର କର୍ମୀଙ୍କ ୪ ଏକର, ରାଜ କୁମାର କର୍ମୀଙ୍କ ଦେଢ଼ ଏକର, ଶୁକଦେବ ବାଗଙ୍କ ୨ ଏକର କୈଳାସ ବାଗଙ୍କ ୮ ଏକର, ଶିବ ଭୋଇଙ୍କ ୪ଏକର, କୁରତି ଭୋଇଙ୍କ ୪ ଏକର ସହ ଏହି ଗାଁର ପ୍ରାୟ ୨ଶହ ଏକର କପା ଚାଷ ନଷ୍ଟ ହୋଇଯାଇଛି। ଯାହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କାର ବୋଲି ଆକଳନ କରାଯାଉଛି। ବଲାଙ୍ଗୀର ୧୨ ନମ୍ବର ଜିଲ୍ଳା ପରିଷଦ ଜୋନର ସଦସ୍ୟ ସୁଶିଲ ଚାନ୍ଦ କ୍ଷତିଗ୍ରସ୍ତ ଚାଷୀଙ୍କ ସହିତ ଆଲୋଚନା କରିବା ସହିତ କପା ଚାଷକୁ ବୀମାଭୁକ୍ତ କରାଯିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଅପରପକ୍ଷେ, ଦେଓଗାଁ ବ୍ଲକ ଅତିରିକ୍ତ କୃଷି ଅଧିକାର ପ୍ରଦୀପ୍ତ ନାଏକଙ୍କୁ ପଚାରିବାରୁ ଧାନ କ୍ଷତି ଗ୍ରସ୍ତ ହେବା ବିଷୟକୁ ସ୍ବୀକାର କରିଥିବା ବେଳେ ରାମଚନ୍ଦ୍ରପୁର, ସିଂହାମୁଣ୍ଡା, ଦେଷଣ୍ଢ ପରି କେତେକ ପଞ୍ଚାୟତରେ ହୋଇଥିବା କପା ଚାଷର ପ୍ରାୟ ୪୦ ଭାଗ ଉତ୍ପାଦନ ଶେଷ ହୋଇଥିବା ବେଳେ ଅବଶିଷ୍ଟ ପଞ୍ଚାୟତର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି।

ଖର୍ଚ୍ଚ ଦଶ ଭାଗ, ପାଉଛନ୍ତି ଭାଗେ, ହୀନସ୍ତାରେ ପରିବା ଚାଷୀ
ଯାଜପୁର/କୋରେଇ: ୫ ଗୁଣ୍ଠ ଜମିର କୋବି ଫସଲ ଗତ ବର୍ଷାରେ ଉଜୁଡି ଯାଇଥିଲା। ଏବେ ପେଥାଇ ପ୍ରଭାବରେ ପୁଣି ବର୍ଷା। ଯାହା ମିଳୁଛି ମିଳୁ କାଟି ବିକି ଦେଉଛୁ। ଏ ବର୍ଷ କୋବି ଚାଷରେ ୮ହଜାର ଟଙ୍କା ଖର୍ଚ୍ଚ କରିଥିଲି। ଗତ ପାଳି ୪ ଶହ ଟଙ୍କା ବିକିଥିଲି। ଆଜି ବି ସେଭଳିି ୪ଶହ ଟଙ୍କା ହେବ। ଫସଲ ଅଜାଡ଼ି ହୋଇପଡ଼ିଥାନ୍ତା। ଏ ଅଦିନିଆ ବର୍ଷାଟା ସବୁ ଉଜାଡ଼ି ଦେଲା ଆଜ୍ଞା। ରସୁଲପୁର ବ୍ଲକ୍‌ ଭଗୀରଥପୁର ଗାଁର ଚାଷୀ ନାରୁ ବଜାରକୁ କୋବି ବିକିବାକୁ ଗଲା ବେଳେ ଏଭଳି ଦୁଃଖ ବଖାଣିଥିଲେ। କେବଳ ନାରୁ ନୁହନ୍ତି ଜିଲ୍ଲାର ହଜାର ହଜାର ପରିବା ଚ‌ାଷୀଙ୍କ ସମ ଦଶା। ଖର୍ଚର ଏକଦଶମାଂଶ ପାଉଛନ୍ତି ଚାଷୀ। ଏଭଳି ଅଦିନିଆ ବର୍ଷା ଚାଷୀଙ୍କ ମେରୁହାଡ଼କୁ ଭାଙ୍ଗି ଦେଇଛି।

ସୂଚନା ଅନୁସାରେ, କୋରେଇ, ରସୁଲପୁର, ଧର୍ମଶାଳା ତଥା ଯାଜପୁର ବ୍ଲକ୍‌ରେ ଚାଷ ହୋଇଥିବା ଶହ ଶହ ଏକର ପନିପରିବା ଫସଲ ପେଥାଇ ପ୍ରଭାବରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଭଗୀରଥପୁର ଗ୍ରାମର ଫୁଲ କୋବି ଚାଷୀ ନାରୁ ହିସାବ ଦିଅନ୍ତି ଯେ ପ୍ରଥମେ ୫ଗୁଣ୍ଠ ଫୁଲକୋବି ଲଗାଇଥିଲେ। ଗତ ବର୍ଷା‌େର ବିଲରେ ପାଣି ଜମି ରହିବାକୁ ସବୁତକ ଉଜୁଡି ଯାଇଥିଲା। ସେହି କ୍ଷତି ଭରଣା କରିବା ପାଇଁ ପୁଣି ଧାର କରଜ କରି ୨ଗୁଣ୍ଠରେ କୋବି ଲଗାଇଥିଲେ। ଏଥର କୋବି ଉତୁରିଲା ବେଳକୁ ପୁଣି ପେଥାଇ ପ୍ରଭାବରେ ଅଦିନିଆ ବର୍ଷା। ତେଣୁ ଫସଲ ଠିକ୍ ଭାବେ ଉତୁରିଲା ପୂର୍ବରୁ କୋବି କାଟି ବିକି ଚାଲିଛନ୍ତି ସେ। ଶହ ଶହ ଚାଷୀଙ୍କ ସମ ଦଶା। ସମସ୍ତେ ଯେନେତେନ ପ୍ରକାର କିଛି ପଇସା ପାଇବା ପାଇଁ ବଜାରରେ ଫୁଲକୋବି, ବନ୍ଧାକୋବି, କଲରା, ଝୁଡ଼ଙ୍ଗ, ଶାଗ, ବିନସ୍, ମୂଳା, ବାଇଗଣ ପ୍ରଭୃତି ଅଜାଡ଼ି ପକାଉଛନ୍ତି। ଫଳରେ ବଜାରରେ ପନିପରିବା ଦର ଖସିଯାଇଛି। ଚାଷରେ ଖର୍ଚ୍ଚ କରିଥିବା ଟଙ୍କା ମଧ୍ୟ ଚାଷୀମାନେ ପାଇବା କଷ୍ଟକର ହୋଇପଡୁଛି। ଲାଭ କଥା ପଚାରେ କିଏ ବୋଲି ଚାଷୀମାନେ କହିଛନ୍ତି। ସେହିପରି କୋରେଇ ବ୍ଲକ୍‌ର ତଣ୍ତରା, ବଡବିରୁହାଁ ଓ ରସୁଲପୁର ବ୍ଲକ୍‌ର ପହଙ୍ଗା ଆଦି ପଞ୍ଚାୟତରେ ହୋଇଥିବା ପରିବା ଚାଷ ମଧୢ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି।

ସମ୍ବନ୍ଧିତ ଖବର