୩ ବର୍ଷରେ ୨.୫ କୋଟି ଯୁବକଙ୍କୁ ମିଳିଛି ତାଲିମ୍‌, ଏନ୍‌ଡିଏ ସରକାରଙ୍କ ସଫଳତା ସମ୍ପର୍କରେ ସୂଚନା ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ଦକ୍ଷତା ବିକାଶ ମନ୍ତ୍ରଣାଳୟ ଦ୍ୱାରା ଗତ ତିନି ବର୍ଷରେ ସ୍କିଲ୍‌ ଇଣ୍ଡିଆ ଯୋଜନାରେ ୨.୫ କୋଟି ଯୁବକଙ୍କୁ ତାଲିମ୍‌ ପ୍ରଦାନ କରାଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ଦେଶର ୪୫୦ଟି ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ସ୍ଥାପନା କରାଯାଇଛି। ଆଗାମୀ ଜୁଲାଇ ସୁଦ୍ଧା ଆଉ ୫୦ଟି କେନ୍ଦ୍ର ସ୍ଥାପିତ ହେବାକୁ ଥିଲା ବେଳେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ମୋଟ୍‌ ୭୦୦ଟି ଜିଲ୍ଲାରେ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ସ୍ଥାପିତ ହେବ। ଲକ୍ଷ୍ୟ ଆଧାରିତ ଆତ୍ମନିଯୁକ୍ତି ପାଇଁ ଜୁଲାଇରୁ ସେପ୍ଟମ୍ବର ପର୍ଯ୍ୟନ୍ତ ଏକ ଲକ୍ଷ ଯୁବକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବାର ଲକ୍ଷ୍ୟ ରହିଛି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନ୍‌ଡିଏ ସରକାରଙ୍କ ଚାରି ବର୍ଷର ସଫଳତାର ବିବରଣୀ ଦେଇ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଦକ୍ଷତା ବିକାଶ ଓ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଥିଲେ, ମୁଦ୍ରା ଯୋଜନା ଜରିଆରେ ଉଦ୍ୟମିତା ସମ୍ଭାବନାକୁ ଯୋଡ଼ିବା ପାଇଁ ନିଷ୍ପତ୍ତି ନିଆଯାଇଛି ଓ ଏହି ସମୟ ମଧ୍ୟରେ ଏକ ଲକ୍ଷ ଦକ୍ଷତା ବିକାଶରେ ପ୍ରଶିକ୍ଷିତ ଛାତ୍ରଙ୍କୁ ଯୋଡ଼ାଯିବ। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୨୦୧୫ରେ ଦେଶରେ ୫୦ ଲକ୍ଷ ଯୁବକଙ୍କୁ ତାଲିମ୍‌ ଦିଆଯାଇ ସାରିଛି ଏବଂ ୨୦୨୦ ସୁଦ୍ଧା ଏକ ଲକ୍ଷ ଯୁବକଙ୍କୁ ତାଲିମ୍‌ ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି। ବିଭିନ୍ନ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମାଧ୍ୟମରେ ୩ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଲେ, ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ଦ୍ୱାରା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ବର୍ତ୍ତମାନ ସୁଦ୍ଧା ୪ କୋଟି ହିତାଧିକାରୀଙ୍କୁ ଗ୍ୟାସ୍‌ ସଂଯୋଗ ପ୍ରଦାନ କରାଯାଇଛି। ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ଉର୍ଜା ଯୋଜନା, ସିଟି ଗ୍ୟାସ୍‌ ଡ୍ରିଷ୍ଟ୍ରିବ୍ୟୁସନ୍‌ ନେଟ୍‌ଓ୍ଵର୍କ ମାଧ୍ୟମରେ ଅନେକ ଉପଲବ୍ଧି ହାସଲ କରାଯାଇପାରିଛି। ସାମାଜିକ ଦାୟିତ୍ୱବୋଧ ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗରେ ୨୦୧୪ରୁ ୨୦୧୮ ମଧ୍ୟରେ ୧୨୦୧ ଜଣଙ୍କୁ ପେଟ୍ରୋଲ ପମ୍ପ ଆବଣ୍ଟନ କରାଯାଇଛି। ସେହିପରି ୨୦୧୪ରୁ ୨୦୧୮ ମଧ୍ୟରେ ୧୨୯୫ ଜଣଙ୍କୁ ଏଲ୍‌ପିଜି ବିତରକ ଭାବେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର