ଗଂଜେଇ ଭର୍ତ୍ତି ଟ୍ରକ ଜବତ

କୋରାପୁଟ : ଚୋରା ଗଂଜେଇ ଚାଲାଣ ବିରୋଧରେ କୋରାପୁଟ ପୁଲିସକୁ ମିଳିଛି ବଡ଼ ସଫଳତା। ଲମତାପୁଟ ଶବ ବ୍ୟବଚ୍ଛେଦ ଗୃହ ନିକଟରୁ ମାଛକୁଣ୍ଡ ଥାନା ପୁଲିସ ଏକ ଗଂଜେଇ ଭର୍ତ୍ତି ଟ୍ରକକୁ ଜବତ କରିଛି। ଏଥିରେ ଅଢ଼େଇ ଟନରୁ ଊର୍ଧ୍ବ ଗଂଜେଇ ରହିଥିଲା ବେଳେ ଡ୍ରାଇଭର ଫେରାର ହୋଇଯାଇଛି। ମାଛକୁଣ୍ଡ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏକ ଟ୍ରକରେ ଗଂଜେଇ ଯାଉଥିବା ଖବର ପାଇ ପୁଲିସ ଆଜି ଭୋର ସମୟରେ ଛକି ରହିଥିଲା। ଏହି ସମୟରେ ଏକ ଟ୍ରକ (ଓଡି-୧୫-ସି-୨୩୦୫) ଆସିଥିଲା। ହେଲେ ପୁଲିସକୁ ଦେଖି ଡ୍ରାଇଭର ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିଲା। ପରେ ପୁଲିସ ଟ୍ରକକୁ ଯାଂଚ କରିବା ସମୟରେ ୯୪ ବସ୍ତା ଗଂଜେଇ ରହିଥିବା ଦେଖିବାକୁ ପାଇଥିଲା। ମାଜିଜେଷ୍ଟ୍ରଟଙ୍କ ଉପସ୍ଥିତିରେ ଆଜି ଗଂଜେଇ ସବୁ ଓଜନ କରାଯାଇଥିଲା। ଏଥିରେ ୨୮ କୁଇଣ୍ଟାଲ ୧୪କେଜି ଗଂଜେଇ ଥିବା ଜଣାପଡ଼ିଛି। ଏହାର ବଜାର ମୂଲ୍ୟ ପାଖାପାଖି ଦେଢ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ମାଛକୁଣ୍ଡ ପୁଲିସ ଏଥିନେଇ ଏକ ମାମଲା ରୁଜୁ କରି ଅଧିକ ଅନୁସନ୍ଧାନ ଚଳାଇଥିବା ଥାନା ଅଧିକାରୀ ସୁଦର୍ଶନ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର